ଶିବଙ୍କ ଶରଣରେ ହାର୍ଦ୍ଦିକ ପାଣ୍ଡ୍ୟା । ହ୍ୟାଟ୍ରିକ ହାରିବା ପରେ ଚିନ୍ତାରେ କ୍ୟାପଟେନ୍ । ରବିବାର ମ୍ୟାଚ ପୂର୍ବରୁ ପାଣ୍ଡ୍ୟାଙ୍କ ପୂଜାର୍ଚ୍ଚନା ।

102

କନକ ବ୍ୟୁରୋ: ସାରା ଦୁନିଆକୁ ଦୋହଲାଇ ଦେବ ବୋଲି ଦାବି କରୁଥିବା ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ଚଳିତ ଆଇପିଏଲରେ ପ୍ରଥମ ୩ଟି ମ୍ୟାଚ୍ ହାରିଛି । ଆଉ ପଏଣ୍ଟ ଟେବୁଲର ତଳେ ରହିଛି । ଦଳ ଯେଉଁଭଳି ପ୍ରଦର୍ଶନ କରୁଛି, ତାହା ନିଶ୍ଚିତ ଭାବେ ଫ୍ୟାନ୍ସଙ୍କୁ ଚିନ୍ତାରେ ପକାଇଛି । ରବିବାର ଚତୁର୍ଥ ମ୍ୟାଚ ରହିଛି । ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ । ଯିଏକି ଚେନ୍ନାଇ ସୁପର କିଙ୍ଗସ ଭଳି ଦଳକୁ ହରାଇ ସାରିଛି । ଏହାପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ମନ୍ଦିର ଯାଇ ପୂଜାର୍ଚ୍ଚନା କରୁଥିିବା ଦେଖିବାକୁ ମିଳିିଛି । ନିଜ ଖୁଲମଖୁଲା ଅନ୍ଦାଜ ଏବଂ ଟାଟୁ ଚିହ୍ନିତ ବଡି ଦେଖାଇ କ୍ୟାମେରା ଆଗକୁ ଆସୁଥିବା ହାର୍ଦ୍ଦିକଙ୍କ ଏହି ବେଶକୁ ନେଇ ମଧ୍ୟ ଏବେ ଚର୍ଚ୍ଚା । କାରଣ ସାଧାସିଧା ଲୁକରେ ପାଣ୍ଡ୍ୟାଙ୍କୁ ଦେଖିବାକୁ ମିଳିଛି । ମନ୍ଦିର ଭିତରେ ପୂଜା କରିବା ବେଳର ଭିଡିଓ ସୋମନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସେୟାର କରାଯାଇଛି । ଚଳିତ ଆଇପିଏଲ୍ ପୂର୍ବରୁ ମୁମ୍ବାଇ ପକ୍ଷରୁ ରୋହିତ ଶର୍ମାଙ୍କ ସ୍ଥାନରେ ପାଣ୍ଡ୍ୟାଙ୍କୁ ଅଧିନାୟକ ପଦ ମିଳିଛି । ରୋହିତଙ୍କ ନେତୃତ୍ୱରେ ୫ଟି ଆଇପିଏଲ୍ ଟାଇଟଲ୍ ଜିତିବାର ଚମକ୍ରାର ଟ୍ରାକ୍ ରେକର୍ଡ ରହିଛି । ଏହାରି ଭିତରେ ପ୍ରଶଂସକଙ୍କ ମଧ୍ୟରେ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ମିଳିବା ନେଇ ମିଶ୍ର ପ୍ରତିକ୍ରିୟା ରହିଛି ।

  • ପାଣ୍ଡ୍ୟାଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ
  • ଏଯାବତ କୌଣସି ମ୍ୟାଚ ଜିତିନି ଏମଆଇ

