ମୋହନ ଭାଗବତଙ୍କ ବୟାନକୁ ନେଇ ଚର୍ଚ୍ଚା, ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କଲେ ଖଣ୍ଡନ

198

କନକ ବ୍ୟୁରୋ : ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ସରସଂଘଚାଳକ ମୋହନ ଭାଗବତଙ୍କ ବୟାନକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ମୋହନ ଭାଗବତଙ୍କ ବୟାନ ଉପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିବାରେ ଲାଗିଛି । ଏହି କ୍ରମରେ ଅଯୋଧ୍ୟା ରାମଜନ୍ମଭୂମିର ମନ୍ଦିରର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ସିଧା ସଳଖ କହିଛନ୍ତି କି, ମୋହନ ଭାଗବତ ତାଙ୍କ ଜୀବନ କାଳରେ କେବେ ଗୀତା ପଢିନାହାଁନ୍ତି । ଯଦି ସେ ଗୀତା ପଢିଥାନ୍ତେ ତେବେ ସେ କେବେ ବି ଏଭଳି ବୟାନ ଦେଇ ନଥାନ୍ତେ ବୋଲି ସେ କହିଛନ୍ତି । ସେ ଯୁକ୍ତି ବାଢିଛନ୍ତି କି ଚାରି ବର୍ଣ୍ଣର ବିଭାଜନ ନିଜେ ଭଗବାନ ଶ୍ରୀକୃଷ୍ଣ କରିଥିଲେ । ଏଣୁ ଜାତି ବିଭାଜନ ବ୍ରାହ୍ମଣମାନେ କରିନାହାଁନ୍ତି ବୋଲି ସେ ଯୁକ୍ତି କରିଛନ୍ତି । ବରଂ ସାମାଜିକ ବ୍ୟବସ୍ଥାର ସଂଚାଳନ ପାଇଁ ନିଜେ ଭଗବାନ ସୃଷ୍ଟିକୁ କର୍ମ ଅନୁସାରେ ୪ବର୍ଣ୍ଣରେ ବିଭାଜନ କରିଥିଲେ ବୋଲି ଆଚାର୍ଯ୍ୟ କହିଛନ୍ତି ।

ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ କହିବା ମୁତାବକ ଜାତି ଜାତି ମଧ୍ୟରେ ବିଭାଜନ ରାଜନୈତିକ ନେତାମାନେ ସେମାନଙ୍କ ଲାଭ ପାଇଁ କରିଛନ୍ତି । ଏହା ଉପରେ ସେ କହିଛନ୍ତି କି, ବିଧାୟକ କିମ୍ବା ସାଂସଦ ପ୍ରାର୍ଥୀ ଚୟନ ବେଳେ ରାଜନୈତିକ ଦଳମାନେ ଦେଖନ୍ତି କି ଯେଉଁ ଜାତିର ଅଧିକ ଭୋଟର ଅଛନ୍ତି ସେହି ଜାତିର ଲୋକଙ୍କୁ ଟିକେଟ ଦେଲେ ଦଳ ଅଧିକ ଲାଭବାନ ହେବ । ଏଣୁ ଜାତି ଜାତି ମଧ୍ୟରେ ବିବାଦ ପାଇଁ ସେ ନେତାମାନଙ୍କୁ ଦାୟୀ କରିଛନ୍ତି ।

ଜଗତଗୁରୁ ପରମହଂସ ଆଚାର୍ଯ୍ୟ କହିଛନ୍ତି ଯେ, ମୋହନ ଭାଗବତ ଯାହା କହିଛନ୍ତି ତାହା ଅଶାସ୍ତ୍ରୀୟ ଓ ମନରୁ କହିଛନ୍ତି । ‘ମୁଁ ଆରଏସଏସ ଭଳି ଦେଶଭକ୍ତ ସଂଗଠନକୁ ବହୁତ ଆଦର କରେ, ହେଲେ ଶାସ୍ତ୍ର ବିରୋଧରେ ଦେଇଥିବା ବୟାନକୁ ବିରୋଧ କରୁଛି’ ।