ୟୁରୋପ ଗସ୍ତର ଶେଷ ଦିନରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ । ପୁଣି ଥରେ ନିର୍ବାଚିତ ହେବା ପରେ ମାକ୍ରନଙ୍କୁ ଜଣାଇଲେ ଶୁଭେଚ୍ଛା

96

କନକ ବ୍ୟୁରୋ : ୟୁରୋପ ଗସ୍ତର ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ଭେଟିଛନ୍ତି । ଦୁଇ ରାଷ୍ଟ୍ରମୁଖ୍ୟ ଭେଟିବା ସମୟର ଚିତ୍ର ସାମ୍ନାକୁ ଆସିଛି । ପରସ୍ପରକୁ ଆଲିଙ୍ଗନ କରିଛନ୍ତି । ଏହି ଫଟୋକୁ ପ୍ରଧାମମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟରରେ ପୋଷ୍ଟ କରାଯାଇଛି । ପ୍ୟାରିସରେ ଫ୍ରାନ୍ସର ନବନିର୍ବାଚିତ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଭେଟିଛନ୍ତି ଭାରତର ପ୍ରଧାନମନ୍ତ୍ରୀ । ଲଗାତାର ଦ୍ୱିତୀୟ ଥର ପାଇଁ ଫ୍ରାନ୍ସର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ମାକ୍ରୋନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୋଦୀ । ଗତ ଏପ୍ରିଲରେ ଫ୍ରାନ୍ସର ରାଷ୍ଟ୍ରପତି ନିର୍ବାଚନ ପରେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ରାଷ୍ଟ୍ରପତି ମାକ୍ରୋନଙ୍କ ସହ ଆଲୋଚନା କରିବାରେ ବିଶ୍ୱର ପ୍ରଥମ ନେତା ହେଉଛନ୍ତି ନରେନ୍ଦ୍ର ମୋଦୀ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସର ରାଜଧାନୀ ପ୍ୟାରିସ ଏୟାରପୋର୍ଟରେ ପହଂଚିବା ପରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା । ଏୟାରପୋର୍ଟରୁ ସିଧା ପ୍ରଧାନମନ୍ତ୍ରୀ ହୋଟେଲ ପ୍ଲାଜା ଏଥେନୀକୁ ଯାଇଥିଲା । ହୋଟେଲ ବାହାରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଏକାଠି ହୋଇଥିଲେ ପ୍ରବାସୀ ଭାରତୀୟ । ହାତରେ ତ୍ରିରଙ୍ଗା ଧରି, ବାଜା ବଜାଇ ଭାରତ ମାତା କି ଜୟ, ବନ୍ଦେ ମାତାରମ ନାରା ଦେଇ ମୋଦୀଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ସେଠାରେ ଉପସ୍ଥିତ ଛୋଟ ଛୋଟ ପିଲାଙ୍କ ପାଖକୁ ଯାଇ ପ୍ରଧାନମନ୍ତ୍ରୀ, ଅଟୋଗ୍ରାଫ ଦେଇଥିଲେ । ମୋଦୀଙ୍କୁ ଦେଖିବା ପାଇଁ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।