ପଦ୍ମପୁରରେ ପାଣ୍ଡିଆନଙ୍କ ପ୍ରଚାର । ବିଜେପିକୁ କଲେ ଟାର୍ଗେଟ, କହିଲେ ନବୀନ ଯେଉଁ ବିକାଶମୂଳକ କାମ କରୁଛନ୍ତି ତାକୁ ବନ୍ଦ କରିବାକୁ ଚେଷ୍ଟା କରୁଛି ବିଜେପି ।

91

କନକ ବ୍ୟୁରୋ : ପଦ୍ମପୁରରେ ବିଜେଡି ପ୍ରାର୍ଥୀଙ୍କ ଭିକେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର । ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ କହିଛନ୍ତି, ଏତେ ସଂଖ୍ୟାରେ ଜନସମାବେଶ ଦେଖି ବିରୋଧୀ ଦଳର ସାଂସଦ ପ୍ରାର୍ଥୀଙ୍କ ନିନ୍ଦ ଭାଙ୍ଗିଯାଇଛି । ପଦ୍ମପୁରରେ ବିକାଶ ମୂଳକ କାମର ହିସାବ ଦେବା ସହ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ । ଉପ-ନିର୍ବାଚନ ବେଳେ କେନ୍ଦୁପତ୍ରରୁ ଜିଏସଟି ହଟାଇବାକୁ କହିଥିଲେ, କିନ୍ତୁ ଏହାକୁ ପୂରଣ କରିପାରିଲେନି । କେନ୍ଦୁପତ୍ରରୁ ଜିଏସଟି ବିଜେଡି ସରକାର ହଟାଇଛି । ଉପ-ନିର୍ବାଚନ ବେଳେ ପଦ୍ମପୁରକୁ ଯାହା ପ୍ରତିଶ୍ରୁତି ଦେଇଥିଲେ ତାହାକୁ ପୂରା କରୁଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତି ପଞ୍ଚାୟତକୁ ୧ କୋଟି ଲେଖାଏଁ ଦିଆଯାଇଛି । କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମଠ ମନ୍ଦିରର ରୂପାନ୍ତରଣ ହେଲେ ବିରୋଧୀ ଦଳ ସହିପାରୁନାହାନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ମା’ ସମଲେଇ ପ୍ରକଳ୍ପକୁ ବନ୍ଦ କରିବାକୁ ଚକ୍ରାନ୍ତ କଲେ । ସୁପ୍ରିମକୋର୍ଟରେ ଦାମୀ ଓକିଲ ଲଗାଇ କାମ ବନ୍ଦ କରିବାକୁ ଚେଷ୍ଟା କଲେ । କିନ୍ତୁ ମହାପ୍ରଭୁ ଓ ମା’ ସମଲେଇଙ୍କ ଆଶୀର୍ବାଦରେ ଏ କାମ ଶେଷ ହେଲା । ନବୀନ ଯେଉଁ କାମ କରିବାକୁ ଚେଷ୍ଟା କରୁଛନ୍ତି ବିରୋଧୀ ବିଜେପି ତାହାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି ବୋଲି କହି କଟାକ୍ଷ କରିଛନ୍ତି ପାଣ୍ଡିଆନ । ଲକ୍ଷଲକ୍ଷ ଚାଷୀଙ୍କୁ ଫସଲବୀମା ବାବଦକୁ ପ୍ରିମିୟମ ଦେବାକୁ ପଡୁନି । ଏହି ସୁବିଧା ଚାଷୀଙ୍କ ପାଇଁ କରିଛନ୍ତି ନବୀନ ପଟ୍ଟନାୟକ । ଡବଲ ଇଞ୍ଜିନ ସରକାର ଚାଷୀଙ୍କ ଉପରେ ବୋଝ ଲଦୁଛନ୍ତି । କିନ୍ତୁ ଏହି ବୋଝକୁ ନିଜେ ଦୂର କରିଛନ୍ତି ନବୀନ ସରକାର । ବିଜୁ ଏକ୍ସପ୍ରେସ ୱେରେ ପଦ୍ମପୁର ସବଡିଭିଜନ ଅଧିକ ଲାଭ ପାଇଛି । କେନ୍ଦୁପତ୍ର ତୋଳାଳୀଙ୍କୁ ଭୋଟବ୍ୟାଙ୍କ ଭାବେ ବ୍ୟବହାର କରୁଛି ବିରୋଧୀ । କିନ୍ତୁ କେନ୍ଦୁପତ୍ର ତୋଳାଳୀଙ୍କୁ ସମ୍ମାନ ଦେବା ସହ ସଶକ୍ତ କରୁଛି ବିଜେଡି । ଡବଲ ଇଞ୍ଜିନ ସରକାର ମିଛ ପ୍ରତିଶ୍ରୁତି ଦିଅନ୍ତି, ଅପପ୍ରଚାର କରନ୍ତି । ଓଡ଼ିଶାରୁ ନକ୍ସଲ ସମସ୍ୟା ଦୂର କରିଛନ୍ତି ମୁଖ୍ୟମନ୍ତ୍ରୀ । କିନ୍ତୁ ଛତିଶଗଡରେ ଡବଲ ଇଞ୍ଜିନ ସରକାରରେ ବୋମା ଫୁଟୁଛି, ନକ୍ସଲ ସମସ୍ୟା ଲାଗି ରହୁଛି । ଏହାସହ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେଇ ନବୀନଙ୍କ ହାତକୁ ଟାଣ କରିବାକୁ ଅପିଲ କରିଛନ୍ତି ପାଣ୍ଡିଆନ ।