ବୟସର ଅପରାହ୍ନରେ ଅସହାୟ ବୃଦ୍ଧା: ସ୍ୱାମୀ ଚାଲିଯିବା ପରେ ଗାଁ ଲୋକଙ୍କ ସହାୟତାରେ କାଟୁଛନ୍ତି ଜୀବନ

102

କନକ ବ୍ୟୁରୋ: ସରକାର ଗରିବ ଓ ଅସହାୟ ଲୋକଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି । ହେଲେ ତୃଣମୂଳ ସ୍ତରରେ ଏହି ସବୁ ଯୋଜନାରୁ ବଂଚିତ ହେଉଛନ୍ତି ପ୍ରକୃତ ହିତାଧିକାରୀ । ଯାହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଢେଙ୍କାନାଳ କଙ୍କଡ଼ାହାଡ଼ ବ୍ଲକ ବାଘମୁଣ୍ଡା ଗାଁର ଝୁମର ସିଂହ ନିକଟରେ । ଏହି ବୃଦ୍ଧା ବିଧବା ମହିଳାଙ୍କ ବୟସ ପାଖାପାଖି ୬୦ ଉପରେ ହେଲାଣି । କିନ୍ତୁ ରାସନ ଓ ଆବାସ ଯୋଜନା ଯେମିତି ତାଙ୍କ ପାଇଁ ସାତ ସପନ ପାଲଟିଛି । ୧୦ ବର୍ଷ ହେଲା ସ୍ୱାମୀଙ୍କ ମୃତୁ ପରେ ବେସାହାରା ଜୀବନ ବିତାଉଛନ୍ତି ଏହି ବୃଦ୍ଧା ଜଣକ ।

ମାତ୍ର ୫୦୦ ଟଙ୍କାର ଭତା ପଇସାରେ ମାସ ସାରା ଚଳୁଛନ୍ତି ଝୁମର । ସରକାର ଯୋଗ୍ୟ ହିତାଧିକାରୀ ଚୟନ କରି ଆବାସ ଯୋଜନାରେ ଘର ଯୋଗାଇଦେଉଥିବା ବେଳେ ଝୁମରଙ୍କୁ ବୟସର ଅପରାହ୍ନରେ ଘରଟିଏ ନମିଳିବା ବିଡ଼ମ୍ବନାର ବିଷୟ ହୋଇଛି । ଅନ୍ୟପଟେ ଅଂଟା ଯନ୍ତ୍ରଣା ଯୋଗୁଁ ସେ ଚାଲିପାରୁନାହାନ୍ତି କି କାନକୁ ମଧ୍ୟ ଠିକରେ ଶୁଣାଯାଉନାହିଁ । ଗାଁ ଲୋକେ ଯିଏ ଯାହା ଦେଲା ସେଇଥିରେ ଚଳୁଛନ୍ତି । ତେଣୁ ତାଙ୍କୁ ଆବାସ ଯୋଜନାରେ ଘର, ଖାଦ୍ୟ ସୁରକ୍ଷା ଆଇନରେ ରାସନ କାର୍ଡ ଓ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ସେ ଜିଲ୍ଲାପାଳଙ୍କ ପାଖରେ ନିବେଦନ କରିଛନ୍ତି ।