କଂଗ୍ରେସର ହାତ ଛାଡିଲେ ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ । ଟାର୍ଗେଟରେ ସୋନିଆ ଓ ରାହୁଲ

118

କନକ ବ୍ୟୁରୋ : କଂଗ୍ରେସର ହାତ ଛାଡିଲେ ଗୁଲାମ ନବୀ ଆଜାଦ । ଆଜି ଦଳରୁ ଇସ୍ତଫା ଦେଇଛନ୍ତି କଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ । ଦଳର ସମସ୍ତ ପଦପଦବୀ ଓ ପ୍ରାଥମିକ ସଦସ୍ୟତା ପଦରୁ ସେ ଇସ୍ତଫା ଦେଇଛନ୍ତି । ୫ ପୃଷ୍ଠାର ଇସ୍ତଫା ପତ୍ର ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି । ଏହି ଇସ୍ତଫା ପତ୍ରରେ ରାହୁଲ ଗାନ୍ଧୀ ଓ କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି ଆଜାଦ୍ । ଦଳରେ ବରିଷ୍ଠ ନେତାମାନଙ୍କୁ ଅଣଦେଖା କରାଯାଉଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି । ଦୀର୍ଘ ଦିନ ହେବ କଂଗ୍ରେସ ଛାଡିବାକୁ ଗୁଲାମ ଚାହୁଁଥିଲେ   । ଏବେ ଇସ୍ତଫା ପରେ ତାଙ୍କୁ କଂଗ୍ରେସ ପକ୍ଷରୁ ବହୁ ବୁଝା ସୁଝା କରାଯାଇଥିଲେ ବି କୌଣସି ଫଳପ୍ରଦ ହୋଇନଥିଲା । ଆଉ ଶେଷରେ କଂଗ୍ରେସର ହାତ ଛାଡିଛନ୍ତି ଗୁଲାମ ନବୀ ।

ସତ ହୋଇଛି ଆଶଙ୍କା । କିଛି ଦିନର ନୀରବତା ପରେ ଏବେ କଂଗ୍ରେସକୁ ବଡ ଝଟକା ଦେଇଛନ୍ତି ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ । ଦୀର୍ଘ ବର୍ଷ ଧରି କଂଗ୍ରେସର ସହ ଜଡିତ ଥିବା ଗୁଲାମ ନବୀ ଏବେ ଦଳଠାରୁ ସବୁ ସର୍ମ୍ପକ ଛିନ୍ନ କରି ଅଲଗା ହୋଇଛନ୍ତି । ଦଳର ସମସ୍ତ ପଦପଦବୀରୁ ସେ ଇସ୍ତଫା ଦେଇଛନ୍ତି । ମନର କ୍ଷୋଭ ଓ ଅସନ୍ତୋଷକୁ ୫ପୃଷ୍ଠାରେ ଲେଖି ଇସ୍ତଫା ଦେଇଛନ୍ତି ଗୁଲାମନବୀ । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦେଇଥିବା ଇସ୍ତଫା ପତ୍ରରେ ଦଳ ଛାଡିବା କାରଣ ଗୁଡିକ ଗୋଟି ଗୋଟି କରି ଲେଖିଛନ୍ତି ଗୁଲାମନବୀ । ଗୁଲାମ ଚିଠିରେ କହିଛନ୍ତି କିଛି ଦିନ ହେଲା ଦଳୀୟ ଆଚରଣ ଓ କାର୍ଯ୍ୟଶୈଳୀକୁ ନେଇ ସେ ଅସନ୍ତୋଷ ଥିଲେ । ବିଶେଷ କରି କୌଣସି ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ନହେବା ଘଟଣାକୁ ନେଇ ସେ ଚିନ୍ତିତ ଥିଲେ । ଦଳର ଆଭ୍ୟନ୍ତରୀଣ ନିର୍ବାଚନ ନକରିବା ମଧ୍ୟ ଗୋଟେ କାରଣ ରହିଛି । ସାଂଗଠନିକ ପରିବର୍ତନ କରାଯିବାର ଆବ୍ୟକତା ଥିବା କଥା ସେ ଜଣାଇଥିଲେ । କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଅବଗତ କରିବା ସତ୍ୱେ କୌଣସି ଫଳାଫଳ ମିଳିନଥିଲା ।

