ଆଇଏଏସ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ର । ରୂପାନ୍ତରିତ ଓଡ଼ିଶା ଗଠନ ପାଇଁ ଦେଲେ ଆହ୍ୱାନ, ତୃଣମୂଳସ୍ତରରେ ବିକାଶମୂଳକ କାର୍ଯ୍ୟ ପହଞ୍ଚାଇବାକୁ ଜିଲ୍ଲା ମଧ୍ୟରେ ହେଉ ପ୍ରତିଯୋଗିତା ।

109

କନକ ବ୍ୟୁରୋ : ଆରମ୍ଭ ହୋଇଛି ଦୁଇଦିନିଆ ଆଇଏଏସ ସମ୍ମିଳନୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବା ସହ ସଶକ୍ତ ଓଡ଼ିଶା ଗଠନ କରିବାକୁ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, କମ ସମୟ ମଧ୍ୟରେ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଓ ଲୋକଙ୍କ ପାଖରେ ପହଞ୍ଚୁଛି ତାହା ଫୋକସରେ ରହିବା ଆବଶ୍ୟକ । ଆଉ ଏହି ଲକ୍ଷ୍ୟ ହାସଲ ପାଇଁ ଜିଲ୍ଲା ଗୁଡିକ ମଧ୍ୟରେ ପ୍ରତିଯୋଗିତା ମନୋଭାବ ରହିବା କଥା । କ୍ରୀଡା, ସ୍ୱାସ୍ଥ୍ୟସେବା, ସ୍କୁଲ ରୂପାନ୍ତରଣ, ମହିଳା ସଶକ୍ତିକରଣ, ଦକ୍ଷତା ବିକାଶ, ଫସଲ ଉତ୍ପାଦନ, କୋଭିଡ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅନୁକରଣୀୟ ମଡେଲ ପାଲଟିଛି ।

୫-ଟି ଓ ମୋ ସରକାର ଜରିଆରେ କେବଳ ପରିବର୍ତ୍ତନ ଆସିନି ବରଂ ଲୋକଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚି ପାରୁଛି । ଜିଲ୍ଲାସ୍ତରରେ ଅଧିକାରୀ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚି ସମସ୍ୟା ବୁଝିବା ସହ ଏହାକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଜରିଆରେ କିଭଳି ଦ୍ରୁତ ଗତିରେ ସମାଧାନ କରାଯାଇପାରିବ ସେ ଦିଗରେ କାର୍ଯ୍ୟ କରିବା ଆବଶ୍ୟକ ।

ଓଡ଼ିଶା ଏବେ ଖାଦ୍ୟ ବଳକା ରାଜ୍ୟ ଭାବେ ଉଭା ହୋଇଛି । ଜାତୀୟ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଓଡ଼ିଶା ପ୍ରମୁଖ ଭୂମିକା ତୁଲାଉଛି । ଓଡ଼ିଶାର ମିଲେଟ ମିଶନ ଏବେ ଜାତୀୟ ସ୍ତରରେ ପୋଷକ ବୃଦ୍ଧିରେ ସହାୟକ ହେଉଛି । ଏହା ଗ୍ରାମାଞ୍ଚଳ ଅର୍ଥନୀତିର ନୂଆ ସଞ୍ଜିବନୀ ସାଜିଛି । ତେଣୁ ଏହି କ୍ଷେତ୍ରରେ ଆହୁରି ଉନ୍ନତ ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି ।

ସେହିଭଳି ରାଜ୍ୟର ଆର୍ଥିକ ବିକାଶରେ ଷ୍ଟାର୍ଟଅପର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ଷ୍ଟାର୍ଟଅପକୁ ଆଗକୁ ନେବାକୁ ସରକାର ସହଯୋଗ ଜାରି ରଖିଛନ୍ତି । ଷ୍ଟାର୍ଟଅପ୍ କ୍ଷେତ୍ରରେ ଦେଶର ଶ୍ରେଷ୍ଠ-୩ ରାଜ୍ୟରେ ଓଡ଼ିଶାକୁ ସାମିଲ କରିବାକୁ ସରକାର ପ୍ରୟାସ କରୁଛନ୍ତି । ସେହିଭଳି ମହିଳା ସଶକ୍ତିକରଣ ଦିଗରେ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ମିଶନ ଶକ୍ତି ଗୋଷ୍ଠୀକୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପରିଣତ କରିବା ସହ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରି ମହିଳାଙ୍କୁ ନୂଆ ଦିଶା ଦେଖାଇଛନ୍ତି । ଆଗାମୀ ୫ ବର୍ଷ ମଧ୍ୟରେ ୫୦ ହଜାର କୋଟିର ଋଣ ମିଶନ ଶକ୍ତି ମହିଳାଙ୍କୁ ଦେବାକୁ ଲକ୍ଷ୍ୟ ରଖାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ବିଦ୍ୟାଳୟ ରୂପାନ୍ତରଣ, ପର୍ଯ୍ୟଟନକୁ ଫୋକସ, କ୍ରୀଡାର ବିକାଶ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର ।