ବିନା ଡାକ୍ତରଙ୍କ ପରାମର୍ଶରେ ଔଷଧ ଦେବା ହେଲା କାଳ! ପୁଅ ପାଇଁ ସ୍ତ୍ରୀର ଜୀବନ ନେଲା ସ୍ୱାମୀ

227

କନକ ବ୍ୟୁରୋ: ଗୋଟିଏ ପଟେ ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଝିଅ ଦେଶକୁ ଗୌରବ ଆଣୁଛନ୍ତି । ଅନ୍ୟପଟେ ଖୋର୍ଦ୍ଦାରେ ଗର୍ଭରେ ଝିଅ ଥିବା ଜାଣିବା ପରେ ଗର୍ଭପାତ କରିବାକୁ ପ୍ରୟାସ କରିଛି ସ୍ୱାମୀ । ଆଉ ବିନା ଡାକ୍ତର ପରାମର୍ଶରେ ଔଷଧ ଦେବାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ । ବଡ କଥା ହେଉଛି ମୃତ ମହିଳାଙ୍କ ତିନି ଝିଅ ଏବେ କେଉଁଠି ରହିବେ । କାରଣ ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ମାମୁଁ ଘର ଲୋକେ ତିନି ଝିଅର ଲାଳନ ପାଳନ କରିବାକୁ ଆଗ୍ରହ ଦେଖାଉ ନାହାନ୍ତି । ଅନ୍ୟପଟେ ବାପା ଏହି ମାମଲାରେ ଗିରଫ ହୋଇ ଜେଲ ଯିବା ପରେ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ତିନି ଝିଅକୁ ଗ୍ରହଣ କରିବାକୁ ଆଗ୍ରହ ଦେଖାଉ ନାହାନ୍ତି ।

ଦେଶରେ ଲିଙ୍ଗ ନିରୂପଣ ମନା । ଆଇନ ଉଲ୍ଲଂଘନ କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । କିନ୍ତୁ ଗର୍ଭରେ ପୁଅ କି ଝିଅ ରହିଛି ଆଗୁଆ ଜାଣିବାର ବ୍ୟାକୁଳତା ଆଜି ଜଣେ ମହିଳାଙ୍କର ଜୀବନ ନେଇଛି । ଏଭଳି ଏକ ଅଭିଯୋଗ ଆସିଛି ଖୋର୍ଦ୍ଦା ଜିଲ୍ଲାରୁ ।

ତିନୋଟି ଝିଅ ପରେ ପୁଅଟେ ପାଇଁ ଆଶା ରଖିଥିଲେ ଖୋର୍ଦ୍ଦା ଜଙ୍କିଆ ଅଂଚଳର ତପନ ବଳବନ୍ତରାୟ ଏବଂ ପୁଷ୍ପଲତା ବଳବନ୍ତରାୟ । କିନ୍ତୁ କାଳେ ପୁଣି ଏକ ଝିଅ ହେବ ବୋଲି ଆଶଙ୍କା କରି ଗୁଣିଆର ସହାୟତା ନେଇଥିଲେ ଆଉ ଗୁଣିଆ କହିଥିଲା ପୁଷ୍ପଲତାଙ୍କ ଗର୍ଭରେ ବଢୁଛି ପୁଣି ଏକ ଝିଅ । ବାସ୍ ଏପରି ଜାଣିବା ପରେ ତପନ ଗର୍ଭପାତ କରାଇବାକୁ ପ୍ରୟାସ କରିଥିଲେ । ଆଉ ଦୋକାନରୁ ଔଷଧ ଆଣି ସ୍ତ୍ରୀ ପୁଷ୍ପଲତାଙ୍କୁ ଦେଇଥିଲେ । କିନ୍ତୁ ବିନା ଡାକ୍ତର ପରାମର୍ଶରେ ଦିଆଯାଇଥିବା ଔଷଧ ଯୋଗୁଁ ଜୀବନ ହାରିଛନ୍ତି ପୁଷ୍ପଲତା ।

ବିନା ଡାକ୍ତରଙ୍କ ପରାମର୍ଶରେ ଔଷଧ ଦେବା ହେଲା କାଳ!
ନା ବାରମ୍ବାର ଝିଅ ହେଉଥିବାରୁ ହେଲା ଯୋଜନାବଦ୍ଧ ଷଡଯନ୍ତ୍ର?

ପୁଷ୍ପଲତାଙ୍କ ମୃତ୍ୟୁ ପରେ ବାପ ଘର ଲୋକେ ତପନ ଏବଂ ଝିଅର ପାରାବାରିକ ବିବାଦ କଥା ସାମ୍ନାକୁ ଆଣିଛନ୍ତି । ପୁଅ ନଥିବାରୁ ପୁଷ୍ପଲତାଙ୍କୁ ସହିବାକୁ ପଡ଼ୁଥିଲା ମାନସିକ ନିର୍ଯାତନା । ଏହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ହେଉଥିଲା । ଫଳରେ ମାମଲା ଥାନାକୁ ଯାଇଥିଲା ଏବଂ ଭଦ୍୍ରଲୋକଙ୍କ ଉପସ୍ଥିତିରେ ବିବାଦର ସମାଧାନ ହୋଇଥିଲା ବୋଲି ମୃତକଙ୍କ ବାପା ଘର ଲୋକେ କହିଛନ୍ତି ।

ଏବେ ପ୍ରଶ୍ନ ଉଠୁଛି ପୁଷ୍ପଲତାଙ୍କ ଗର୍ଭରେ ପୁଅ ନୁହେଁ ଝିଅ ଅଛି ବୋଲି ଗୁଣିଆ କେମିତି ଜାଣିଲା । ଆଉ ଔଷଧ ଦୋକନୀ ବିନା ପ୍ରେସକ୍ରିପସନରେ କିପରି ଔଷଧ ବିକ୍ରି କଲେ ତାହାର ତଦନ୍ତ ହେଲେ ସତ୍ୟ ସାମ୍ନାକୁ ଆସିପାରିବ ।