କାହିଁକି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେଉନାହିଁ ପୋଲିସ? ପ୍ରଭାବଶାଳୀ ପକାଉଛନ୍ତି କି ଚାପ?

140

କନକ ବ୍ୟୁରୋ : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ନେଇ ସାରା ରାଜ୍ୟ ଉଠପଡ ହେଉଛି । ତାଙ୍କ ଲିଙ୍କରେ ଥିବା ନେତାଙ୍କ ଛାତିରେ ଛନକା ପଶିଛି । କିନ୍ତୁ ପୋଲିସ ତାଙ୍କୁ ରିମାଣ୍ଡ ନଆଣିବା ସନ୍ଦେହ ସୃଷ୍ଟି କରିଛି । ପ୍ରଶ୍ନ ଉଠୁଛି, ଅର୍ଚ୍ଚନାଙ୍କ ସବୁ ଗୁମର କଣ ପୋଲିସ ପାଇଯାଇଛି କି? ଯଦି ପାଇ ଯାଇଛି, ତାହେଲେ, ସ୍ପଷ୍ଟ କରୁନି କାହିଁକି । ନା ସତ ସାମନାକୁ ଆସିଯିବା ଭୟରେ, ଅର୍ଚ୍ଚନାଙ୍କୁ ଖସାଇ ଦେବାକୁ ଚାଲିଛି ବାଟ ପ୍ରସ୍ତୁତି ।

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ କାହାଣୀ ହେଡଲାଇନରୁ ହଟୁ ନଥିବା ବେଳେ ରାଜନୈତିକ ଦଳରେ ଦେଖାଦେଇଛି ହଟଚମଟ । ପ୍ରତିଦିନ ନୂଆ ନୂଆ ଫଟୋ ଭାଇରାଲ ହେବା ସହ ନୂଆ ନୂଆ କଥାକୁ ନେଇ ରାଜଧାନୀ ଉଠୁଛି ପଡ଼ୁଛି । ନେତା, ମନ୍ତ୍ରୀ, ବିଧାୟକ, ପ୍ରତିଷ୍ଠିତ ବ୍ୟକ୍ତି, ସୁନା ବ୍ୟବସାୟୀ, ହୋଟେଲ ମାଲିକ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପୃକ୍ତି ନେଇ ସାମାଜିକ ଗଣମାଧ୍ୟରେ ମିଛ ସତ ଖବର ଚର୍ଚ୍ଚା ହେଉଛି । କିନ୍ତୁ ବଡ଼ କଥା ହେଉଛି ସେହି ବ୍ୟକ୍ତିମାନେ ଏନେଇ ମୁହଁ ଖୋଲୁନଥିବା ବେଳେ ପୋଲିସ୍ ମଧ୍ୟ କିଛି ସ୍ପଷ୍ଟ କରୁ ନାହିଁ । ଯାହା ଏହି ସନ୍ଦେହକୁ ଆହୁରି ବଢ଼ାଇ ଦେଉଛି ।

କାହିଁକି ରିମାଣ୍ଡ ପାଇଁ ହେଉନି ଆବେଦନ ?
ରିମାଣ୍ଡ ଖୋଲିଦେବ କି ବଡ଼ବଡ଼ିଆଙ୍କ ମୁଖା ?

୮ ଦିନ ହେଲା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଝାରପଡ଼ା ଜେଲର ମହିଳା ୱାର୍ଡରେ । ହେଲେ ଅର୍ଚ୍ଚନାଙ୍କ ନାଗଫାଶର ଅସଲ ସତ କ’ଣ ତାହା ଏବେବି ଅସ୍ପଷ୍ଟ । ଯେହେତୁ ତଦନ୍ତକାରୀ ସଂସ୍ଥା ଓ ଅଭିଯୁକ୍ତ ଅର୍ଚ୍ଚନା ଉଭୟ ଚୁପ୍, ସେଥିପାଇଁ ଘଟଣା ଆହୁରି ରହସ୍ୟମୟ ହୋଇପଡ଼ିଛି । ଏହାଭିତରେ ପ୍ରଶ୍ନ ଉଠୁଛି
-କାହିଁକି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବାକୁ ଚାହୁଁନି ପୋଲିସ୍?
-ଅଭିଯୁକ୍ତକୁ ରିମାଣ୍ଡରେ ନେବାରେ ଅସୁବିଧା କ’ଣ ?
-ସତ ପଦାକୁ ଆସିଯିବା ଭୟରେ ରିମାଣ୍ଡ ଆବେଦନ ହେଉ ନାହିଁ କି?
-କ’ଣ ପୋଲିସ ସବୁ ତଥ୍ୟ ପ୍ରମାଣ ପାଇସାରିଛିି ?
-ଅର୍ଚ୍ଚନାଙ୍କୁ ଆଉ ଅଧିକ ପଚରାଉଚରାର ଆବଶ୍ୟକତା ନାହିଁ କି?
-ବ୍ଲାକମେଲିଂ, ବେଆଇନ ମାନବ ଚାଲାଣ, ବେଆଇନ ସମ୍ପତି ପରି ସଙ୍ଗୀନ ଅଭିଯୋଗର କ’ଣ ସବୁ ତଦନ୍ତ ସାରି ଯାଇଛି ?
-ଏଫଆଇଆରରେ ନାଁ ଥିଲେ ମଧ୍ୟ ଜଗବନ୍ଧୁ ଓ ଖଗେଶ୍ୱର କେମିତି ବୁଲୁଛନ୍ତି ଖୁଲମଖୁଲ୍ଲା?

ଗୋଟିଏ ପଟେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବା ପାଇଁ ପୋଲିସ୍ କୌଣସି ପଦକ୍ଷେପ ନେଇ ନାହିଁ । ଏପଟେ ଜେଲରୁ ମୁକୁଳିବା ପାଇଁ ବାଟ ଖୋଜୁଛନ୍ତି ଲେଡିି ବ୍ଲାକମେଲର । ଏସବୁ ଭିତରେ ପ୍ରଶ୍ନ ଉଠୁଛି, ଅର୍ଚ୍ଚନାଙ୍କ କାରନାମାର ସତ ଲୋକଲୋଚନକୁ ଆସିବା ଆଗରୁ ରହସ୍ୟ ହୋଇ ରହିଯିବ କି ?