ଜ୍ଞାନବାପୀ ମାମଲାରେ ହିନ୍ଦୁପକ୍ଷଙ୍କୁ ଝଟକା, ଶିବଲିଙ୍ଗ’ର କାର୍ବନ ଡେଟିଂ ଉପରେ ପ୍ରତିବନ୍ଧକ

123

କନକ ବ୍ୟୁରୋ : ବାରଣାସୀର ଜ୍ଞାନବାପୀ ମସଜିଦ ମାମଲାରେ ଶିବଲିଙ୍ଗର କାର୍ବନ ଡେଟିଂ ପାଇଁ ହୋଇଥିବା ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି କୋର୍ଟ । ମସଜିଦ ପରିସରରେ ଥିବା ଏକ ପରିତ୍ୟକ୍ତ କୂଅରୁ ଠାବ କରାଯାଇଥିଲା ଏହି ଶିବଲିଙ୍ଗ । ଯାହାର କାର୍ବନ ଡେଟିଂ ତଥା ସାଇଂଟିଫିକ୍ ଯାଂଚ ଆବେଦନକୁ ଖାରଜ କରିଦେଇଛନ୍ତି ବାରଣାସୀ ଜିଲ୍ଲା ଜଜ୍ କୋର୍ଟ । ହିନ୍ଦୁ ପକ୍ଷ ଏହି ଶିବଲିଙ୍ଗର କାର୍ବନ ଡେଟିଂ କରିବାକୁ ଆବେଦନ କରିଥିବା ବେଳେ ଏହାକୁ ବିରୋଧ କରିଥିଲେ ମୁସଲିମ ପକ୍ଷ । ବିଚାରପତି କ୍ରିଷ୍ଣା ଭିସଭେସା ମାମଲାର ଶୁଣାଣି କରି ଏହି ଆବେଦନକୁ ଖାରଜ କରିଦେଇଛନ୍ତି ।

ଏବେ ନଜର ପକାନ୍ତୁ :- କ’ଣ କହିଲେ କୋର୍ଟ?
– କାର୍ବନ ଡେଟିଂ ଅବା କୌଣସି ସାଇଂଟିଫିକ୍ ତଦନ୍ତ କଲେ ଶିବଲିଙ୍ଗ ପ୍ରତି କ୍ଷତି ପହଂଚିବାର ଆଶଙ୍କା ରହିଛି
– ଜ୍ଞାନବାପୀ ମସଜିଦରେ ଶିବଲିଙ୍ଗ ଠାବ ହୋଇଥିବା ସ୍ଥାନକୁ ସୁପ୍ରିମକୋର୍ଟ ସିଲ କରିବାକୁ ଅର୍ଡର ଦେଇଛନ୍ତି
ତେବେ ଏହି ମାମଲା ସୁପ୍ରମିକୋର୍ଟରେ ବିଚାରଧିନ ରହିଛି, ତେଣୁ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି ।

ଜ୍ଞାନବାପୀ ମସଜିଦରେ ଥିବା ଶିବଲିଙ୍ଗର କାର୍ବନ ଡେଟିଂ ପାଇଁ କୋର୍ଟ ଅଗ୍ରାହ୍ୟ କରିଦେବା ପରେ ହିନ୍ଦୁ ପକ୍ଷକୁ ଝଟକା ଲାଗିଛି । ତେବେ କୌଣସି ପ୍ରକାର ସାଇଂଟିଫିକ ତଦନ୍ତ ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।
ଏବେ ନଜର ପକାନ୍ତୁ :-
‘କାର୍ବନ ଡେଟିଂ’ କ’ଣ?
– କାର୍ବନ ଡେଟିଂ ହେଉଛି କୌଣସି ଏକ ପ୍ରାକୃତିକ ଜିନିଷର ବୟସ ଠାବ କରିବାର ଏକ ପ୍ରକ୍ରିୟା
– କାର୍ବନ ଆଟମ(ସି୧୪) ସହ ମିଳିଥିବା ଜିନିଷର ତୁଳନା କଲେ ଏହା କେତେ ବର୍ଷ ପୁରୁଣା ଜଣାପଡିଥାଏ
– କାର୍ବନ ଡେଟିଂର ବୈଜ୍ଞାନିକ ପଦ୍ଧତିିରେ ପ୍ରତ୍ନତାତ୍ତ୍ୱିକ ଜିନିଷର ବୟସ ନିର୍ଦ୍ଧାରଣ କରାଯାଇଥାଏ
– ଏହି ପଦ୍ଧତିରେ ପ୍ରତ୍ନତତ୍ତ୍ୱବିତ୍ମାନେ ସହଜରେ ୫୦୦ ଖ୍ରୀଷ୍ଟପୂର୍ବ ପରେ ତିଆରି ହୋଇଥିବା ଯେକୌଣସି ଦ୍ରବ୍ୟର ବୟସ ଜାଣିପାରିବେ

କୋର୍ଟଙ୍କ ଏଭଳି ନିର୍ଦ୍ଦେଶ ପରେ ମାମଲାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯିବେ ବୋଲି କହିଛନ୍ତି ହିନ୍ଦୁ ପକ୍ଷଙ୍କ ଓକିଲ । ଗତ ସେପ୍ଟେମ୍ବରରେ ୪ ଜଣ ହିନ୍ଦୁ ଆବେଦନକାରୀ ଜ୍ଞାନବାପୀ ମାମଲାରେ ଠାବ କରାଯାଇଥିବା ଶିବଲିଙ୍ଗର କାର୍ବନ ଡେଟିଂ କରିବାକୁ ବାରଣାସୀ କୋର୍ଟରେ ଆବେଦନ କରିଥିଲେ । ତେବେ ହିନ୍ଦୁ ପକ୍ଷ ସୁପ୍ରିମକୋର୍ଟ ଗଲେ ଶିବଲିଙ୍ଗର କାର୍ବନ ଡେଟିଂ ଉପରେ କୋର୍ଟ କ’ଣ ରାୟ ଦେବେ ତାହା ଉପରେ ଉଭୟ ପକ୍ଷଙ୍କ ନଜର ରହିଛି ।