‘ପରିବାର’ଠାରୁ ହାରିଗଲା ‘ସରକାର’, ମୈନପୁରୀରେ ଏକଜୁଟ ହେଲା ମୁଲାୟମଙ୍କ ପରିବାର।

266

କନକ ବ୍ୟୁରୋ : ବିଜେପି ମୈନପୁରୀ ଇତିହାସରେ ଜୋରଦାର ପ୍ରଚାର କେବେହେଲେ କରିନଥିବ । ସିଏମ ଯୋଗୀ ଆଦିତ୍ୟନାଥ ଦୁଇ ଦୁଇଥର ମଧ୍ୟ ମୈନପୁରୀରେ ରାଲି କରିଥିଲେ । କେଶବ ପ୍ରସାଦ ମୌର୍ଯ୍ୟ ତ ଏଠାରେ ପୂରା ଡେରାପକାଇ ରହିଥିଲେ । ପ୍ରାର୍ଥୀ ରଘୁରାଜଙ୍କ ପାଇଁ ନିଜର ସମସ୍ତ ପ୍ରକାର ଶକ୍ତି ଲଗାଇଥିଲା ଦଳ । ବିଜେପି ତମାମ ନେତା ଏବଂ ଯୋଗୀ ସରକାରଙ୍କ ଏକ ଡଜନରୁ ଅଧିକ ମନ୍ତ୍ରୀ ରଘୁରାଜଙ୍କୁ ଜିତାଇବା ପାଇଁ ଏକାଠି ହୋଇଥିଲେ । ପ୍ରଦେଶରେ ସରକାରରେ ଥିବା କାରଣରୁ ପ୍ରଶାସନ ମଧ୍ୟ ନିଜର ସମର୍ଥନ ରଖିଥିଲା, ଅଭିଯୋଗ ଏହା ମଧ୍ୟ ଯେ ପ୍ରଶାସନର ଅନେକ ଜଣ ଲୋକଙ୍କୁ ଭୋଟଦେବା ପାଇଁ ରୋକିଥିଲେ । ଅନେକସ୍ଥାନରେ ପୋଲିସ ଲୋକଙ୍କୁ ଘରେ ରହିବା ପାଇଁ କିମ୍ବା ଜିଲ୍ଲାରୁ ବାହାରକୁ ଯିବା ପାଇଁ କହିଥିଲା । ସେହିଭଳି ଅନେକ ସ୍ଥାନରେ ଲୋକଙ୍କୁ ଅପହରଣର କଥା ମଧ୍ୟ ଦେଖିବାକୁ ମିଳିଥିଲା । ଏନେଇ ସପା ନିର୍ବଚନ ଆୟୋଗଙ୍କ ପାଖରେ ଅଭିଯୋଗ ମଧ୍ୟ କରିଥିଲା । ତେଣୁ ଏଥିରୁ ବୁଝିବାକୁ ପଡିବ ଯେ ମୈନପୁରୀ ଆସନ ଜିତିବା ପାଇଁ ବିଜେପି କେତେ ଉଦ୍ୟମ କରିଥିଲା ।

ସପାର ଗଡ କୁହାଯାଇଥିବା ବିଭିନ୍ନ ଲୋକସଭା କ୍ଷେତ୍ରରେ ବିଜେପି ନିଜର ବିଜୟବାନା ଉଡାଇସାରିଛି । କନୌଜ, ଫିରୋଜାବାଦ, ଫାରୁଖାବାଦ, ବଦାୟୁ, ଇଟାୱା, ଆଜମଗଡ, ରାମପୁର ଅଞ୍ଚଳରେ ବିଜେପିର ସାଂସଦ ରହିଛନ୍ତି । ମୈନପୁର ସୈଫଇ ପରିବାରର ଆସନ ଭାବେ ଗଣାଯାଇଥାଏ । ମୁଲାୟମ ସିଂହ ଯାଦବଙ୍କ ଠାରୁ ନେଇ ଧର୍ମେନ୍ଦ୍ର ଯାଦବ ଏବଂ ତେଜପ୍ରତାପ ଯାଦବ ଏଠାରୁ ସାଂସଦ ରହିସାରିଛନ୍ତି । ଏହା କାରଣ ଯେ ବିଜେପି ଏହି ଆସନ ଜିତି ସାରା ଦେଶରେ ନୂଆ ରାଜନୈତିକ ସନ୍ଦେଶ ଦେବା ପାଇଁ ଚାହୁଥିଲା । ଏବଂ ୨୦୨୪ ପାଇଁ ପ୍ରଦେଶରେ ଏକ ମଜବୁତ ରାଜନୈତିକ ଆଧାର ପ୍ରତିଷ୍ଠା କରିବା ପାଇଁ ଚାହୁଁଥିଲେ ।

