ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ରୋହିତ ବାହିନୀର ଦବଦବା : ପ୍ରଥମ ଇନିଙ୍ଗସରେ ୧୫୦ ରନରେ ୱେଷ୍ଟଇଣ୍ଡିଜ୍ ଅଲଆଉଟ୍; ଅଶ୍ୱିନୀଙ୍କୁ ୫ଟି ୱିକେଟ

505

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ୍ ଓ ଭାରତ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଟିମ୍ ଇଣ୍ଡିଆର ଦବଦବା ରହିଛି । ଘରୋଇ ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଙ୍ଗସରେ ମାତ୍ର ୧୫୦ ରନରେ ଅଲଆଉଟ୍ ହୋଇଯାଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ଏହି ନିଷ୍ପତ୍ତି କାମ ଦେଇ ନଥିଲା । ବରଂ ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ ୱେଷ୍ଟଇଣ୍ଡିଜ୍ ବ୍ୟାଟର । ଗୋଟିଏ ପରେ ଗୋଟିଏ ୱିକେଟ ପଡ଼ି ଚାଲିଥିଲା ।

ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍‌ ପାଇଁ କ୍ରେଗ୍ ବ୍ରାଥ୍‌ୱେଟ୍ ଏବଂ ଟାଗେନାରାୟଣ ଚନ୍ଦରପଲ୍‌ ପାଳି ଆରମ୍ଭ କରିଥିଲେ। ଉଭୟ ଭଲ ଆରମ୍ଭ କରିଥିଲେ ମଧ୍ୟ ରୋହିତ ଶର୍ମା ପିଚ୍‌କୁ ଠିକ୍ ଭାବେ ପଢ଼ି ନେବାରୁ ନବମ ଓଭରରୁ ଅଶ୍ବିନଙ୍କୁ ଡାକିଥିଲେ । ପ୍ରଥମ ବଲ୍‌ରେ ସେ ୱିକେଟ୍‌ରୁ ବଞ୍ଚିତ ହୋଇଥିଲେ ମଧ୍ୟ ତୃତୀୟ ଓଭରରେ ଭାରତ ପାଇଁ ପ୍ରଥମ ୱିକେଟ୍ ଦେଇଥିଲେ । ଟା‌ଗେନାରାୟଣଙ୍କୁ ସେ ବୋଲ୍ଡ କରି ଦେଇଥିଲେ। ନିଜର ଦୁଇ ଓଭର ପରେ ସେ ଅନ୍ୟତମ ଓପନର୍ ତଥା ଅଧିନାୟକ ବ୍ରାଥ୍‌ୱେଟଙ୍କୁ ରୋହିତ ଶର୍ମାଙ୍କ ହାତରେ କ୍ୟାଚ୍‌ କରାଇଥିଲେ ।

ଭାରତୀୟ ଦଳ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନୀ ପୁଣି ନିଜ ସ୍ପିନ୍ ଯାଦୁ ଦେଖାଇଛନ୍ତି । ଅଶ୍ୱିନୀ ୫ଟି ୱିକେଟ ହାସଲ କରିଛନ୍ତି । ସେହିପରି ରବୀନ୍ଦ୍ର ଜାଡ଼େଜାଙ୍କୁ ୩ଟି ୱିକେଟ ମିଳିଛି । ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଯୁବ ବ୍ୟାଟର ଆଲିକ ଅଥାନେଜ୍ କିଛି ଦର୍ଶନୀୟ ସଟ ମାରି ୪୭ ରନ୍ କରିଥିଲେ । ଜବାବରେ ପ୍ରଥମ ଇନିଙ୍ଗସରେ ଭାରତ କୌଣସି ୱିକେଟ ନହରାଇ ୮୦ ରନ୍ ସଂଗ୍ରହ କରିନେଇଛି । ଅଧିନାୟକ ରୋହିତ ଶର୍ମା ୩୦ ଓ ପ୍ରଥମ କରି ଟେଷ୍ଟ ମ୍ୟାଚରେ ଓପନିଂ କରୁଥିବା ଯଶସ୍ୱୀ ଜେସୱାଲ ୪୦ ରନ୍ କରି ବ୍ୟାଟିଂ କରୁଛନ୍ତି ।