ପାକିସ୍ତାନରେ ପଶି ଆତଙ୍କୀଙ୍କୁ ମାରୁଛି ଭାରତ । ଚର୍ଚ୍ଚାରେ ବ୍ରିଟିଶ ଗଣମାଧ୍ୟମ ‘ଦ ଗାର୍ଡିଆନ’ର ରିପୋର୍ଟ ।

468

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପୂର୍ବରୁ ଭାରତକୁ ନେଇ ବ୍ରିଟିଶ ଗଣମାଧ୍ୟମ ସଂସ୍ଥା ‘ଦ ଗାର୍ଡିଆନ’ର ରିପୋର୍ଟକୁ ନେଇ ଏବେ ସବୁଠି ଚର୍ଚ୍ଚା । ପାକିସ୍ତାନରେ ପଶି ଆତଙ୍କବାଦୀଙ୍କୁ ଭାରତ ନିପାତ କରୁଥିବା ‘ଦ ଗାର୍ଡିଆନ’ ଖବରକାଗଜରେ ଦାବି କରାଯାଇଛି । ଯଦିଓ କୁଟନୈତିକ ଦୃଷ୍ଟିକୋଣରୁ ଭାରତ ଏହାକୁ ଖଣ୍ଡନ କରିଛି କିନ୍ତୁ ବିଜେପି ଏହାର ଫାଇଦା ଉଠାଇବାର ସୁଯୋଗ ହାତଛଡା କରିନାହିଁ । ଏହା ଉପରେ ପ୍ରତିକ୍ରିୟା ରଖି ଶୁକ୍ରବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ, ଭାରତରେ ଅସ୍ଥିରତା ସୃଷ୍ଟି କରି ଯଦି ଆତଙ୍କୀ ପାକିସ୍ତାନରେ ଯାଇ ଲୁଚିବେ, ତେବେ ଭାରତ ସେଠାରେ ପହଁଚି ସେମାନଙ୍କୁ ନିପାତ କରିବ ।

ଶନିବାର ଉତ୍ତରପ୍ରଦେଶର ସାହାରଙ୍ଗପୁରରେ ଜନସଭାକୁ ସମ୍ବୋଧିତ କରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ‘ଦ ଗାର୍ଡିଆନ’ର ରିପୋର୍ଟ କଥା ଉଠାଇଛନ୍ତି । ଯୋଗୀ କହିଛନ୍ତି, ବ୍ରିଟେନର ପ୍ରତିଷ୍ଠିତ ଖବରକାଗଜର ରିପୋର୍ଟ ସାରା ବିଶ୍ୱର ଧ୍ୟାନ ଆକର୍ଷିତ କରିଛି । ସେଥିରେ କିପରି ପାକିସ୍ତାନ ଭିତରେ ଆତଙ୍କବାଦୀଙ୍କୁ ହତ୍ୟା କରାଯାଉଛି ତାହା ଦର୍ଶାଯାଇଛି । ଆଜି ଆତଙ୍କବାଦ ସାରା ବିଶ୍ୱ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ଏବଂ ଏହାର ସମାଧାନ ଦିଗରେ ଭାରତ ନେତୃତ୍ୱ ନେଉଛି ।

  • ୨୦ ଆତଙ୍କବାଦୀଙ୍କୁ ନିପାତ କଲାଣି ଭାରତ
  • ଗୁପ୍ତ ଶୈଳୀରେ କାର୍ଯ୍ୟ କରୁଛି ଭାରତୀୟ ସେନା

ଦ ଗାର୍ଡିଆନ ପ୍ରକାଶ କରିଥିବା ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନରେ ଥିବା ଆତଙ୍କୀଙ୍କୁ ମାରିବା ପାଇଁ ଭାରତ ବ୍ୟାପକ ରଣନୀତି ପ୍ରସ୍ତୁତ କରିଛି । ଏନେଇ ପାକିସ୍ତାନରେ ଭାରତୀୟ ସେନାର ଏକ ଟିମ ଗୁପ୍ତ ତରିକାରେ କାମ କରୁଛି ଓ ଆତଙ୍କବାଦୀଙ୍କୁ ମାରୁଛି । ୨୦୨୦ରୁ ଏବେ ସୁଦ୍ଧା ୨୦ଜଣ ଆତଙ୍କୀଙ୍କୁ ମାରିସାରିଥିବା ରିପୋର୍ଟରେ ଦାବି କରାଯାଇଛି । ତେବେ ଭାରତ ଖବରକୁ ଖଣ୍ଡନ କରିବା ସହ ଏଭଳି ରିପୋର୍ଟ ଦୁଭାଗ୍ୟପୂର୍ଣ୍ଣ ବୋଲି କହିଛି । ଦ ଗାର୍ଡିଆନର ଏହି ରିପୋର୍ଟ କହୁଛି ଭାରତୀୟ ଗୁଇନ୍ଦା ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ ଆତଙ୍କବାଦୀ ନିରୋଧୀ ଅଭିଯାନର ମୁଖ୍ୟ ଅଂଶ ଅଟେ । ଏହାରି ନିର୍ଦ୍ଦେଶରେ ଆତଙ୍କୀଙ୍କ ମୂଳପୋଛ କରିବାକୁ ଲକ୍ଷ୍ୟ ରଖିଛି ଭାରତ ।

ସୂଚନା ଅନୁସାରେ ୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଏହି ଗୁଇନ୍ଦା ଏଜେନ୍ସି ବିଦେଶୀ ଆତଙ୍କୀଙ୍କ ଉପରେ କଡ଼ା ନଜର ରଖିଛି ଓ ଆବଶ୍ୟକ ପଡିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ତେବେ ବ୍ରିଟିଶ ଖବରକାଗଜର ଦାବି ପୂର୍ବରୁ ଆମେରିକା ଓ କାନାଡ଼ା ମଧ୍ୟ ଭାରତ ଉପରେ ସମାନ ଅଭିଯୋଗ ଆଣିସାରିଛନ୍ତି ।