ବିରୋଧୀ ମିଛ କଥା କହିବାରେ ସୀମା ରଖନ୍ତିନି । ନିର୍ବାଚନ ଆସିଲେ କେବଳ ଟୁରିଷ୍ଟ ଭଳି ଦେଖାଯାଆନ୍ତି । ବିଜେପୁରରେ ବିରୋଧୀଙ୍କ ଉପରେ ବର୍ଷିଲେ ପାଣ୍ଡିଆନ୍ ।

70

କନକ ବ୍ୟୁରୋ: ବିଜେପୁରରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର । ବୁଧବାର ବିଜେପୁରରେ ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ୍ କହିଛନ୍ତି, ସବୁ ନିର୍ବାଚନମଣ୍ଡଳୀର ଲୋକ ଚାହାଁନ୍ତି ତାଙ୍କ ନିର୍ବାଚନମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ଠିଆ ହୁଅନ୍ତୁ । ବିଜୁ ଜନତା ଦଳର ସମସ୍ତ ନେତାମାନେ ଚାହାଁନ୍ତି ନବୀନ ବାବୁ ତାଙ୍କ ଅଞ୍ଚଳରୁ ଠିଆ ହୁଅନ୍ତୁ । ଯଦି ନବୀନ ବାବୁ ଥରେ ଠିଆ ହେବେ , ତେବେ ତାଙ୍କ ନିର୍ବାଚନମଣ୍ଡଳୀର ରୂପରେଖ ବଦଳିଯିବ । ଏ ହେଉଛି ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଓଡିଶାବାସୀଙ୍କ ଆସ୍ଥା । ସେ ଯାହା କୁହନ୍ତି, ତାଠୁ ଅଧିକ କାମ କରନ୍ତି । ବିଜେପୁର ହେଉଛି ତାହାର ଏକ ଉଦାହରଣ । ମୁଖ୍ୟମନ୍ତ୍ରୀ ହିଞ୍ଜିଳିରେ ଯାହା କରିଛନ୍ତି, ବିଜେପୁରରେ ମଧ୍ୟ ସେହି କାମ କରିଛନ୍ତି ବୋଲି କହିଛନ୍ତି ଭିକେ ପାଣ୍ଡିଆନ୍ ।

ଅନ୍ୟପଟେ ସାରା ଓଡିଶାରେ ୫ଟି ସ୍କୁଲ ରୂପାନ୍ତରୀକରଣ କାମ ହିଞ୍ଜିଳିକାଟୁରୁ ଆରମ୍ଭ ହେଲା । ଏହାପରେ ଦ୍ୱିତୀୟ ନିର୍ବାଚନମଣ୍ଡଳୀ ବିଜେପୁରରେ ୫ଟି ସ୍କୁଲ ରୂପାନ୍ତରଣ ହେଲା । ଏଥିସହ ବରଗଡ ହେଉଛି ସାରା ଭାରତ ବର୍ଷର ଭାତ ହାଣ୍ଡି । ଭାରତ ବର୍ଷକୁ ଖାଦ୍ୟ ସୁରକ୍ଷା ଦେବାରେ ବରଗଡର ବହୁତ ବଡ ଭୂମିକା ରହିଛି । ହେଲେ ଏହାପରେ ମଧ୍ୟ, ବରଗଡରେ ମହାନଦୀ ପାଣି ମାଡି ପାରିଲାନି, ଚାଷୀଭାଇମାନଙ୍କ ସୁବିଧା ହେଇପାରିଲାନି । ଉପ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଆସିଥିଲେ, ଆପଣ ତାଙ୍କୁ ଅନୁରୋଧ କରିଥିଲେ । ତା ପରେ ମୁଖ୍ୟମନ୍ତ୍ରୀ ଏହି କଥା ଆମକୁ କହିଥିଲେ । ସେତେବେଳେ ଇଞ୍ଜିନିୟରମାନେ କହିଥିଲେ, ମହାନଦୀ ପାଣି ୩୦ ମିଟର ତଳେ ଅଛି । ଆଉ ମୁଖ୍ୟମନ୍ତ୍ରୀ କହିଥିଲେ, ଏହି କାମ ୫ଟି ହେବ, ଚାଷୀ ଭାଇ ଭଉଣୀମାନଙ୍କୁ ପାଣି ଦେବା ପାଇଁ ଯେଉଁ ବିି ଟେକ୍ନୋଲୋଜି ଅଛି, ବ୍ୟବହାର ହେବ । ଏହାପରେ ୩ ବର୍ଷରେ ଗଙ୍ଗାଧର ମେହେର ପ୍ରକଳ୍ପ ଶେଷ ହେଲା ।

ଅନ୍ୟପଟେ ବିରୋଧୀଙ୍କୁ ଟାର୍ଗେଟ କରି ପାଣ୍ଡିଆନ୍ କହିଛନ୍ତି, ବିରୋଧୀ ଦଳ ମନ୍ତ୍ରୀ ଉପ ନିର୍ବାଚନ ସମୟରେ ଆସିଥିଲେ । ପ୍ରତିଶ୍ରୁତି ଦେଲେ ଧାନର ଏମଏସପି ଦୁଇଗୁଣା କରିବୁ । ୨୦୧୯ ନିର୍ବାଚନ ପୂର୍ବରୁ ମଧ୍ୟ ସେଇ କଥା କହିଥିଲେ । ହେଲେ ଧାନର ଏମଏସପି ଦୁଇଗୁଣା ହେଲା କି? ଏବେ ୨୦୨୪ ହେଇଗଲା, ପୁଣିଥରେ ମିଛ ପତ୍ର ନେଇକି ଆସିବେ । ଆଉ କହିବେ ଆମେ ଜିତିଲେ ଏହି କାମ କରିବୁ । ୧୦ ବର୍ଷ କ୍ଷମତାରେ ଥିଲେ କଣ କଲେ? ଧାନର ଏମଏସପି ବଢାଇବା ହେଉଛି କେନ୍ଦ୍ରର କ୍ଷମତା । ହେଲେ ସେମାନେ ଧାନର ଏମଏସପି ବଢାଇଲେନି ।