ମୈନପୁରୀ ସିଟକୁ ବଞ୍ଚାଇବା ପାଇଁ ସପା ମୁଖ୍ୟ ଅଖିଲେଶ ଯାଦବ ସବୁ ପ୍ରକାର ଉଦ୍ୟମ କରିଥିଲେ । ନାମାଙ୍କନ ପରେ ସେ ମୈନପୁରୀରେ ଡେରାପକାଇ ରହିଥିଲେ । ସେହିଭଳି ତାଙ୍କ ଦାଦା ଶିବପାଲ ଯାଦବଙ୍କ ସହ ସେ ରଖିଥିବା ସମସ୍ତ ବିବାଦକୁ ପଛରେ ପକାଇ ତାଙ୍କୁ ଗ୍ରହଣ କରିନେଇଥିଲେ । ଗତ ନିର୍ବାଚନରେ ଗୋଟିଏ ଦୁଇଟି ସଭା କରିଥିବା ସୈଫେଇ ପରିବାର ଚଳିତ ନିର୍ବାଚନରେ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଥିଲେ । ଡିମ୍ପଲ ଯାଦବଙ୍କ ନାଁ ପ୍ରାର୍ଥୀ ଭାବେ ଘୋଷଣା ହେବା ପରେ ଅଖିଲେଶ ଯାଦବ ପୂରା ଉପନିର୍ବାଚନର କମାଣ ନିଜେ ସମ୍ଭାଳି ଥିଲେ । ଏମିତି ପ୍ରଚାର କଲେ ଯେ କରହଲ ଆସନରୁ ନିଜ ପାଇଁ ସେ ନିର୍ବାଚନ ପ୍ରଚାର କରିପାରିନଥିଲେ ।

ସପା ନିଜ ଘରର ଆସନକୁ ବଞ୍ଚାଇ ନିଜର ଦବଦବା ଜାହିର କରିଥିଲେ । ମୁଲାୟମ ସିଂହ ଯାଦବ ଏଠାରୁ ପାଞ୍ଚ ଥର ସାଂସଦ ରହିଥିଲେ । ମୈନପୁରୀ ସିଟ ବାହାନାରେ ପ୍ରତ୍ୟେକ୍ଷ ଭାବରେ ସୈଫଇ ପରିବାରର ପ୍ରତିଷ୍ଠା ବାଜିରେ ଲାଗିଥିଲା । ଏହିଭଳି ସ୍ଥିତିରେ ମୈନପୁରୀ ଆସନ ହରାଇବାର ପ୍ରଭାବ ସିଧା ଅଖିଳେଶ ଯାଦବଙ୍କ ରାଜନୈତିକ ଭବିଷ୍ୟତ ଉପରେ ପଡିଥାନ୍ତା । ଏଥିପାଇଁ ଲମ୍ବା ସମୟ ଧରି ଚାଲିଥିବା ରାଜନୈତିକ ବିବାଦକୁ ଭୁଲି ଅଖିଲେଶ ନିଜ ଦାଦା ଶିବପାଲ ଯାଦବ ସହ ଏକାଠି ହୋଇଥିଲେ । ଦାଦା-ପୁତୁରାଙ୍କ ଏକତା ବିଜେପି ପାଇଁ ମୈନପୁରୀ ଆସନରେ ହାରିବାର ପ୍ରମୁଖ କାରଣ ପାଲଟିଥିଲା ଡିମ୍ପଲ ଯାଦବ ପୁଣି ଥରେ ସାଂସଦ ହେବାରେ ସଫଳ ହୋଇଛନ୍ତି । ଡିମ୍ପଲଙ୍କ ରାଜନୈତିକ ଜୀବନର ଏହା ସବୁଠାରୁ ବଡ ବିଜୟ । ଡିମ୍ପଲଙ୍କୁ ଏଠାରେ ୬ ଲକ୍ଷ ୧୮ ହଜାର ୧୨୦ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରଘୁରାଜଙ୍କୁ ୩ ଲକ୍ଷ ୨୯ ହଜାର ୬୫୯ ଭୋଟ ମିଳିଥିଲା । ସପା ଏଠାରେ ବିଜେପିକୁ ୨ ଲକ୍ଷ ୮୮ ହଜାର ୪୬୧ ଭୋଟରେ ପରାସ୍ତ କରିଛି ।