ମ୍ୟାଚ ଆରମ୍ଭରୁ ହାର୍ଦ୍ଦିକ ଟ୍ରୋଲର ଶିକାର ହେଉଛନ୍ତି । ଦଳର ଅନ୍ୟ ଖେଳାଳି ପ୍ରଦର୍ଶନକୁ ନେଇ ଯେତିକି ସମାଲୋଚନାର ଶିକାର ହେଉନାହାନ୍ତି ତାଠୁ ଅଧିକ ସମାଲୋଚନାର ଶିକାର ହେଉଛନ୍ତି ହାର୍ଦ୍ଦିକ । କେବଳ ନେତୃତ୍ୱର ବୋଝ ନୁହେଁ ବରଂ ଏପର୍ଯ୍ୟନ୍ତ ଖେଳାଯାଇଥିବା ତିନୋଟି ଯାକ ମ୍ୟାଚରେ ଏମଆଇ ହାରିବା ପରେ ପ୍ରଶଂସକଙ୍କ ମଧ୍ୟ ନିରାଶ । ସମସ୍ତ ମ୍ୟାଚ୍ ହାରି ଏକମାତ୍ର ଆଇପିଏଲ୍ ଦଳ ଭାବେ ପଏଂଟ ଟେବୁଲର ତଳେ ରହିଛି ।

  • ଏମଆଇ ଅଧିନାୟକ ପଦକୁ ଫେରିବେ ରୋହିତ?
  • ନା ସାଥି ଖେଳାଳିଙ୍କୁ ନେଇ ଛାଡିବେ ଦଳ?

ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବେ ଫେରିବେ ନା ମୁମ୍ବାଇ ଇଣ୍ଡିଆନ୍ସ ଛାଡିବେ? ଏହାର ଉତ୍ତର ସମୟ ଆସିଲେ ହିଁ କହିହେବ । ଚଳିତ ସିଜିନ ଆରମ୍ଭ ପୂର୍ବରୁ ଏମଆଇ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରାଇଥିଲା ଏବଂ ସେବେଠାରୁ ଆରମ୍ଭ ହୋଇଛି ବିବାଦ । ଏହାରି ଭିତରେ ରୋହିତ ଶର୍ମା ଆସନ୍ତା ଆଇପିଏଲ୍ ପୂର୍ବରୁ ଅର୍ଥାତ ଚଳିତ ଆଇପିଏଲ ପରେ ସାଥୀ ଖେଳାଳିଙ୍କୁ ସାଙ୍ଗରେ ନେଇ ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିବେ ବୋଲି କିଛି ରିପୋର୍ଟରେ ଦାବି କରାଯାଉଛି ।

ଲଗାତାର ୩ଟି ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ପୁଣିଥରେ ରୋହିତ ଶର୍ମାଙ୍କୁ ଅଧିନାୟକ ପଦ ମିଳିପାରେ ବୋଲି ପୂର୍ବତନ କ୍ରିକେଟର ମନୋଜ ତିୱାରୀ କହିଛନ୍ତି । ଚଳିତ ସିଜନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ରୂପରେ ଏମଆଇକୁ ନୂଆ ଅଧିନାୟକ ମିଳିଛି । କିନ୍ତୁ ସମସ୍ୟା ହେଉଛି ତାଙ୍କୁ ଦଳର ପ୍ରଶଂସକଙ୍କ ସମର୍ଥନ ମିଳୁନାହିଁ । ଅପରପକ୍ଷରେ ପ୍ରଶଂସକମାନେ ତାଙ୍କୁ ଟ୍ରୋଲ କରୁଛନ୍ତି । ପରିସ୍ଥିତି ଏପରି ହେଉଛି ପୂର୍ବତନ ଅଧିନାୟକ ରୋହିତ ଶର୍ମା ଫ୍ୟାନ୍ସଙ୍କୁ ଶାନ୍ତ ରହିବାକୁ ନିବେଦନ କରିବାକୁ ପଡୁଥିବା ବେଳେ କମେଣ୍ଟେଟର ସଞ୍ଜୟ ମଞ୍ଜରେକର ଦର୍ଶକଙ୍କୁ ଭଲ ଆଚରଣ ଦେଖାଇବାକୁ ନିବେଦନ କରିଛନ୍ତି ।