ଦିଲ୍ଲୀ ସରକାର-ଉପରାଜ୍ୟପାଳ ଖଣ୍ଡଯୁଦ୍ଧକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ କଡା ଟିପ୍ପଣୀ : ଉପରାଜ୍ୟପାଳଙ୍କ ବାସଭବନରେ ଅନଶନକୁ ସମାଲୋଚନା

24

କନକ ବ୍ୟୁରୋ : ନୂଆଦିଲ୍ଲୀରେ ହାଇଭୋଲଟେଜ ଡ୍ରାମା । ଆଇଏଏସ ଅଧିକାରୀଙ୍କ ଅଘୋଷିତ ଆନ୍ଦୋଳନ ପ୍ରତ୍ୟାହାର ଦାବିରେ ଉପରାଜ୍ୟପାଳ ଅନିଲ ବୈଜଲଙ୍କ ଘରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅନଶନଙ୍କୁ ନେଇ କଡା ଟିପ୍ପଣୀ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । କାହାରି ବାସଭବନ ଭିତରେ ଅନଶନ କରାଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ଅନଶନରତ ଉପମୁଖ୍ୟମନ୍ତ୍ରୀ ମନୀଶ ସିସୋଦିଆ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ରାଜି ହୋଇଛନ୍ତି ଆଇଏଏସ ସଂଘ ।

ଉପରାଜ୍ୟପାଳଙ୍କ ଘରେ ଦିଲ୍ଲୀ ସରକାରଙ୍କ ଧାରଣାକୁ ସମାଲୋଚନା କରିଛନ୍ତି କୋର୍ଟ । ଦିଲ୍ଲୀ ସରକାରଙ୍କ ଏହା କେଉଁ ପ୍ରକାର ଆନ୍ଦୋଳନ ବୋଲି ପ୍ରଶ୍ନ ଉଠାଇଛନ୍ତି କୋର୍ଟ । ଅନଶନରେ ବସିବା ପୂର୍ବରୁ କାହିଁକି ଉପରାଜ୍ୟପାଳଙ୍କ ଅନୁମତି ନିଆଗଲା ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ଏବଂ ଏହା ଯଦି କେଜ୍ରିୱାଲଙ୍କ ବ୍ୟକ୍ତିଗତ ଅନଶନ ତେବେ କାହା ବାସଭବନକୁ ଯାଇ ସେଠାରେ ଅନଶନ କରିପାରିବେ ନାହିଁ ବୋଲି କୋର୍ଟ କଡା ଟିପ୍ପଣୀ ଦେଇଛନ୍ତି । ଦିଲ୍ଲୀରେ ଆଏଏସ ଅଧିକାରୀଙ୍କ ଆନ୍ଦୋଳନ ଓ ମୁଖ୍ୟମନ୍ତ୍ରୀଙ୍କ ଧାରଣା ନେଇ କରାଯାଇଥିବା ଆବେଦନର ଶୁଣାଣୀ କରି କୋର୍ଟ ଏହା କହିଛନ୍ତି ।

ସେପଟେ ସାମ୍ବାଦିକ ସମ୍ମିଳନୀ କରି ସଫେଇ ରଖିଛି ଆମ୍ ଆଦମୀ ପାର୍ଟି । ବୈଠକ ପାଇଁ ଆଇଏଏସ ଅଧିକାରୀଙ୍କୁ ଯୋଗଦେବା ପାଇଁ ଆମନ୍ତ୍ରଣ କଲେ ମଧ୍ୟ ସେମାନେ ଯୋଗ ଦେଉନଥିବା କୁହାଯାଇଛି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଧାରଣାକୁ ନେଇ ହାଇକୋର୍ଟ କରିଥିବା ପ୍ରଶ୍ନର ଉତ୍ତର ଦିଆଯିବ ବୋଲି କହିଛନ୍ତି ଆପ୍ ମୁଖପାତ୍ର ସଂଜୟ ସିଂହ । ତେବେ ଧାରଣା ଦିଆଯିବା କୌଣସି ଦିନକର ନିଷ୍ପତ୍ତି ନୁହେଁ ବରଂ ସମସ୍ତ ଗଣତାନ୍ତ୍ରିକ ଉପାୟ ଅବଲମ୍ବନ କରାଯିବା ପରେ ଶେଷରେ ଅନଶନ କରାଯାଇଛି ବୋଲି ସଂଜୟ ସିଂ କହିଛନ୍ତି ।

ଉପରାଜ୍ୟପାଳଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ମାନେ ଅନଶନ କରୁଛନ୍ତି । ଧାରଣାରେ ବସିଥିବା ଉପମୁଖ୍ୟମନ୍ତ୍ରୀ ମନୀଶ ସିସୋଦିଆ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରୀ ସତୈନ୍ଦ୍ର ଜୈନ ମଧ୍ୟ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ମଧ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ଦିଲ୍ଲୀରେ ଆଇଏଏସ ଅଧିକାରୀଙ୍କ ଅଘୋଷିତ ଆନ୍ଦୋଳନ ପ୍ରତ୍ୟାହାର ଦାବିରେ ଜୁନ୍ ୧୧ତାରିଖରୁ ମୁଖ୍ୟମନ୍ତ୍ରୀ ଅନଶନରେ ବସିଛନ୍ତି । ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ବାସଭବନ ପରିସରରେ ଥିବା ୱେଟିଂ ରୁମରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅନଶନ କରୁଛନ୍ତି ।