ତିର୍ତୋଲ ସାରଳା ସୂତାକଳର ପୁନରୁଦ୍ଧାର ପାଇଁ ଆମରଣ ଅନଶନ: ଯୁବ ସମାଜସେବୀଙ୍କ ନେତୃତ୍ୱରେ ୬ଦିନ ହେଲା ଆନ୍ଦୋଳନ ଜାରି

57

କନକ ବ୍ୟୁରୋ: ଜଗତସିଂହପୁର ତିର୍ତୋଲ ଠାରେ ଥିବା ସାରଳା ସୁତାକଳ ପୁନରୁଦ୍ଧାର ପାଇଁ ଆମରଣ ଅନସନ ଜାରି ରହିଛି । ୬ ଦିନ ଧରି ଅନଶନରରେ ବସି ରହିଛନ୍ତି ଯୁବ ସମାଜସେବୀ ତଥା କଂଗ୍ରେସ ନେତା ହିମାଂଶୁ ଭୂଷଣ ମଲ୍ଲିକ ଓ ତାଙ୍କ ସହଯୋଗୀ । ୬ ଦିନ ଧରି ଅନଶନ କାରଣରୁ ତାଙ୍କ ସ୍ୱାସ୍ଥାବସ୍ଥା ବିଗିଡ଼ିବାରେ ଲାଗିଲାଣି । ହେଲେ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ସୁତାକଳର ପୁନରୁଦ୍ଧାର, ଶ୍ରମିକ ପରିବାର ସଦସ୍ୟଙ୍କୁ ଥଇଥାନ ଭଳି ୫ ଦଫା ଦାବି ନେଇ ସୁତାକଳ ଫାଟକ ଆଗରେ ଶୋଇ ରହିଛନ୍ତି ଆନ୍ଦୋଳନକାରୀ ।

ସୂଚନା ଅନୁସାରେ ୧୯୯୯ ମସିହା ମହାବାତ୍ୟା ପରେ ଏହି ସୁତା କଳଟି ବନ୍ଦ ହୋଇଯାଇଥିଲା । ପରବର୍ତି ପର୍ଯ୍ୟାୟରେ ଏହାର ପୁନରୁଦ୍ଧାର ପାଇଁ କୌଣସି ପ୍ରଚେଷ୍ଟା କରାଯାଇନଥିଲା । ଫଳରେ କାରଖାନା ଭିତରେ ଥିବା ଯନ୍ତ୍ରାଂଶ ଗୁଡ଼ିକ ଭାଙ୍ଗିରୁଜି ଭୁତ କୋଠିରେ ପରିଣତ ହୋଇଛି । ଅନ୍ୟପଟେ ରୁଣ ପରିଶୋଧ ହୋଇନଥିବାରୁ ଏହା ବଢି ୪ କୋଟିରୁ ଅଧିକ ଟଙ୍କାରେ ପହଂଚିଛି । ବ୍ୟାଙ୍କ ଦେଇଥିବା ରୁଣ ସୁଧ ବାବଦକୁ ଜମି ଓ ଯନ୍ତ୍ରାଂଶକୁ ଦଖଲକୁ ନେଇଛି । ତେଣୁ ଏହାର ପ୍ରତିବାଦରେ ଦୀର୍ଘ ଦିନ ଧରି ହିମାଂଶୁ ମଲ୍ଲିକଙ୍କ ନେତୃତ୍ୱରେ ଗଣ ଆନ୍ଦୋଳନ, ଦସ୍ତଖତ ଅଭିଯାନ ହୋଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆରମ୍ଭ ହାଇଛି ଅନଶନ ।