ଖାଲି ସେତିକି ନୁହେଁ, ପାଣ୍ଡିଆନ୍ ଆହୁରି ମଧ୍ୟ କହିଛନ୍ତି ଯେ, ଉପ ନିର୍ବାଚନ ସମୟରେ ମିଠା ମିଠା କଥା କହିଲେ, ବରପାଲି ଷ୍ଟେସନକୁ ଜଙ୍କସନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ବରପାଲିରୁ କୋଲକାତା, ରାୟପୁର ଆଉ ବିଶାଖାପାଟଣା ଟ୍ରେନ୍ ଯିବ ବୋଲି କହିଥିଲେ । ହେଲେ କଣ ହେଲା, ଟ୍ରେନ୍ ଦିଶୁଛି କି? ଏମାନେ ମିଛ କଥା କହିବାରେ ସୀମା ରଖନ୍ତିନି । ଖାସ୍ କରି ନିର୍ବାଚନ ଆସିଲେ ସେ ନିଜେ କଣ କହୁଛନ୍ତି ନିଜେ ଜାଣିନାହାଁନ୍ତି । କେନ୍ଦ୍ରମନ୍ତ୍ରୀ କହିଥିଲେ କେନ୍ଦୁପତ୍ରରୁ ଜିଏସଟି ଉଠେଇବେ । ହେଲେ କେନ୍ଦୁପତ୍ରରୁ ଜିଏସଟି ଉଠେଇଲେ କି? କିନ୍ତୁ ନବୀନ ବାବୁ କେନ୍ଦୁପତ୍ରରୁ ଯାହା ବି ଜିଏସଟି ପାଉଛନ୍ତି, ତାହା ଫେରେଇ ଦେଇଛନ୍ତି ।

ବିଜେପୁରରୁ ହେଉଛି ମୁଖ୍ୟମନ୍ତ୍ରୀଙ୍କ କର୍ମଭୂମି । କବି ଗଙ୍ଗାଧର ମେହେରଙ୍କ ଜନ୍ମପୀଠ ଏବଂ ମ୍ୟୁଜିୟମ ପାଇଁ ମୁଖ୍ୟମନ୍ତ୍ରୀ ୨ କୋଟି ଏବଂ ୧.୨୦ କୋଟି ଟଙ୍କା ଦେଇକି କାମ କରୁଛନ୍ତି । ହେଲେ ଆଜି ବଡ ବଡ କଥା କହୁଛନ୍ତି, ୧୦ ବର୍ଷ କେନ୍ଦ୍ରମନ୍ତ୍ରୀ ଥିଲେ । ଓଡିଶାର ଅସ୍ମିତା, ଓଡିଶାର ବରପୁତ୍ରଙ୍କ କଥା କହୁଛନ୍ତି । ସେହି ବରପୁତ୍ର ଗଙ୍ଗାଧର ମେହେରଙ୍କ ପାଇଁ ଗୋଟିଏ ଟଙ୍କା ଖର୍ଚ୍ଚ କରିଛନ୍ତି କି?

ତେଲ ମନ୍ତ୍ରୀ ଥିବାବେଳେ ନିଜ ଫଟୋକୁ ସାରା ଓଡିଶାର ପେଟ୍ରୋଲ ପମ୍ପରେ ଛପେଇଲେ । କୋଟି କୋଟି ଟଙ୍କା ଖର୍ଚ୍ଚ କଲେ । କବି ଗଙ୍ଗାଧର ମେହେରଙ୍କ ପ୍ରତି ଶ୍ରଦ୍ଧା ଥିଲେ, ସେହି କୋଟି କୋଟି ଟଙ୍କାରୁ କୋଟିଏ ଟଙ୍କା ଖର୍ଚ୍ଚ କଲେ ଆମେ ତାଙ୍କୁ ଭଲ ପାଇବୁ । ସେ କେବଳ କଥାରେ କାମ ଚଳାନ୍ତି, କାମ କରନ୍ତିନି । ନିର୍ବାଚନ ଆସିଲେ ନେତାମାନେ ଟୁରିଷ୍ଟ ଭଳିଆ ଦିଶିବେ । ନିର୍ବାଚନ ଆସିଲେ ସେମାନେ ଆସିବେ ବଡ ବଡ ଏବଂ ମିଠା ମିଠା କଥା କହିବେ । କୁମ୍ଭୀର କାନ୍ଦଣା ମଧ୍ୟ କାନ୍ଦିବେ । ହେଲେ ନିର୍ବାଚନ ସରିଲେ ତାଙ୍କୁ ଦେଖିବେନି । ଏଥିସହ ଶେଷରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ ଭିକେ ପାଣ୍ଡିଆନ୍ ।