ଗୋବିନ୍ଦଙ୍କ ମୃତ୍ୟୁକୁ ନେଇ ତେଜିଲା ରାଜନୀତି । ସିବିଆଇ ତଦନ୍ତ ଦାବି କଲେ ଧର୍ମେନ୍ଦ୍ର । ଜବାବ ରଖିଲା ଶାସକ ବିଜେଡି…

151

କନକ ବ୍ୟୁରୋ: ସାରା ରାଜ୍ୟରେ ଚହଳ ପକାଇଥିବା ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର ତଦନ୍ତକୁ ନେଇ ରାଜ୍ୟ ବିଜେପି ନେତାଙ୍କ ସ୍ୱର ସହ ସ୍ୱର ମିଳାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି । କହିଛନ୍ତି, ଯେଉଁମାନଙ୍କ ପାଖରେ ଆଇନଶୃଙ୍ଖଳା ବିଭାଗ ଅଛି, ସେମାନଙ୍କୁ ଉତ୍ତର ଦେବାକୁ ପଡିବ । ଗୋବିନ୍ଦ ସାହୁ ମୃତ୍ୟୁର ଅନୁସନ୍ଧାନ ନ୍ୟାୟ ସଙ୍ଗତ ହେବା ଉଚିତ୍ । ରାଜ୍ୟ ସରକାର ନିଜର ନିରପେକ୍ଷତା ଏବଂ ସ୍ୱଛତା ପ୍ରମାଣ ପାଇଁ ନିରପେକ୍ଷ ତଦନ୍ତ କରନ୍ତୁ ।

ବିଜେପି ଭଳି କଂଗ୍ରେସ ବି ଗୋବିନ୍ଦ ସାହୁ ଆତ୍ମହତ୍ୟା ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ଦାବି କରିଛି । ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ହାଇକୋର୍ଟ ମନିଟର୍ସ ଏସଆଇଟି ଦ୍ୱାରା ତଦନ୍ତ କରିବାକୁ ଦାବି କରିଛି କଂଗ୍ରେସ । ଏନେଇ କଂଗ୍ରେସର ୫ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । କହିଛନ୍ତି, ଗୋବିନ୍ଦ ସାହୁ ଆତ୍ମହତ୍ୟା କରି ନାହାଁନ୍ତି ବରଂ ତାଙ୍କୁ ମାରି ଦିଆଯାଇଛି । ସେଥିପାଇଁ ତାଙ୍କ ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ ହେବା ଉଚିତ୍ । କୋର୍ଟଙ୍କ ନୀରିକ୍ଷଣରେ ଏସଆଇଟି ଟିମ୍ ଗୋବିନ୍ଦ ସାହୁ ମୃତ୍ୟୁର ତଦନ୍ତ କରନ୍ତୁ ।

ଗୋବିନ୍ଦ ସାହୁଙ୍କ ମୃତ୍ୟୁକୁ ନେଇ ବିରୋଧୀ ସନ୍ଦେହ ପ୍ରକାଶ କରୁଥିବାବେଳେ, ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ଅଭିଯୋଗ କରୁଥିବାବେଳେ, ଜବାବ ରଖିଛି ବିଜେଡି । ବରିଷ୍ଠ ବିଜେଡି ନେତା ଅମର ଶତପଥୀ କହିଛନ୍ତି, ଅସ୍ତିତ୍ୱ ବଞ୍ଚାଇବାକୁ ପ୍ରହେଳିକା କରୁଛନ୍ତି ବିରୋଧୀ । ସିବିଆଇ ଓ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ସଂସ୍ଥା । ତାଙ୍କ କାର୍ଯ୍ୟ ପରିସର ଅନୁସାରେ ତଦନ୍ତ କରାଯିବ । ତାକୁ ନେଇ ବିବାଦ କରାଯିବା ଠିକ୍ ନୁହେଁ ।

ଗୋବିନ୍ଦଙ୍କ ମୃତ୍ୟୁକୁ ନେଇ ରାଜନୈତିକ ବୟାନବାଜି ଭିତରେ, କ୍ରାଇମବ୍ରାଞ୍ଚର ସାଇଣ୍ଟିଫିକ୍ ଟିମ୍ କଣ୍ଟାବାଞ୍ଝି ଥାନାରେ ପହଁଚି ତାଙ୍କ ହାତ ଲେଖା ଚିଠି, ସେ ଖାଉଥିବା ମେଡିସିନ୍ ଓ ଅନ୍ୟାନ୍ୟ ପ୍ରମାଣପତ୍ର ଜବତ କରିଛି । ଏଥିସହ ଜେଲରେ ଲାଗିଥିବା ୧୬ନମ୍ବର ସିସିଟିଭି ଫୁଟେଜ୍ ଦେବାକୁ କର୍ତ୍ତୁପକ୍ଷଙ୍କୁ କ୍ରାଇମବ୍ରାଞ୍ଚ କହିଛି । ତେବେ ଏସବୁ ଡକ୍ୟୁମେଣ୍ଟର ଯାଞ୍ଚ ପରେ କଣ ବାହାରୁଛି ତାହା ପରେ ସ୍ପଷ୍ଟ ହେବ ।