ଦକ୍ଷିଣ ଓଡିଶାରେ ବର୍ଷାର ତାଣ୍ଡବ: ଧୋଇଗଲା ପୋଲ, ଯୋଗାଯୋଗ ଠପ୍

117

କନକ ବ୍ୟୁରୋ: ଲଗାଣ ବର୍ଷାରେ ବୁଡିଯାଇଛି ନବରଙ୍ଗପୁରର ତୁରୀ ନଦୀ ପୋଲ । ପୋଲ ଉପରେ ଦେଇ ଦୁଇଫୁଟର ଜଳ ପ୍ରବାହିତ ହେଉଥିବାରୁ ଲୋକେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ନହରଙ୍ଗପୁରର ପାପଡାହାଣ୍ଡିରେ ପ୍ରବଳ ବର୍ଷା ହୋଇଛି । ଫଳରେ ସହର ନିକଟସ୍ଥ ତୁରୀ ନଦୀ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଉଭୟ ପଟେ ଗାଡି ଅଟକି ରହିଛି । ବିଭିନ୍ନ ଅଂଚଳକୁ ଗାଡି ଚଳାଚଳ ବ୍ୟାହତ ହୋଇଛି ।

ରାୟଗଡା ଝଂଜାବତୀ ନଦୀର ପ୍ରଖର ସ୍ରୋତରେ ଭୁଷୁଡି ଯାଇଛି ଅସ୍ଥାୟୀ ପୋଲ । ଫଳରେ ପୋଡାମାରୀ –କୁମ୍ଭିକୋଟା ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଉପରମୁଣ୍ଡରେ ଦୁଇଦିନ ହେଲା ବର୍ଷା ଲାଗି ରହିଛି । ଖରାଦିନ ଗାଁ ଲୋକେ ଚାନ୍ଦା କରି ଝଂଜାବତୀ ନଦୀରେ ଅସ୍ଥାୟୀ ପୋଲ କରିଥିଲେ । କିନ୍ତୁ ହୋ ଭାସିଯିବାକୁ ଲୋକେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।

ଲଘୁଚାପ ଜନିତ ବର୍ଷାର ପ୍ରଭାବ ଗଂଜାମ ଜିଲ୍ଲାରେ ପଡିଛି । ପୋଲସରା ଓ ବୁଗୁଡା ଅଂଚଳରେ ବ୍ୟାପକ ଫସଲ ନଷ୍ଟ ହେବା ସହ ଏକର ଏକର ଜମି ଜଳମଗ୍ନ ହୋଇଛି । ଚଳିତବର୍ଷ ବିଳମ୍ବରେ ଚାଷକାମ ଆରମ୍ଭ ହୋଇଥିଲେ ବି ଲଘୁଚାପ ଜନିତ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । ଧାରକରଜ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ପଡିଛି କେବେ ପାଣି ଛାଡିବ ?

ଲଗାଣ ବର୍ଷା ଲାଗି ରହିଥିଲାବେଳେ ପାଣିପାଗ ବିଭାଗର ପୂର୍ବାନୁମାନ ଚିନ୍ତା ବଢ଼ାଇ ଦେଇଛି ।ଲଘୁଚାପ ଆହୁରି ଘନୀଭୂତ ହୋଇ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୯ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ଷା ଆହୁରି ୩ ଦିନ ଥିବାରୁ ଚାଷୀଙ୍କ ଚିନ୍ତା ବଢାଇଦେଇଛି ।