ସାଇକେଲ ବାଣ୍ଟିବ ଗୃହ ନଗର ଉନ୍ନୟନ ବିଭାଗ: ୮ ହଜାର ସ୍ୱୟଂ ସହାୟକ ମହିଳା, ଟ୍ରାନ୍ସଜେଣ୍ଡର, ଅଳିଆ ଉଠାଳିଙ୍କୁ ଦିଆଯିବ ସାଇକେଲ

115

କନକ ବ୍ୟୁରୋ: ୮ ହଜାର ସ୍ୱୟଂ ସହାୟକ ମହିଳା, ଟ୍ରାନ୍ସଜେଣ୍ଡର ଓ ଅଳିଆ ଉଠାଳିଙ୍କୁ ସାଇକେଲ ବାଣ୍ଟିବ ଗୃହ ନଗର ଉନ୍ନୟନ ବିଭାଗ । ଯେଉଁମାନେ ନଗର ବିଭାଗ ଅଧୀନରେ ଥିବା ବିଭିନ୍ନ ସଂସ୍ଥାରେ କାମ କରୁଛନ୍ତି, ସେମାନଙ୍କ ଗମନାଗମନ ସୁବିଧା ପାଇଁ ସାଇକେଲ ଦିଆଯିବ ବୋଲି କହିଛନ୍ତି ବିଭାଗୀୟ ସଚିବ । ସେହିପରି ଡିସେମ୍ବର ୨୦୨୩ ସୁଦ୍ଧା ଜାଗା ମିଶନ ଅଧୀନରେ ଲକ୍ଷେ ଲୋକଙ୍କୁ ଜମି ପଟ୍ଟା ଯୋଗାଇ ଦିଆଯିବ । ୫ଟି ସହର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଭଳି ସହରର ଲୋକଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ ।

ଡ୍ରିଙ୍କ ଫର୍ମ ଟ୍ୟାପ ୱାଟରରେ ପୁରୀରେ ଶତ ପ୍ରତିଶତ କାମ କରୁଥିବା ବେଳେ ଭୁବନେଶ୍ୱର,କଟକ, ଗୋପାଳପୁରରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି । ହରଘରପାଣି ସ୍କିମ ବି ଦ୍ରୁତ ଗତିରେ କାର୍ଯ୍ୟ କରାଯାଉ ଥିବା କହିଛନ୍ତି ବିଭାଗୀୟ ସଚିବ । ସେହିପରି ବିଜୁ ଆଦର୍ଶ କଲୋନି ଯୋଜନା ଅଧିକ ତ୍ୱରାନ୍ୱିତ କରିବା ସହ ସେଠାରେ କମ୍ୟୁନିଟି ଟଏଲେଟ ବଦଳରେ କ୍ଲଷ୍ଟର ଟଏଲେଟ ପାଇଁ ଯୋଜନା କରାଯାଇଛି ଯାହାର ନାମ ରହିଛି ମୋ ଟଏଲେଟ ଯୋଜନା । ଏଥିପାଇଁ ହିତାଧିକାରୀଙ୍କୁ ୧୬ ହଜାର ଟଙ୍କା ସବସଡି ଆକାରରେ ଯୋଗାଇ ଦିଆଯିବ ।