ବିକ୍ରି ହୋଇଗଲା ଆବାସ । ଜଣଙ୍କ ନାଁରେ ଆବାସ କାର୍ଯ୍ୟାଦେଶ ଜାରି କରି ଅନ୍ୟ ଜଣଙ୍କୁ ଟଙ୍କା ଦେଇଛନ୍ତି ହାଟଡିହି ବ୍ଲକ କର୍ତୃପକ୍ଷ

156

କନକ ବ୍ୟୁରୋ: ଚାଳ ଘରେ ବାସ କରୁଥିବା ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର ଆଦି ଯୋଜନା କରି ପର୍ଯ୍ୟପ୍ତ ଘର ଯୋଗାଇ ଦେଉଛନ୍ତି ସରକାର । କିନ୍ତୁ ପ୍ରକୃତ ହିତାଧିକାରୀମାନେ ଏହି ଯୋଜନାର ସୁଫଳ ପାଇପାରୁ ନାହାନ୍ତି । ଜଣକ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯାଉଥିବା ବେଳେ ଭିନ୍ନ ଲୋକଙ୍କୁ ବିକ୍ରୀ କରିଦିଆଯାଉଛି ସେହି ଘର । ଏପରି ଏକ ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପଂଚୁଗୋଛିଆ ପଂଚାୟତରୁ ।

ଚାଳ ଛପର ଝାଡିମାଟିର କାଂଥ ଦିଆ ଘରେ ରହୁନ୍ତି ପଂଚୁଗୋଛିଆ ପଂଚାୟତ ବଳଭଦ୍ରପୁର କାଠିଆ ଜେନାଙ୍କ ପରିବାର । ୨୦୧୬-୧୭ ଆର୍ଥିକ ବର୍ଷରେ କାଠିଆ ଜେନାଙ୍କ ନାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଘର ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ହେଲେ ଏକଥା ତାଙ୍କୁ ଜଣାନଥିଲା । ହିତାଧିକାରୀଙ୍କୁ ନଜଣାଇ ତତ୍କାଳୀନ ପଂଚାୟତ କର୍ତୃପକ୍ଷ ଓ ହାଟଡିହି ବ୍ଲକର କିଛି ଅସାଧୁ କର୍ମଚାରୀ ମୋଟା ଅଂକର ଲାଂଚ ନେଇ ଘର ବାବଦକୁ ମିଳିଥିବା ଟଙ୍କାକୁ ସେହି ଗାଁର ଅନ୍ୟ ଜଣ ବ୍ୟକ୍ତିଙ୍କୁ ଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ୨୦୧୭ରେ ୨୦ହଜାର, ୨୦୧୮ରେ ୩୫ହଜାର ଓ ୪୫ହଜାର ଦୁଇଟି କିସ୍ତିରେ ଦିଆଯାଇଛି ।

କାଠିଆଙ୍କ ପରିବାର ଭଙ୍ଗା ଚାଳ ଘରେ ରହୁଥିବା ବେଳେ ଆବାସ ଯୋଜନାରେ ଘରଟିଏ ପାଇଁ ସେ ବାରମ୍ବାର ପଂଚାୟତ ଠାରୁ ବ୍ଲକ ଅଫିସ ଦୌଡିବା ବେଳେ ତାଙ୍କ ନାଁରେ ୨୦୧୬/୧୭ରେ ଘର ଦିଆଯାଇଥିବା ଜାଣିବାକୁ ପାଇଥିଲେ । ଏ ସଂପର୍କିତ ତଥ୍ୟ ଅନଲାଇନରୁ ପାଇବା ପରେ ହିତାଧିକାରୀଙ୍କ ପରିବାର ହାଟଡିହି ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ସହ ଘରଟିଏ ପ୍ରଦାନ କରିବାକୁ ନିବେଦନ କରିଛନ୍ତି ।

ବେଶ କିଛି ଦିନ ହେବ ଆବାସ ଦୁର୍ନୀତି ସଂପର୍କୀୟ ଖବର ସାରା ରାଜ୍ୟରୁ ଆସୁଛି । କେଉଁଠି ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯାଇଛି, ପୁଣି କେଉଁଠି ହିତାଧିକାରୀଙ୍କ ଘରକୁ ବିକ୍ରି କରି ଦିଆଯାଇଛି ।