ଗୁଲାମ ନବୀ କଂଗ୍ରେସ ଛାଡିବା ପଛରେ ରାହୁଲ ଗାନ୍ଧୀଙ୍କ ବଡ ଭୂମିକା ଥିବା ତାଙ୍କ ଚିଠିିରୁ ସ୍ପଷ୍ଟ ବାରି ହୋଇପଡୁଛି । କାରଣ ଗୁଲାମ ଇସ୍ତଫା ପତ୍ରରେ ରାହୁଲଙ୍କ ଉପରେ ମଧ୍ୟବର୍ଷିଛନ୍ତି । ସେ କହିଛନ୍ତି ୨୦୧୩ରେ ରାହୁଲଙ୍କ କଂଗ୍ରେସର ଏଣ୍ଟ୍ରି ଦଳ ପାଇଁ ଦୁଭାଗ୍ୟଜନକ ଘଟଣା ଥିଲା । ଦଳକୁ ବର୍ବାଦ କରିବା ପଛରେ ରାହୁଲଙ୍କ ବଡ ଭୂମିକା ରହିଛି । ଦଳର ବରିଷ୍ଠ ନେତାଙ୍କୁ ଅଣଦେଖା କରିଛନ୍ତି ରାହୁଲ । ଅନୁଭବହୀନ ଲୋକଙ୍କ ପରାର୍ମଶ ମାନି ରାହୁଲ ଯେଉଁ ଭୁଲ କରିଛନ୍ତି ତାର ପରିଣାମ ଏବେ ଦଳକୁ ଭୋଗିବାକୁ ପଡୁଛି । କିଛି ଦିନ ପୂର୍ବରୁ ଆଜାଦ ଜମ୍ମୁକଶ୍ମୀର ପ୍ରଚାର କମିଟି ଅଧ୍ୟକ୍ଷ ଓ ରାଜନୀତିକ ବ୍ୟାପର କମିଟି ଛାଡିଥିଲେ । ଏହି ପଦରେ ତାଙ୍କୁ ମିଳିବାର କିଛି ଘଂଟା ପରେ ଇସ୍ତଫା ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ସେବେଠାରୁ କଂଗ୍ରେସ ଛାଡିବେ ବୋଲି ଯେଉଁ ଚର୍ଚ୍ଚା ଜୋର ଧରିଥିଲା ସେକଥା ଅଗଷ୍ଟ ୨୬ରେ ସତ ହୋଇଛି ।

ଗୁଲାମ ନବୀ ଆଜାଦଙ୍କ ‘କଂଗ୍ରେସ’ କ୍ୟାରିୟର:
• ୧୯୭୩ ମସିହାରେ କଂଗ୍ରେସରେ ଯୋଗ ଦେଇଥିଲେ
• ୨ବର୍ଷ ପର୍ଯ୍ୟନ୍ତ ଜମ୍ମୁକଶ୍ମୀର ଯୁବ କଂଗ୍ରେସର ଅଧ୍ୟକ୍ଷ ଥିଲେ
• ଇନ୍ଦିରା, ନରସିମ†ା, ମନମୋହନ ସରକାରରେ ମନ୍ତ୍ରୀ ପଦରେ ଥିଲେ
• ୩୭ବର୍ଷ ପର୍ଯ୍ୟନ୍ତ କଂଗ୍ରେର ରାଷ୍ଟ୍ରୀୟ ମହାସଚିବ ଥିଲେ
• ୩ବର୍ଷ ପର୍ଯ୍ୟନ୍ତ ଜମ୍ମୁକଶ୍ମୀର ମୁଖ୍ୟମନ୍ତ୍ରୀ ଥିଲେ
• ୭ବର୍ଷ ପର୍ଯ୍ୟନ୍ତ ରାଜ୍ୟସଭାରେ ବିରୋଦୀ ଦଳର ନେତା ଥିଲେ ।

କିଛି ଦିନ ହେବ ଦଳର ସାଂଗଠନିକସ୍ତରରେ ପରିବର୍ତନ ଚାହିଁ ଜି-୨୩ ଗୋଷ୍ଠୀ ତିଆରି କରିବା ସହ ଏହାର ମଙ୍ଗ ଧରିଥିଲେ ଗୁଲାମନବୀ । କେବେ କେବେ ହାଇକମାଣ୍ଡଙ୍କ କାର୍ଯ୍ୟନୀତି ଓ ଦଳର ନେତା ରାହୁଲ ଗାନ୍ଧୀଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ମଧ୍ୟ ଉଠାଇଥିଲେ । ଏଥିପାଇଁ ତାଙ୍କୁ ଜି-୨୩ ନେତା ଭାବେ ଆଖ୍ୟା ଦିଆଯାଇଥିଲା । ଅର୍ଥାତ ଗୁଲାମନବୀ ଓ ତାଙ୍କ ସହ ଥିବା କଂଗ୍ରେସର ଅନ୍ୟ ନେତାମାନଙ୍କୁ ବିଦ୍ରୋହୀ ଭାବେ ଗଣାଯାଉଥିଲା ।