ଏକ ବିଂଶ ଶତାଦ୍ଧିରେ ବି ଅନ୍ଧବିଶ୍ୱାସର ଅନ୍ଧଗଳିରୁ ବାହାରି ପାରିନି ମଣିଷ । ସାପ କାମୁଡା ରୋଗୀଙ୍କୁ ଡାକ୍ତରଖାନାକୁ ନନେଇ ଝଡାଫୁଙ୍କାର ସାହାରା ନେଉଛନ୍ତି ଲୋକେ

384

କନକ ବ୍ୟୁରୋ : ଆଜି ବି ଅନ୍ଧବିଶ୍ୱାସର ଅନ୍ଧଗଳିରେ ମଣିଷ । ବିଷଧର ସାପ କାମୁଡ଼ା ଯନ୍ତ୍ରଣାରେ ଛଟପଟ ହେଉଥିବା  ବ୍ୟକ୍ତିଙ୍କୁ ଡାକ୍ତରଖାନା ନନେଇ ମନ୍ଦିର ବେଢାରେ ପକାଇ ରଖୁଛନ୍ତି ପରିବାର ଲୋକେ । ଏମତିକି ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ମେଡ଼ିକାଲ ନେବା ପାଇଁ ଆସିଥିବା ଆମ୍ବୁଲାନ୍ସକୁ ବି ଫେରାଇ ଦେଇଛନ୍ତି ପରିବାର ଲୋକେ । ଅନ୍ଧ ବିଶ୍ୱାସର ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର କୋରେଇ ବ୍ଲକ ଅସନଝର ଗାଁରେ । ଏକ ବିଂଶ ଶତାଦ୍ଦୀରେ ବି କାୟା ବିସ୍ତାର କରିଚାଲିଛି ଅନ୍ଧବିଶ୍ୱାସ । ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ଏବେ ବି ଡାକ୍ତରୀ ଚିକିତ୍ସା ନୁହେଁ ଝଡାଫୁଙ୍କା ଉପରେ ଜୀବନ ମୃତ୍ୟୁକୁ ଛାଡି ଦେଉଛନ୍ତି ଲୋକେ । ଗାଁ ଗହଳିରେ କେଉଁଠି ନା କେଉଁଠି ଝଡାଫୁଙ୍କାରେ ଚାଲିଛି ସାପକାମୁଡାର ଉପଚାର ।

ମନ୍ଦିର ପ୍ରାଗଣରେ ଛଟପଟ ହେଉଛନ୍ତି ସାପକାମୁଡାର ଶିକାର ରମାକାନ୍ତ ନାୟକ । ଆଉ ଏପଟେ ଦେଖନ୍ତୁ, ସ୍ୱାମୀଙ୍କ ଆରୋଗ୍ୟ କାମନା କରି ଅଧିଆ ପଡିଛନ୍ତି ପତ୍ନୀ । ବଡକଥା ହେଲା ଏହି ଦୃଶ୍ୟକୁ ଦେଖୁଛନ୍ତି ଗ୍ରାମବାସୀ ହେଲେ କେହି ରମାକାନ୍ତଙ୍କୁ ଡାକ୍ତରଖାନାକୁ ନେବା ପାଇଁ ଚେଷ୍ଟା କରୁନାହାନ୍ତି । କାରଣ ସେମାନଙ୍କ ବିଶ୍ୱାସ ଆଖଣ୍ଡଳମଣୀଙ୍କ ଆଶୀର୍ବାଦରେ ହିଁ ସେ ସୁସ୍ଥ ହେବେ । ଏହି ବିଶ୍ୱାସ ଆଧାରରେ ଆମ୍ବୁଲାନ୍ସକୁ ବି ଫେରାଇ ଦେଇଛନ୍ତି ରମାକାନ୍ତଙ୍କ ପରିବାର ଲୋକ ।

ଅସନଝର ଗାଁର ଆଖଣ୍ଡଳମଣି ମନ୍ଦିରରେ ଅଧିଆ ପଡିଥିବା ରମାକାନ୍ତ ସୌଭାଗ୍ୟ ବଶତଃ ସୁସ୍ଥ ହେବା ପରେ ଗ୍ରାମବାସୀଙ୍କ ଏହି ଅନ୍ଧ ବିଶ୍ୱାର ଆହୁରି ଦୃଢିଭୂତ ହୋଇଛି । ଆଗରୁ ବି ସାପ କାମୁଡା ବ୍ୟକ୍ତିଙ୍କୁ ଡାକ୍ତରଖାନା ନନେଇ ମନ୍ଦିରରେ ଅଧିଆ ପକାଇଥାନ୍ତି ବୋଲି କହିଛନ୍ତି ଗ୍ରାମବାସୀ । ସେହି ଅନ୍ଧ ବିଶ୍ୱାସ ଯୋଗୁଁ ରମାକାନ୍ତଙ୍କ ପରିବାର ଲୋକ ଆମ୍ବୁଲାନ୍ସକୁ ଫେରାଇ ଦେବା ସହ ସ୍ଥାନୀୟ ସରପଂଚଙ୍କ କଥା ଶୁଣିନଥିଲେ  । ସେପଟେ ସାପ କାମୁଡା ରୋଗୀଙ୍କୁ ଝଡାଫୁଙ୍କା ନକରି ତୁରନ୍ତ ଡାକ୍ତରଖାନାକୁ ନେବା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର ।

ତେବେ ଯାଜପୁରର ଏହି ଘଟଣାକୁ ଦେଖିବା ପରେ କିଛି ପ୍ରଶ୍ନ ଆମକୁ ଆନ୍ଦୋଳିତ କରୁଛି । 

୧. ଚିକିତ୍ସା ବିଜ୍ଞାନକୁ ଭରସା ନକରି ଅନ୍ଧବିଶ୍ୱାସ ପଛରେ ଗୋଡାଇବା କେତେଦୂର ଠିକ୍?

୨. ସୌଭାଗ୍ୟରୁ ବ୍ୟକ୍ତି ଜଣଙ୍କ ବଂଚିଗଲେ, ହେଲେ ସମସ୍ତଙ୍କ କ୍ଷେତ୍ରରେ ଏଭଳି ଚମକ୍ରାର ସମ୍ଭବ କି?

୩. ହସ୍ପିଟାଲକୁ ଆସିବାରେ ବିଳମ୍ବରୁ ଅନେକ ଲୋକଙ୍କ ଜୀବନ ସାପ କାମୁଡାରେ ଯାଉନାହିଁ କି?