ବର୍ଷାରେ ଅସମ୍ଭାଳ କଳାହାଣ୍ଡି : ପାଣି ଘେରରେ ଜିଲ୍ଲାର ବିଭିନ୍ନ ଅଂଚଳ, ହାତୀ ବ୍ୟାରେଜର ଖୋଲିଲା ୫ଟି ଗେଟ୍

47

କନକ ବ୍ୟୁରୋ: ପାଣି ଘେରରେ କଳାହାଣ୍ଡି । ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଜିଲ୍ଲାର ଅନେକ ଅଂଚଳ ଜଳମଗ୍ନ ହୋଇପଡିଛି । ତଳିଆ ଅଂଚଳରେ ବିଭିନ୍ନ ଜନବସତି ଭିତରକୁ ପାଣି ପଶିଯାଇଛି । ଘର ଭିତରେ ପାଣି ପଶିବା ଯୋଗୁ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ରାସ୍ତା ଘାଟରେ ପାଣି ଜମି ରହିବା ଦ୍ୱାରା ଯାତାୟତରେ ମଧ୍ୟ ସମସ୍ୟା ଦେଖା ଦେଇଛି । ଯୋଗାଯୋଗ ବିଛିନ୍ନ ହୋଇ ପଡିଥିବାରୁ ଅନେକ ସ୍ଥାନରେ ଭୋକ ଉପାସରେ ରହିଛନ୍ତି ଲୋକ ।

ଏପରିକି ପିଇବା ପାଣି ନେଇ ମଧ୍ୟ ସମସ୍ୟା ଭୋଗୁଛନ୍ତି ପାଣି ଘେରରେ ରହିଥିବା ଲୋକେ । ବିଭିନ୍ନ ନଦୀରେ ଜଳସ୍ତର ବୃ୍ଦ୍ଧି ପାଇବାରେ ଲାଗିଛି । ଇନ୍ଦ୍ରାବତୀ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହାତୀ ବ୍ୟାରେଜ୍ର ୫ଟି ଗେଟ୍ ଖୋଲାଯାଇଛି । ସେକେଣ୍ଡ ପ୍ରତି ୪୪୨ କ୍ୟୁସେକ୍ ଜଳ ଛଡାଯାଉଛି ।

ଅନ୍ୟପଟେ ଜୁନାଗଡର ବିଭିନ୍ନ ୱାର୍ଡରେ ବନ୍ୟା ପାଣି ପଶିଯାଇଥିବା ବେଳେ ଥୁଆମୂଳ ରାମପୁର ଓ କଲମପୁର ମଧ୍ୟରେ ଯୋଗେଯାଗ ବିଚ୍ଛିନ୍ନ ହୋଇପଡିଛି । ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକରେ ସର୍ବାଧିକ ୨୦୮ ଦଶମିକ ୫ ମିଲିମିଟର ବର୍ଷା ହୋଇଥିବା ବେଳେ ଜୟପାଟଣାରେ ୧୫୦ ମିଲିମିଟର, କଲମପୁରରେ, ୧୩୭ ମିଲିମିଟର ଓ ଜୁନାଗଡରେ ୭୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ସେପଟେ, ଉତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରୁ ରାଜ୍ୟରେ ଲଗାଣ ବର୍ଷା ହେଉଛି । ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, ଢେଙ୍କାନାଳ, କନ୍ଧମାଳ, ଜଗତସିଂହପୁର, ଗଜପତି, କେନ୍ଦ୍ରାପଡା, ବୌଦ୍ଧ, ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ତେବେ ବିଜୁଳି ଘଡଘଡି ସହ ବର୍ଷା ହେବା ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ ।