ଏୟାର ଇଣ୍ଡିଆ ବିମାନ ସେବାରେ ହଇଚଇ । ହଠାତ୍ ସମୂହ ଛୁଟିରେ ପଳାଇଲେ ପାଇଲଟଙ୍କ ସହ ୩ଶହ କ୍ରୁ ମେମ୍ବର । ୭୮ ଫ୍ଲାଇଟ୍ ଉଡାଣ ବନ୍ଦ ।

313

କନକ ବ୍ୟୁରୋ: ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସରେ ଯାତ୍ରା କରୁଥିବା ଯାତ୍ରୀ ଆଜି ହଟହଟା ହୋଇଛନ୍ତି । କାରଣ ସକାଳୁ ଏହି ଦୁଇ ଏୟାରଲାଇନ୍ସର ୮୬ଟି ବିମାନ ଉଡ଼ାଣ ବାତିଲ ହୋଇଛି । କାରଣ ଅନେକ ପାଇଲଟଙ୍କ ସହ ପାଖାପାଖି ୩୦୦ କ୍ରୁ ମେମ୍ବର୍ସ ଏକକାଳୀନ ସିକ୍ ଲିଭ୍ ନେଇ ଛୁଟିରେ ଯାଇଛନ୍ତି । ତେବେ ଏତେ ସଂଖ୍ୟକ କ୍ରୁ ମେମ୍ବର୍ସ ହଠାତ ଏଭଳି ପଦକ୍ଷେପ କାହିଁକି ନେଇଛନ୍ତି ତାହା ଏଯାଏଁ ଜଣାପଡିନାହିଁ ।

ମିଳିଥିବା ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ ମିଶିବାକୁ ଯାଉଥିବାରୁ ଉଭୟ ଏୟାରଲାଇନ୍ସର ପାଇଲଟ ଓ କ୍ୟାବିନ୍ କ୍ରୁ ମାନେ ନିଜ ଚାକିରି ପ୍ରତି ବିପଦ ଅନୁଭବ କରି ପ୍ରତିବାଦ କରିଥିଲେ । ସେଥିପାଇଁ ସମସ୍ତେ ବିରୋଧ କରୁଛନ୍ତି। ଗତକାଲି ରାତିରୁ ଆନ୍ଦୋଳନ ଜୋରଦାର ହୋଇଥିବାରୁ ପାଇଲଟ୍ ଓ ଅନ୍ୟ କର୍ମଚାରୀ ସମୂହ ଛୁଟିରେ ଯାଇଛନ୍ତି ।

ଯେତେବେଳେ ଏୟାର ଇଣ୍ଡିଆ କେନ୍ଦ୍ର ସରକାରଙ୍କ ଅଧିନରେ ଥିଲା, ସେତେବେଳେ ଅନେକ ୟୁନିୟନ ପାଇଲଟ ଏବଂ କ୍ୟାବିନ୍ କ୍ରୁଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟରତ ଥିଲେ, କିନ୍ତୁ ବର୍ତ୍ତମାନ ଘରୋଇ ହେବା ପରେ ଏହି ୟୁନିୟନ ଗୁଡ଼ିକର କିଛି ଗୁରୁତ୍ୱ ନାହିଁ । ଏହି ସବୁ କାରଣରୁ ଏୟାରଲାଇନ୍ସ କର୍ମଚାରୀମାନେ ଅସନ୍ତୁଷ୍ଟ ହୋଇ ପ୍ରତିବାଦ କରୁଛନ୍ତି। ଫଳରେ ସୋମବାର ସନ୍ଧ୍ୟାରୁ ଅନେକ ବିମାନ କର୍ମଚାରୀ ଅସୁସ୍ଥ ଏବଂ କ୍ରୁ ମେମ୍ବର ଅସୁସ୍ଥ ଥିବା ଦର୍ଶାଇଥିଲେ । ତେଣୁ କୋଚି, କାଲିକଟ ଏବଂ ବେଙ୍ଗାଲୁରୁ ସମେତ ବିମାନବନ୍ଦରରେ ଅନେକ ବିମାନ ବାତିଲ କରାଯାଇଥିଲା। ଖୁବଶୀଘ୍ର ସମସ୍ୟାର ସମାଧାନ ନହେଲେ ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ଅନେକ ବିମାନ ବାତିଲ କରାଯିବ ବୋଲି ସୂଚନା ରହିଛି ।