ଜଙ୍ଘର ଚମଡା କାଟି ମା’ ପାଇଁ ଚପଲ ତିଆରି କଲେ ରୌନକ । ଦିନେ ଥିଲେ ଦେଶର କୁଖ୍ୟାତ ଅପରାଧୀ ।

313

କନକ ବ୍ୟୁରୋ: ଆପଣ ଦସ୍ୟୁ ରତ୍ନାକର ବ୍ରହ୍ମର୍ଷି ବାଲ୍ମିକୀ ଭାବେ ପରିଣତ ହେବା କଥା ନିଶ୍ଚୟ ଶୁଣିଥିବେ । ଏଭଳି ଆଉ ଏକ ଘଟଣା ଶୁଣିବାକୁ ମିଳିଛି , ଯାହାର ନିଦର୍ଶନ ଉଜ୍ଜୟିନୀରେ ଦେଖିବାକୁ ମିଳିଛି । ଦିନ ଥିଲା ଏଠାରେ ଅପରାଧର କାୟା ବିସ୍ତାର କରି ହିଷ୍ଟ୍ରି ସିଟର ଭାବେ ପରିଚିତ ରୌନକ ଗୁଜ୍ଜର ନାମକ ବ୍ୟକ୍ତି ଆଜି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ।

ଏଥର ରୌନକ କିନ୍ତୁ ନିଜ ଅପରାଧ ପାଇଁ ନୁହେଁ ବରଂ ନିଜର ମାତୃଭକ୍ତି ପାଇଁ ଚର୍ଚ୍ଚାରେ । କାରଣ ରୌନକଙ୍କ ଜୀବନରେ ଘଟିଛି ଅଭୂତପୂର୍ବ ପରିବର୍ତ୍ତନ । ସେ ଜେଲରୁ ଫେରିବା ପରେ ଅଧ୍ୟାତ୍ମିକ ଜୀବନରେ ନିଜକୁ ବୁଡାଇ ରଖିଛନ୍ତି ।ଏହି କ୍ରମରେ ସେ ଏଭଳି ଏକ କାମ କରିଛନ୍ତି ଯାହା ତାଙ୍କୁ ଅଜସ୍ର ଶ୍ରଦ୍ଧା ଓ ଆଶୀର୍ବାଦ ଦେଉଛି । ରୌନକ ନିଜ ଜଙ୍ଘରୁ ଚମଡା କାଢି ସେଥିରେ ମା’ଙ୍କ ପାଇଁ ତିଆରି କରିଛନ୍ତି ଚପଲ । ଏକ ରାମ କଥା ସମାରୋହରେ ଏହି ଚପଲକୁ ମଞ୍ଚ ଉପରେ ସେ ତାଙ୍କ ମା’ଙ୍କ ପାଦରେ ପିନ୍ଧାଇ ଦେଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୂଚନା ମୁତାବକ, ରୌନକଙ୍କ ନାଁରେ ରହିଛି ୩୦ରୁ ଅଧିକ ଗୁରୁତର ଅପରାଧିକ ମାମଲା । ଜଣେ ବ୍ୟବସାୟୀଙ୍କ ଠାରୁ ଟଙ୍କା ବସୁଲି କରିବା ଘଟଣାରେ ଗୁଳିମାଡ କରି ୨୦୧୯ ଜୁନ୍ ୨୯ ତାରିଖରେ ଜେଲ ଯାଇଥିଲେ ରୌନକ । କିନ୍ତୁ ଜେଲରୁ ଫେରିବା ପରେ ତାଙ୍କର ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଛି । ଏବେ ସେ ନିଜକୁ ଆଧ୍ୟାତ୍ମିକ ଆଲୋଚନାରେ ନିୟୋଜିତ ରଖୁଛନ୍ତି । ଜେଲରେ ଥିବାବେଳୁ ହିଁ ସେ ରାମାୟଣ ପଢିବା ଆରମ୍ଭ କରିଥିଲେ । ଜେଲରୁ ଫେରିବା ପରେ ରାମ କଥା ଆୟୋଜନ କରିବା ଆରମ୍ଭ କଲେ । ଏଥିରୁ ସେ ମାତୃଭକ୍ତି ପ୍ରସଙ୍ଗରେ ପ୍ରଭାବିତ ହୋଇ ମା’ଙ୍କ ପାଇଁ କିଛି ଭିନ୍ନ କରିବାକୁ ଇଚ୍ଛା କଲେ । ହସ୍ପିଟାଲ ଯାଇ ନିଜ ଗୋଡର ଅପରେସନ୍ କରାଇ ଚମଡା କାଢିବା ପରେ ସେହି ଚମଡାରେ ମା’ଙ୍କ ପାଇଁ ଚପ୍ପଲ ପ୍ରସ୍ତୁତ କରାଇଥିଲେ ।

ତାଙ୍କର ଏଭଳି ମହାନ କାର୍ଯ୍ୟକୁ ପୁରା ଅଞ୍ଚଳବାସୀ ବାହାବା କରୁଛନ୍ତି । ରୌନକଙ୍କ ପୁଅକୁ ପାଇଁ ଜୀବନ ଧନ୍ୟ ହୋଇଥିବା ତାଙ୍କ ମା’ କହିଥିବାବେଳେ ଏଭଳି ପୁଅ ସମସ୍ତଙ୍କୁ ମିଳୁ ବୋଲି କହିଛନ୍ତି ।