ଭାରତୀୟ ସେନାରେ ପୁରୁଷଙ୍କ ପରି ମହିଳାଙ୍କୁ ମିଳିବ ସମାନ ଅଧିକାର : ସ୍ୱାଧୀନତା ଦିବସ ଅବସରରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ

75

କନକ ବ୍ୟୁରୋ : ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ତେବେ ଆଜି ଏହି ପବିତ୍ର ଦିବସ ଅବସରରେ ମୋଦି ଦେଶବାସୀଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣାମାନ କରିଛନ୍ତି । ଭାରତୀୟ ସେନାରେ ପୁରୁଷଙ୍କ ପରି ମହିଳାଙ୍କୁ ସମାନ ଅଧିକାର ମିଳିବା ବୋଲି ଘୋଷଣା କରିଛନ୍ତି ମୋଦି । ଏହାସହ ମୋଦି କହିଛନ୍ତି ୨୦୨୨ ପର୍ଯ୍ୟନ୍ତ, ଯେବେ ଦେଶର ସ୍ୱାଧୀନତାକୁ ୭୫ ବର୍ଷ ପୁରା ହେବ, ସେବେ କିମ୍ବା ତା’ପୂର୍ବରୁ ଦେଶର କେହି ବି ଯୁବକ/ଯୁବତୀ ମହାକାଶରେ ତ୍ରିରଙ୍ଗା ଉଡ଼ାଇବେ ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଏବେ ସର୍ଟ ସର୍ଭିସ କମିଶନରେ ମହିଳାଙ୍କୁ ସ୍ଥାୟୀ ରୂପରେ ପ୍ରବେଶ ମିଳିବ । ପୂର୍ବରୁ ପୁରୁଷମାନେ ହିଁ ଏହାର ଲାଭ ଉଠାଇପାରୁଥିଲେ । ଦେଶରେ ମହିଳାଙ୍କ ପ୍ରତି ବଢ଼ୁଥିବା ଅପରାଧ ନେଇ ମୋଦି କହିଛନ୍ତି, ଦେଶରେ କିଛି ରାକ୍ଷସ ପ୍ରବୃତିର ଲୋକ ଖରାପ କାମ କରୁଛନ୍ତି । ଏବେ ସମୟ ଆସିଛି, ସମାଜକୁ ଏପରି ଅପରାଧରୁ ମୁକ୍ତ କରିବା ପାଇଁ ପଡ଼ିବ । ବିଗତ ଦିନରେ ମଧ୍ୟପ୍ରଦେଶରେ ଦୁଷ୍କର୍ମ ଅପରାଧୀକୁ ମାତ୍ର ୫ ଦିନରେ ହିଁ ଫାଶୀ ର ଦଣ୍ଡାଦେଶ ଦିଆଯାଇଛି । ତିନି ତଲାକ ବିଷୟରେ ମଧ୍ୟ ଆଜି ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି । ମୋଦି କହିଛନ୍ତି, ତିନି ତଳାକ ପରି ଏକ ପରମ୍ପରା ଯୋଗୁଁ ମୁସଲମାନ ଭଉଣୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ଆଉ ଏଥିପାଇଁ ସଂସଦରେ ବିଲ ଆଗତ କରାଯାଇଛି । ତେବେ କିଛି ଲୋକ ଏବେ ବି ପାସ୍ ହେବାକୁ ଦେଉନାହାନ୍ତି ।

ଏହା ବ୍ୟତୀତ ମୋଦି କହିଛନ୍ତିସମଗ୍ର ବିଶ୍ୱ ଭାରତକୁ ୬ଷ୍ଠ ବୃହତ୍ ଅର୍ଥନୀତି କହୁଥିବା ବେଳେ ଆମେ ସ୍ୱାଧୀନତା ଦିବସ ପାଳନ କରୁଛନ୍ତି । ଆଜି ଦେଶରେ ଆତ୍ମ-ବିଶ୍ୱାସ ଭରପୂର। ସ୍ୱପ୍ନ ଓ କଠିନ ପରିଶ୍ରମ ଦ୍ୱାରା ଦେଶ ଉଚ୍ଚ ସୋପାନକୁ ଉଠି ପାରୁଛି । ଆଜିର ସୂର୍ଯ୍ୟ ନୂତନ ଉଚ୍ଛ୍ୱାସରେ ନୂତନ ଚେତନା ଆଣିଛି । ଭାରତୀର ସଶସ୍ତ୍ର ବଳ, ପାରାମିଲିଟାରି ଏବଂ ପୁଲିସବାଲାଙ୍କ ନିଃସ୍ୱାର୍ଥ ସେବାକୁ ପ୍ରଶଂସା କରିଛନ୍ତି । ସଂସଦର ମୌସୁମୀ ଅଧିବେଶନ ସୁରୁଖୁରୁରେ ଚାଲିଥିବା କଥା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଆମ ସମ୍ବିଧାନ ସମାଜର ସବୁ ବର୍ଗର କଲ୍ୟାଣ ନିମନ୍ତେ ଏକ ମାର୍ଗଦର୍ଶୀକା । ଦେଶର ଅନେକ ଭାଗରେ ଭଲ ମୌସୁମୀ ବର୍ଷା ହୋଇଥିଲେ ବି କେତେକ ଅଞ୍ଚଳରେ ବନ୍ୟା ପ୍ରାଦୁର୍ଭାବ ଦେଖା ଦେଇଥିବା କଥା ସେ କହିଛନ୍ତି । ବନ୍ୟା ଯୋଗୁଁ ପ୍ରାଣ ହରାଇଥିବା ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।