ସିବିଆଇ ଚଢାଉ ପରେ ସିସୋଦିଆଙ୍କ ସାମ୍ବାଦିକ ସମ୍ମିଳନୀ । କହିଲେ ଆପର ଲୋକପ୍ରିୟତାରେ ଭୟଭୀତ ମୋଦି ସରକାର

90

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତିରେ ଅର୍ଥ ହେରଫେର ଓ ବଡ ଧରଣର ଦୁର୍ନୀତି ଅଭିଯୋଗ ଆସିବା ପରେ ସିବିଆଇ ସ୍କାନରରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ । ଶୁକ୍ରବାର ସିସୋଦିଆଙ୍କ ଘର, କାର୍ଯ୍ୟାଳୟ ଉପରେ ଚଢାଉ କରିଛି ସିବିଆଇ । ଏହା ପରେ ଶନିବାର ସାମ୍ବାଦିକ ସମ୍ମିଳନୀ କରି ସିସୋଦିଆ ନିଜ ବୟାନ ଜାରି କରିଛନ୍ତି । ସିସୋଦିଆ କହିଛନ୍ତି ବିଜେପି ପ୍ରକୃତରେ ଆମ ଆଦମୀ ପାର୍ଟିର ସଫଳତା ଓ ଲୋକପ୍ରିୟତାକୁ ନେଇ ବିଚଳିତ ହୋଇପଡିଛି । କେଜ୍ରିୱାଲଙ୍କୁ ରୋକିବାକୁ ପ୍ରୟାସ କରି ଏଭଳି ଚଢାଉ କରାଯାଉଛି ।

ଏଥିସହ ସିସୋଦିଆ ଏକଥା ମଧ୍ୟ ଦୃଢୋକ୍ତିର ସହ କହିଛନ୍ତି କି ନୂଆ ଅବକାରୀ ନୀତିରେ କୌଣସି ପ୍ରକାରର ଘୋଟାଲ ନାହିଁ । ଭଲ କାମକୁ ରୋକିବା ପାଇଁ କେନ୍ଦ୍ର ସରକାର ଚେଷ୍ଟା କରିବା ସହ ଆପକୁ ବଦନାମ କରାଯାଉଛି । ୨ରୁ ୩ଦିନ ମଧ୍ୟରେ ଗିରଫ ମଧ୍ୟ କରାଯାଇପାରେ ବୋଲି ସିସୋଦିଆ ଆଶଙ୍କା ପ୍ରକାଶ କରିଛନ୍ତି ।

ସେପଟେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକ ସମ୍ମିଳନୀ କରି ଆମ ଆଦମୀ ପାର୍ଟିକୁ ପାଲଟା ଜବାବ ଦେଇଛନ୍ତି । ସେ କହିଛନ୍ତି କି ଦିଲ୍ଲୀ ଅବକାରୀ ନୀତିର ମୁଖ୍ୟ ଅଭିଯୁକ୍ତ ଅରବିନ୍ଦ କେଜ୍ରିୱାଲ । ୨୪ଘଂଟା ଭିତରେ କେଜ୍ରିୱାଲ ସର୍ବ ସମ୍ମୁଖକୁ ଆସନ୍ତୁ ଓ ଘଟଣା ବାବଦରେ ଜବାବ ରଖନ୍ତୁ ।

କେଜ୍ରିୱାଲଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଉଭୟ ସିସୋଦିଆ ଓ କେଜ୍ରିୱାଲ ଅବକାରୀ ନୀତିରେ ବଡ ଘୋଟାଲା କରିଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏଥିସହ ଦିଲ୍ଲୀ ସରକାର ମଦ ମାଫିଆଙ୍କୁ ୧୪୪ କୋଟି ଟଙ୍କା ଛାଡ କଣ ପାଇଁ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଶୁକ୍ରବାର ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ଚଢାଉ କରିଥିଲା । ୧୪ ଘଂଟାର ଚଢାଉରେ ସିବିଆଇ ସିସୋଦିଆଙ୍କ ଫୋନ ଓ ଲାପଟପ ଜବତ କରିଛି । ସିସୋଦିଆଙ୍କ ବ୍ୟତିତ ପୂର୍ବତନ ଏକ୍ସାସାଇଜ କମିଶନର, ଡେପୁଟି କମିଶନର, ଆସିଷ୍ଟାଂଟ କମିଶନର ଓ ୯ଜଣ ବ୍ୟବସାୟଙ୍କୁ ନାଁରେ ମାମଲା ରୁଜୁ କରିଛି ସିବିଆଇ । ସିବିଆଇ ଅଭିଯୋଗ କରିଛି କି ସିସୋଦିଆ ଓ ଅନ୍ୟ ଅଭିଯୁକ୍ତ ସରକାରୀ କର୍ମଚାରୀମାନେ ଟେଣ୍ଡର ପରେ ଲାଇସେନ୍ସଧାରୀଙ୍କୁ ଅତ୍ୟାବଶକୀୟ ସୁବିଧା ଦେଇଛନ୍ତି । ଏହା ପାଇଁ ଦକ୍ଷ ଅଧୀକାରୀଙ୍କ ଅନୁମୋଦନ ବିନା ଏକ୍ସାଇଜ ପଲିସି ୨୦୨୧-୨୨ ସମ୍ବନ୍ଧୀୟ ସୁପାରିସ ଓ ନିଷ୍ପତି ନେଇଛନ୍ତି । ସିବିଆଇ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟର ମୋଟ ୩୧ଟି ସ୍ଥାନରେ ଚଢାଉ କରିଛି । ଚଢାଉ ସମୟରେ ଦସ୍ତାବିଜ, ଡିଜିଟାଲ ରେକର୍ଡ ସହ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସିବିଆଇ ହାତରେ ଲାଗିଛି ।