ଖୁଲମ ଖୁଲା ଚାଲିଛି ବେଆଇନ ମଦ କାରବାର: ପାନ ଓ ଜଳଖିଆ ଦୋକାନରେ ବି ମିଳୁଛି ମଦ

254

କନକ ବ୍ୟୁରୋ: ଖଲ୍ଲିକୋଟରେ ଖୁଲମ ଖୁଲା ଚାଲିଛି ବେଆଇନ ମଦ କାରବାର । ପୋଲିସ ଓ ଅବକାରୀ ବିଭାଗର ମଧୁଚନ୍ଦ୍ରିକା ବେଆଇନ୍ ମଦ କାରବାର ଚାଲିଥିବା ଅଭିଯୋଗ ହୋଇଛି । ଷ୍ଟିଙ୍ଗ ଅପରେସନରେ ପଦାକୁ ଆସିଛି ଅସଲ ସତ । କେଉଁଠି ଜଳଖିଆ ଦୋକାନ ତ କେଉଁଠି ହୋଟେଲ ଅଉ କେଉଁଠି ପାନ ଦୋକାନରେ ଚାଲିଛି ମଦ ବେପାର । ଆପଣ ଦେଖୂଥିବା ଏହି ଜଳଖିଆ ଦୋକାନ ହେଉଛି ଖଲ୍ଲିକୋଟ ଥାନା ୧୬ ନଂ ଜାତୀୟ ରାଜପଥ ଲଙ୍ଗଲେଶ୍ୱରର । ବାହାରକୁ ଦେଖିଲେ ଲାଗିବ ଇଏ ହେଉଛି ଜଳଖିଆ ଦୋକାନ କିନ୍ତୁ ଭିତରେ ଖୁଲମ ଖୁଲା ଚାଲିଛି ମଦ ବେପାର । ଆଉ ଜଳଖିଆ ଦୋକାନରେ ରହିଛି ପେଟି ପେଟି ମଦ । ଆଉ ବ୍ୟବସାୟ ପାଇଁ ରହିଛନ୍ତି ଅଲଗା ଲୋକ ।

ସେହିଭଳି କହ୍ନେଇପୁର ଛକରେ ଥିବା ଦୁଇଟି ହୋଟେଲରେ ମଧ୍ୟ ଚାଲିଛି ମଦ କାରବାର । ୧୬ ନଂ ଜାତୀୟ ରାଜପଥରେ ବାର ଭଳି ବିକ୍ରି ହେଉଛି ମଦ । ସବୁ ଜାଣି ପୋଲିସ ଚୁପ, ଅବକାରୀ ବିଭାଗ ବି ଚୁପ । ସେହିଭଳି ବାଗଲପୁର ଛକରେ ପାନ ଦୋକାନରେ ମଦ କାରବାର ଚାଲୁଥିବା ଜଣାପଡ଼ିଛି । ଏପରିକି ହାତ ତିଆରି ନକଲି ମଦ ମିଳୁଥିବା ଅଭିଯୋଗ ହୋଇଛି । ତେବେ ଦିନକୁ ଦିନ ନକଲି ମଦ କାରବାର ଚାଲିଥିବା ବେଳେ ଖଲ୍ଲିକୋଟ ଅଂଚଳରେ ମଦ ମୃତ୍ୟର ଆଶଙ୍କା ଦେଖାଇ ଦେଇଛି । ତେବେ ପୋଲିସ ଓ ଅବକାରୀ ବିଭାଗର ମିଳିତ ସହଯୋଗରେ ଖଲ୍ଲିକୋଟ, ବେଗୁନିଆପଡା ଓ କୋଦଳା ଅଂଚଳରେ ୧୦୦ରୁ ଉର୍ଦ୍ଧ ବେଆଇନ ଦେଶୀ ବିଦେଶୀ ମଦ ଦୋକନ ଚାଲିଥିବା ଅଭିଯୋଗ ହୋଇଛି । ତେବେ ବଡ ଧରଣର ଚଢାଉ ହେଲେ ଏହି ବେଆଇନ ଦେଶୀ ଓ ବିଦେଶୀ ନକଲି ମଦ କାରବାରକୁ ରୋକା ଯାଇପାରନ୍ତା ବୋଲି କହିଛନ୍ତି ବୁଦ୍ଧିଜୀବି ।