୩ଦିନ ପରେ କରୋନା ସଂକ୍ରମଣରେ ସାମାନ୍ୟ ଆଶ୍ୱସ୍ତି । ଦିନକରେ ୭୪୩ ସଂକ୍ରମିତ ଚିହ୍ନଟ କିନ୍ତୁ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ

215

କନକ ବ୍ୟୁରୋ : ଦିନ ଯେତିକ ଗଡୁଛି ସେତିକ ବଢ଼ୁଛି ଭୟ । ଗତ ୨୪ ଘଂଟାରେ ଦେଶରୁ ୭୪୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୁକ୍ରବାର ୭୯୭ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଶନିବାର ସଂକ୍ରମଣ ସାମାନ୍ୟ କମ ରହିଛି । ତଥାପି ୮ଶହ ପାଖରେ ଦୈନିକ ସଂକ୍ରମଣ ଏଣିକି ଚିନ୍ତାର କାରଣ ପାଲଟିଛି । ୫ମାସ ମଧ୍ୟରେ ଏହା ସବୁଠୁ ଅଧିକ ସଂକ୍ରମଣ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ମହାରାଷ୍ଟ, ପୁଡୁଚେରୀ ଓ ତାମିଲନାଡୁରୁ ଜଣେ ଲେଖାଏଁ ରହିଛନ୍ତି । ପ୍ରତିଥର ପରି ଏଥରକ ମଧ୍ୟ ସବଠୁ ଅଧିକ ସଂକ୍ରମିତ କେରଳରୁ ଚିହ୍ନଟ ହେଉଛନ୍ତିି । ପରେ ଗୁଜରାଟ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର, ରାଜସ୍ଥାନ,ତାମିଲନାଡୁ, ତେଲେଙ୍ଗାନ ଓ ଦିଲ୍ଲୀ ରହିଛି ।

ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାର ୯୮୭ ରହିଛି । ତେବେ ନୂଆବର୍ଷ ପୂର୍ବରୁ ଯେଉଁଭଳି ଭାବେ ସଂକ୍ରମଣ ବଢ଼ୁଛି ତାକୁ ନେଇ ଚିନ୍ତାରେ ଦେଶ । ସେପଟେ ନୂଆବର୍ଷ ଛୁଟିରେ ବିଭିନ୍ନ ସ୍ଥାନରେ ପର୍ଯ୍ୟଟକଙ୍କ ପ୍ରବଳ ଗହଳି ଆଗକୁ ସଂକ୍ରମଣ ସଂଖ୍ୟା ବେଶ ଅଧିକ ବୃଦ୍ଧିର ଆଶଙ୍କା ରହିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଯଦିଓ କରୋନାର ନୂଆ ଭାଇରସ ଜେଏନ ଡଟ ୱାନକୁ ନେଇ ଭୟଭୀତ ହେବାର କାରଣ ନାହିଁ ତଥାପି ସତର୍କ ରହିବା ଜରୁୁରୀ । ଲକ୍ଷଣ ପ୍ରକାଶ ପାଇଲେ ନମୁନା ପରୀକ୍ଷା ସହ ଡାକ୍ତରଙ୍କ ପରାର୍ମଶ ନେବାକୁ କୁହାଯାଇଛି ।

ସ୍ୱାସ୍ଥ୍ୟ ବିଶେଷଜ୍ଞ ମତରେ ଦୁନିଆରେ କୋଭିଡ-୧୯ ଅନେକ ପ୍ରଜାତି ଓ ଉପପ୍ରଜାତି ରହିଛି । ସଂକ୍ରମିତଙ୍କ ନିକଟରେ ପ୍ରାୟ ସମାନ ଲକ୍ଷଣ ପ୍ରକାଶ ପାଉଥିଲେ ମଧ୍ୟ କିଛି କ୍ଷେତ୍ରରେ ଭିନ୍ନ ରହୁଛି । ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି ଅନୁସାରେ ଲକ୍ଷଣରେ ଭିନ୍ନତା ରହୁଛି । ଏଥିସହ ଅଧିକାଂଶ ଲୋକ କରୋନା ଭ୍ୟାକସିନ ଓ ବୁଷ୍ଟର ଡୋଜ ନେଇସାରିଥିବାରୁ ସେମାନଙ୍କ ନିକଟରେ ଭିନ୍ନ ଭିନ୍ନ ଲକ୍ଷଣ ମଧ୍ୟ ଦେଖାଯାଇପାରେ । ତେବେ କରୋନା ଭ୍ୟାକ୍ସିନ ‘ଜେଏନ ଡଟ ୱାନ’ ଉପରେ ପ୍ରଭାବଶାଳୀ ରହିବ ଓ ଏହା ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ନକରିପାରେ । ଭୟଭୀତ ନହେବାକୁ ଗୋଟେ ପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଦେଉଛନ୍ତି ସତ କିନ୍ତୁ ଲଗାତାର ମୃତ୍ୟୁ ଓ ସଂକ୍ରମଣ ବୃଦ୍ଧି ପୁଣି କରୋନା ମହାମାରୀର ସେହି ଡର ବଢ଼ିବାରେ ଲାଗିଛି ।