ବନ୍ଧା ହେଲେ କୁବେର ବାବୁ । ଗିରଫ ପରେ ସାମନାକୁ ଆସିଲା ଆୟ ବର୍ହିଭୂତ ସମ୍ପତି ଠୁଳ କରିବାର ଗୁମର ।

146

କନକ ବ୍ୟୁରୋ: ଇଡକଲର ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ଅମାପ ସମ୍ପତି ଦେଖି ତାଜୁବ ହୋଇଛି ଭିଜିଲାନ୍ସ । କୋଟିପତି କୁବେର ଅଫିସରଙ୍କ ଘରୁ ବାହାରିଥିବା ନଗଦ ଟଙ୍କା ଗଣିବାକୁ  ଟଙ୍କାଗଣା ମେସିନ ଲାଗିଛି । ଭିଜିଲାନ୍ସ ଯେତିକି ଖୋଳୁଛି ସେତିକି ମିଳିବାରେ ଲାଗିଛି । ଟଙ୍କା ଗଣି ଗଣି ଅଫିସର ହାଲିଆ ହୋଇପଡିଲେଣି ।  ସୁନା ଓ ରୂପା ଦେଖିଲେ ଆଖି ଖୋସି ହୋଇଯିବ । ତା ସାଙ୍ଗକୁ ଭୁବନେଶ୍ୱରରେ ଥିବା ୩ ଓ ୪ ମହଲାର ବିରାଟ କୋଠା ଓ ଜମିଜମା  । ଖାଲି ସେତିକି ନୁହେଁ ବ୍ୟାଙ୍କ ଜମା  ଓ ଗାଡି ଘୋଡା ଦେଖିଲେ ସମସ୍ତେ ଗୟାକୁ କହୁଛନ୍ତି କୋଟିପତି କୁବେର ଅଫିସର ।

ଭିଜିଲାନ୍ସ ଜବତ କରିଥିବା କୁବେରଙ୍କ ସମ୍ପତ୍ତି ତାଲିକା 

  • ଗୟାଙ୍କ ୨୯୦% ଆୟବର୍ହିଭୂତ ସମ୍ପତ୍ତି ଠୁଳ
  • ୧୬ଟି ଆକାଉଣ୍ଟରୁ ୪ଟିରେ ରହିଛି  ୪.୪ କୋଟି  ଟଙ୍କା
  • ଘରୁ  ମିଳିଛି ନଗଦ କୋଟିଏରୁ ଅଧିକ ଟଙ୍କା
  • ବାବୁଙ୍କର ୧୩ ଟି ପ୍ଲଟର ସନ୍ଧାନ ମିଳିଛି
  • ଭୁବନେଶ୍ୱରର ମଧ୍ୟସ୍ଥଳରେ ୭ଟି, ଯାଜପୁରରେ ୫ଟି ଓ ନୟାଗଡରେ ଗୋଟିଏ ପ୍ଲଟ
  • କେଜିଏ ସୁନା ଓ ୬ କେଜିରୁ ଅଧିକ ରୂପା ବି ମିଳିଛି

ଗୟା ସାନ୍ତରାଙ୍କ ଘରୁ ଏତେ ଟଙ୍କାର ନଗଦ ସମ୍ପତି ମିଳିବା  ଓଡିଶା ଭିଜିଲାନ୍ସ ଇତିହାସରେ ଚତୁର୍ଥ ଘଟଣା ବୋଲି କୁହାଯାଉଛି । ତିନିଦିନର ପଚରାଉଚରା ପରେ  ଗୟାଙ୍କୁ ଗିରଫ କରିଛି ଭିଜିଲାନ୍ସ । ତେବେ ମାତ୍ର ୧୩ ଶହ ଟଙ୍କାରେ ସେ ଚାକିରି ଆରମ୍ଭ କରିଥିଲେ  । ଏବେ କୋଟି କୋଟି ଟଙ୍କାର ମାଲିକ ହୋଇଛନ୍ତି  ଗୟା ସାନ୍ତରା । ଗୟା ସାନ୍ତରା କୋରାପୁଟର ସିମୋଗୋଡାରେ ଥିବା  ଆମ୍ପାଭାଲି ଲାଇମ ଷ୍ଟୋନ ମାଇନସରେ କାମ କରୁଥିଲେ  । ଗୟା କିଭଳି ଏତେ ପରିମାଣର ଆୟବର୍ହିଭୂତ ସମ୍ପତିର ମାଲିକ ହେଲେ ? ଯଦି ତାଙ୍କୁ ଘରୁ ୪ କୋଟି ମିଳିଛି  ତେବେ କେତେ ଟଙ୍କାର କାରବାର ହୋଇଛି? ଓ  ସରକାରୀ ତହବିଲକୁ କେତେ ଟଙ୍କାର ସେ କ୍ଷତି ପହଞ୍ଚାଇଛନ୍ତି ? ସେ ନେଇ ବି ପ୍ରଶ୍ନ ଉଠିଛି ।

ଏବେ ଗୟା ସାନ୍ତରା ଗିରଫ ହେବା ପରେ ପ୍ରଶ୍ନ ଉଠୁଛି

  • ଗୟା କେଉଁଠୁ ଆଣିଲେ କୋଟି କୋଟି ଟଙ୍କା?
  • ଟଙ୍କା ଆଦାୟର ସ୍ରୋତ କଣ ଥିଲା?
  • ଠିକାଦାର ନା ଅନ୍ୟ କିଏ ଟଙ୍କା ଦେଇଛି ?
  • ଖଣି ମାଫିଆକୁ ଅନୁକମ୍ପା ଦେଖାଉଥିଲେ କି ଗୟା ସାନ୍ତରା?