କେମିତି ଥିଲା ରାଷ୍ଟ୍ରପତିଙ୍କ ପିଲାଦିନ? ସ୍ମୃତି ବଖାଣିଲେ ମହାମହିମଙ୍କ ସହପାଠୀ। କାଲି ୟୁନିଟ୍-୨ସ୍ଥିତ ପରିଦର୍ଶନ କରିବେ ରାଷ୍ଟ୍ରପତି।

131

କନକ ବ୍ୟୁରୋ: ମହାମହିମ ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ସଜେଇ ହେଉଛି ଭୁବନେଶ୍ୱରର ତପୋବନ ସ୍କୁଲ । ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ କିଏ ଆଦିବାସୀଙ୍କ ପାରମ୍ପରିକ ଚିତ୍ର ଆଙ୍କୁଛି ତ’ ଆଉ କିଏ ମ୍ୟାଡମ୍ ଦୌପଦୀ ମୁର୍ମୁଙ୍କ ଚିତ୍ର ଆଙ୍କୁଛି । ଦେଶର ପ୍ରଥମ ନାଗରିକଙ୍କୁ ପାଖରେ ପାଇବାର ଖୁସିକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ରହିଛି ।

ରାଜ୍ୟ ସରକାରଙ୍କ ତତ୍ୱାବଧାନରେ ଚାଲୁଥିବା ଏହି ସ୍କୁଲରେ ରାଜ୍ୟ ବିଭିନ୍ନ ଅଂଚଳର ଆଦିବାସୀ ଓ ପଛୁଆବର୍ଗର ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ଆସନ୍ତାକାଲି ଏହି ସ୍କୁଲରେ ରାଷ୍ଟ୍ରପତି ମ୍ୟାଡମଙ୍କର ୧୭ ମିନିଟର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ଅଲୋଚନା କରିବେ ରାଷ୍ଟ୍ରପତି ।

ତପୋବନ ସ୍କୁଲ କାର୍ଯ୍ୟକ୍ରମ ସାରି ୟୁନିଟ-୨ ଗାର୍ଲ ହାଇସ୍କୁଲ ଯିବେ ରାଷ୍ଟ୍ରପତି । ଏହି ସ୍କୁଲରେ ରହିଛି ରାଷ୍ଟ୍ରପତି ମ୍ୟାଡମଙ୍କ ଅନେକ ସ୍କୃତି । ରାଷ୍ଟ୍ରପତି ମ୍ୟାଡମଙ୍କ ସ୍ୱାଗତ ପାଇଁ ସ୍କୁଲରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେଉଥିବା ବେଳେ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ତେବେ ସବୁଠାରୁ ବଡ଼ ଆକର୍ଷଣ ହେଉଛି, ପାଠ ପଢ଼ିଲା ବେଳେ ରାଷ୍ଟ୍ରପତି ରହୁଥିବା ହଷ୍ଟେଲ ମଧ୍ୟ ବୁଲି ଦେଖିବେ ଦୌପଦୀ ମୁର୍ମୁ ।

ହଷ୍ଟେଲରେ ଏବେ ସାଇତି ରଖାଯାଇଥିବା ଏହି ଫଟୋ ଚିତ୍ରରେ ରାଷ୍ଟପତିଙ୍କ  ସହ ଆଉ ଜଣ ସାଙ୍ଗଙ୍କ ଫଟୋ ଚିତ୍ର ରହିଛି । ଜଣେ ହେଉଛନ୍ତି ଟାଙ୍ଗୀ ମୁର୍ମୁ ଏବଂ ଆଉ ଜଣେ ହେଉଛନ୍ତି ସୁମିତ୍ରା କିସକୋ । ଏହି ସାଙ୍ଗମାନେ ଏବେ ବି ସେଇ ପୁରୁଣା ସ୍କୃତିକୁ ସାଇତି ରଖିଛନ୍ତି । ୟୁନିଟି-୨ ଗାର୍ଲ ହାଇସ୍କୁଲରେ ପ୍ରାୟ ଅଧ ଘଂଟାର କାର୍ଯ୍ୟକ୍ରମ ରହିଛି । ଏହା ପରେ ଫେରିଯିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ।