ଦୁଃସାହସ ଆଣିଲା ଦୁର୍ଘଟଣା । କୁଚିଣ୍ଡା ନକଟିପାଲ ନାଳରୁ ୨ ମୃତଦେହ ଉଦ୍ଧାର କଲେ ଅଗ୍ନିଶମ ବାହିନୀ ।

147

କନକ ବ୍ୟୁରୋ: ବନ୍ୟା ପାଣିରେ ଦୁଃସାହାସ ଦେଖାଇ ନାଳ ପାରିହେବାକୁ ଉଦ୍ୟମ, ଦୁର୍ଘଟଣାକୁ ଡାକି ଆଣିଛି । ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଶନିବାର ରାତିରେ ଏକ ନାଳ ପାରି ହେବା ବେଳେ କାର ସହ ଭାସି ଯାଇ ଦୁଇ ଜଣ ନିଖୋଜ ହୋଇଯାଇଥିଲେ । ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକ ଦୁଇ ଜଣ ହେଉଛନ୍ତି ଗୁଣ୍ଡୁରୁଚୁଆଁ ଗାଁର ପ୍ରତାପ ପଟେଲ ଓ ତାପସ ନାୟକ । ସଂପର୍କୀୟଙ୍କ ଶୁଦ୍ଧି କାର୍ଯ୍ୟ ପାଇଁ ନିମନ୍ତ୍ରଣ ଦେଇ ରାତିରେ ପ୍ରତାପ ଓ ତାପସ ଘରକୁ ଫେରିବା ବେଳେ ଏହି ଅଘଟଣ ଘଟିଛି । କୁଚିଣ୍ଡା, ଫାଶିମାଲ ନିକଟ ନକ୍ତିପାଲି ନାଳର ପୋଲ ଉପରେ ୩ ଫୁଟ ଉଚ୍ଚର ପାଣି ଚାଲୁଥିଲା । ଦୁହେଁ କାରରେ ପାରିହେବାକୁ ଉଦ୍ୟମ କରିବା ପରେ ସୁଅରେ କାର ଭାସି ଯାଇଥିଲା ।

  • ବଢି ପାଣିକୁ ସାବଧାନ!
  • ଦୁଃସାହସ ନେଇପାରେ ଜୀବନ !

ସମ୍ବଲପୁର କୁଚିଣ୍ଡାର ଥିବା ଏକ କେନାଲରେ ବୁଡି ରହିଥିବା କାର ଭିତରୁ ଦୁଇ ମୃତ ଦେହ ଉଦ୍ଧାର କରି ନିଆଯାଇଛି । ଶନିବାର ସମ୍ପର୍କୀୟଙ୍କ ଶୁଦ୍ଧି କାର୍ଯ୍ୟ ପାଇଁ କାରରେ ନିମନ୍ତ୍ରଣ ଦେବାକୁ ଘରୁ ବାହାରି ଆସିଥିଲେ । କିନ୍ତୁ ସଂଧ୍ୟାରେ ଘରକୁ ଫେରିବା ବେଳେ ସମ୍ବଲପୁର କୁଚିଣ୍ଡାରେ ଥିବା ଏକ ସୁଅ ମୁହଁରେ ଫଶିଯିବାରୁ ପ୍ରାଣ ହରାଇଛନ୍ତି । ମୃତକ ଦୁଇ ଜଣ ହେଉଛନ୍ତି ସ୍ଥାନୀୟ ଗୁଣ୍ଡୁରୁଚୁଆଁ ଗାଁର ପ୍ରତାପ ପଲେଟ ଓ ତାପସ ନାୟକ । ଉଭୟ ସମ୍ପର୍କରେ ଶଳା-ଭିଣୋଇ । ଭୋରରୁ ବ୍ରିଜ୍ ଠାରୁ ୨ ଶହ ମିଟର ଦୂରରେ କାର ସହ ଦୁଇ ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି । କାରଟି ଭାସିଯିବା ପରେ ଦୁହେଁ ଫସି ହୋଇ ରହିଥିଲେ । ପରେ ଅଣନିଃଶାସୀ ହୋଇଯିବାରୁ ମୃତ୍ୟୁ ଘଟିଥିବା ସୂଚନା ରହିଛି ।

ପୂର୍ବରୁ କେନାଲରେ ଏପରି ଅଘଟଣ ଘଟିନଥିଲା । ତେଣୁ କେନାଲର ବ୍ରିଜ ଉପରେ ୩ ଫୁଟ ଉଚ୍ଚରେ ପାଣି ସୁଅ ଚାଲିଥିଲେ ବି କାରରେ ପାରି ହୋଇଯିବେ ଭାବି ପଳାଇ ଆସିଥିଲେ । କିନ୍ତୁ ବଢି ପାଣିର ସୁଅ ଦୁହିଁକୁ ନେଇଯାଇଛିି ଅଫେରା ରାଇଜକୁ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ମୃତକ ତାପସ ନାୟକ ସ୍ଥାନୀୟ ଅଞ୍ଚଳର ଜଣେ ଜଣାଶୁଣା ଚେହେରା । ସମସ୍ତଙ୍କ ପାଇଁ ଥିଲେ ଜଣେ ଆପଣାର ମଣିଷ । ଦିଲ୍ଲୀରେ ପଶ୍ଚିମ ଓଡିଶାର ଲୋକଙ୍କୁ ନେଇ ଗଢିଥିଲେ ଜୁହାର ପରିବାର । ସମସ୍ତ ସାମାଜିକ କାମରେ ତାଙ୍କର ରହିଥିଲା ଯୋଗଦାନ । ଆଉ ଏବେ ତାଙ୍କ ଅନୁପସ୍ଥିତି ସମସ୍ତଙ୍କୁ ଦୁଃଖ ଦେଇଯାଇଛି । ଏହି ଘଟଣା ପରେ ବନ୍ୟା ଜଳ ଚାଲୁଥିବା ରାସ୍ତା ଉପରେ ଯାତାୟତ କରୁଥିବା ସାଧାରଣ ଲୋକଙ୍କୁ ସତର୍କ କରିଛନ୍ତି ସରକାର । ବନ୍ୟା ପାଣିରେ ଦୁଃସାହସ ନକରିବାକୁ ଏସଆରସି ପ୍ରଦୀପ ଜେନା ଅନୁରୋଧ କରିଛନ୍ତି ।