ସରକାରୀ ଅଧିକାରୀ ମାନୁନାହାନ୍ତି ସରକାରଙ୍କ ନିର୍ଦ୍ଦେଶ । ବାବୁ ଦେଉନାହାନ୍ତି ସମ୍ପତ୍ତି ତାଲିକା । ସେପ୍ଟେମ୍ବର ୩୦ ଯାଏଁ ପୁଣି ଘୁଞ୍ଚିଲା ତାରିଖ ।

109

କନକ ବ୍ୟୁରୋ: ବାରମ୍ବାର ଡେଡଲାଇନ ଗଡୁଛି ହେଲେ ସରକାରୀ ବାବୁଙ୍କ ପାଖରେ କେତେ ସମ୍ପତ୍ତି ରହିଛି, ତାର ତାଲିକା ସାମ୍ନାକୁ ଆସୁନାହିଁ । କାରଣ ସରକାରଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି ବାବୁ । ପ୍ରତି ବର୍ଷ ଜାନୁୟାରୀ ୧ରୁ ୩୧ ଭିତରେ ସମ୍ପତ୍ତି ତାଲିକା ଅପଲୋଡ କରିବାକୁ କୁହାଯାଇଛି । ହେଲେ ୭ ମାସ ଭିତରେ ଚାରି ଧର ଘୁଞ୍ଚିଲାଣି ଏହି ଡେଡଲାଇନ । ତେବେ ଗୋଟିଏ ପଟେ ଦୁର୍ନୀତିଗ୍ରସ୍ତ ଅଫିସର ଭିଜିଲାନ୍ସ ଜାଲରେ ପଡିବା ଅନ୍ୟପଟେ ବାବୁମାନେ ସମ୍ପତ୍ତିର ହିସାବ ନ ଦେବାକୁ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି ।

  • ଅଫିସର ମାନୁନାହାନ୍ତି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ?
  • ବାବୁ ଦେଉନାହାନ୍ତି ସମ୍ପତ୍ତି ତାଲିକା
  • ସମ୍ପତ୍ତି ତାଲିକା ଦେବାକୁ କାହିଁକି ଡରୁଛନ୍ତି ଅଧିକାରୀ?

ଜନପ୍ରତିନିଧି ହୁଅନ୍ତୁ ବା ସରକାରୀ ଅଧିକାରୀ । ସମସ୍ତେ ସାଧାରଣ ଜନତାଙ୍କ ପାଖରେ ଉତ୍ତରଦାୟୀ । ବ୍ୟବସ୍ଥା ଓ ସରକାରରେ ସ୍ୱଛତା ଆଣିବା ପାଇଁ ସମ୍ପତ୍ତି ତାଲିକା ସାର୍ବଜନୀନ କରିବା ପାଇଁ ନିର୍ଦ୍ଦେଶ ଥିଲା । ହେଲେ ସରକାରଙ୍କ ନିର୍ଦ୍ଦେଶକୁ ନିଜେ ଖିଲାପ କରୁଛନ୍ତି ସରକାରୀ ବାବୁ । ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ସଂଶୋଧନ ନିୟମ ୨୦୨୧ ପାଳନ କରିବା ପାଇଁ ନିର୍ଦ୍ଦେଶ ଥିଲା । ପ୍ରତ୍ୟେକ ବର୍ଷ ଜାନୁଆରୀ ୧ରୁ ଜାନୁଆରୀ ୩୧ ଭିତରେ ଅଫିସରମାନେ ସେମାନଙ୍କ ସମ୍ପତ୍ତି ତାଲିକା ଏଚଆରଏମଏସ୍ ପୋର୍ଟାଲରେ ଅପଲୋଡ଼ କରିବେ । ହେଲେ ଅନେକ ସରକାରୀ ଅଧିକାରୀ ସେମାନଙ୍କର ସ୍ଥାବର ଅସ୍ଥାବର ସମ୍ପତ୍ତି ତାଲିକା ଦେଉନାହାନ୍ତି । ୭ ମାସ ଭିତରେ ୪ ଥର ଘଞ୍ଚିଲାଣି ତାରିଖ ।

  • ଗତ ୧୭ ତାରିଖରେ ସବୁ ବିଭାଗ ସହ ଜିଲ୍ଲାପାଳଙ୍କୁ ଲେଖାଯାଇଛି ଚିଠି
  • ୩୦ ସେପ୍ଟେମ୍ବର ଭିତରେ ବାର୍ଷିକ ସମ୍ପତ୍ତି ତାଲିକା ଦେବା ପାଇଁ ନିର୍ଦ୍ଦେଶ

ଅନେକ ଦୁର୍ନୀତିଗ୍ରସ୍ତ ଅଧିକାରୀ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ୁଛନ୍ତି । କାହା ଘରୁ ଲକ୍ଷ ଲକ୍ଷ ଟଙ୍କା ତ ଆଉ କାହାର ମାଳ ମାଳ ପ୍ଲଟ୍ ଚିହ୍ନଟ ହେଉଛି । ଏହାରି ଭିତରେ ୧୭୩ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର । ଏବେ ପ୍ରଶ୍ନ ଉଠୁଛି, ସରକାରଙ୍କ ନିର୍ଦ୍ଦେଶକୁ କାହିଁକି ଅଧିକାରୀମାନେ ମାନୁନାହାନ୍ତି? କେଉଁ ଅଧିକାରୀଙ୍କ ଚାପରେ ଏହି ଅବଧି ବଢୁଛି? ସମ୍ପତ୍ତି ତାଲିକା ଦେଲେ ଜଣାପଡ଼ନ୍ତା କିଏ କେତେ ସ୍ୱଚ୍ଛ?