ବିଶ୍ୱକପ ଭିତରେ ବଢିଲା ଭାରତର ଦବଦବା । ବ୍ୟାଟିଂ, ବୋଲିଂ ସହ ଟିମ ରାଙ୍କିଙ୍ଗରେ ନମ୍ବର ୱାନ

648

କନକ ବ୍ୟୁରୋ : କ୍ରିକେଟ ବିଶ୍ୱକପରେ ଭାରତୀୟ ଦଳ ଚମକ୍ରାର ପ୍ରଦର୍ଶନ ଜାରି ରଖିଥିବା ବେଳେ ଏଯାଏଁ ଖେଳିଥିବା ୮ଟି ଯାକ ମ୍ୟାଚ୍ ଜିତିସାରିଛି । ବ୍ୟାଟିଂ, ବୋଲିଂ, ଫିଲଡିଂ, ତିନିଟି ଯାକ କ୍ଷେତ୍ରରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଛି । ଏବେ ଆଇସିସି ଯେଉଁ ଦିନିକିଆ ର୍ୟାଙ୍କିଂ ଜାରି କରିଛି ଏଥିରେ ବୋଲିଂ ଓ ବ୍ୟାଟିଂରେ ଭାରତୀୟ ଖେଳାଳି ଏକ ନମ୍ବର ରହିଛନ୍ତି । ବ୍ୟାଟିଂରେ ଓପନର ଶୁଭମନ ଗିଲ ଓ ବୋଲିଂରେ ମହମ୍ମଦ ସିରାଜ ଏକ ନମ୍ବର ସ୍ଥାନରେ ରହିଛନ୍ତି । ବ୍ୟାଟିଂରେ ଆଗରୁ ପାକିସ୍ତାନୀ ଅଧିନାୟକ ବାବର ଆଜମ ଏକ ନମ୍ବରରେ ରହିଥିଲେ, ହେଲେ ବିଶ୍ୱକପରେ ଶୁଭମନ୍ ଚମକ୍ରାର ବ୍ୟାଟିଂ କରିଆସୁଛନ୍ତି । ପ୍ରାୟ ପ୍ରତି ମ୍ୟାଚରେ ସେ ଟିମ୍ ଇଣ୍ଡିଆକୁ ଏକ ଭଲ ଷ୍ଟାର୍ଟ ଦେଉଛନ୍ତି, ଫଳରେ ଭାରତୀୟ ଦଳ ଭଲ ସ୍କୋର କରିପାରୁଛି । ବ୍ୟାଟିଂରେ ଆଇସିସି ଦିନିକିଆ ର୍ୟାଙ୍କିଂରେ ଏକ ନମ୍ବର ରହିବାରେ ଶୁଭମନ୍ ଚତୁର୍ଥ ଭାରତୀୟ । ଏହାପୂର୍ବରୁ ସଚିନ୍ ତେନ୍ଦୁଲକର, ଏମ୍ ଏସ୍ ଧୋନୀ ଓ ବିରାଟ କୋହଲି ଏକ ନମ୍ବରରେ ରହିଥିଲେ । ସେହିପରି ବୋଲିଂରେ ମହମ୍ମଦ ସିରାଜ ଆଇସିସି ର୍ୟାଙ୍କିଂରେ ଏକ ନମ୍ବର ରହିଛନ୍ତି । ଚଳିତ ବିଶ୍ୱକପରେ ସିରାଜଙ୍କ ଦମଦାର ବୋଲିଂ ଚର୍ଚ୍ଚାର କାରଣ ପାଲଟିଛି । ତାଙ୍କ ବୋଲିଂକୁ ସାମ୍ନା କରିବା ବିପକ୍ଷ ଦଳର ବ୍ୟାଟରଙ୍କ ପାଇଁ କଷ୍ଟକର ହୋଇପଡ଼ିଛି ।