ବଢ଼ିଲା ବାତ୍ୟା ଭୟ : ଆସନ୍ତାକାଲି ଲଘୁଚାପରେ ପରିଣତ ହେବ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ

841

କନକ ବ୍ୟୁରୋ : ଦକ୍ଷିଣ ଆଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବା ପରେ କେମିତି ରହିଛି ସମୁଦ୍ର ଭିତରର ଅବସ୍ଥା । ମହାକାଶରୁ ଉପଗ୍ରହ ମାଧ୍ୟମରେ ଉଠାଯାଇଥିବା ଏହି ଫଟୋ ସମୁଦ୍ର ଭିତରର ସ୍ଥିତିକୁ ବୟାନ କରୁଛି । ଫଟୋରୁ ଜଣାପଡୁଛି ସମୁଦ୍ର ଭିତରେ ହଲଚଲ ଆରମ୍ଭ ହୋଇଯାଇଛି । ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପର ରୂପ ନେବାକୁ ଥିବାରୁ ଧିରେ ଧିରେ ସମୁଦ୍ର ଭିତର ଅଶାନ୍ତ ହେଉଛି । ଏବଂ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଉତର ପଶ୍ଚିମ ଦିଗକୁ ଗତି କରି ୮ ତାରିଖରେ ଅବପାତରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ତେବେ ଏହାପରେ ଲଘୁଚାପ ବାତ୍ୟାର ରୂପ ନେବ କି ନାହିଁ, ଯଦି ହେବ କେତେ ଭୀଷଣ ହେବ, କୁଆଡେ ଯିବ, କେଉଁଠି ସ୍ଥଳଭାଗ ଛୁଇଁବ, ସ୍ଥଳଭାଗ ଛୁଇଁବା ସମୟରେ ଏହାର ପ୍ରକୋପ କେତେ ଥିବ, ଏନେଇ ଚିତ୍ର ସ୍ପଷ୍ଟ ହୋଇନି । ଲଘୁଚାପ ହେବା ପରେ ବାତ୍ୟା ନେଇ ସଠିକ ଆକଳନ କରିହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ମେ ମାସରେ ସୃଷ୍ଟି ହେଉଥିବା ଲଘୁଚାପ ବାତ୍ୟାରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ । ତେବେ ଆସନ୍ତାକାଲି ପରେ ଏହାର ଗତିପଥ ଜାଣିହେବ ।