ଜି-୨୦ ସମ୍ମିଳନୀକୁ ନେଇ ବିଦେଶୀ ଗଣମାଧ୍ୟମରେ ଭାରତର ଚର୍ଚ୍ଚା । କିଏ କରୁଛି ପ୍ରଶଂସା ତ କିଏ ଉଠାଉଛି ପ୍ରଶ୍ନ

2,811

କନକ ବ୍ୟୁରୋ : କିପରି ଭାବେ ଜି-୨୦ ଶିଖର ସମ୍ମିଳନୀର ଦାୟିତ୍ୱ ନେଉଛି ଭାରତ, ଏହା ଉପରେ ରହିଛି ସାରା ବିଶ୍ୱର ନଜର । ରାଜଧାନୀ ଦିଲ୍ଲୀରେ ବିଶ୍ୱ ନେତାଙ୍କୁ ନେଇ ବସୁଛି ବୈଠକ । ଏହାରି ଭିତରେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ବି ପ୍ରକାଶ ପାଉଛି ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ନେତାଙ୍କୁ ଏକଜୁଟ କରିବା ସହ କେଉଁ କେଉଁ ପ୍ରସଙ୍ଗକୁ ଗୁରୁତ୍ୱ ଦେବେ ଏବିଷୟରେ ବିଦେଶୀ ଗଣମାଧ୍ୟମ ଭିନ୍ନ ଭିନ୍ନ ଖବର ପ୍ରସାରଣ କରୁଛି । କିଛି ଗଣମାଧ୍ୟମ ମୋଦୀଙ୍କ ଭୁରି ଭୁରି ପ୍ରସଂଶା କରୁଛି । ତ ଅନ୍ୟ କିଛି ବିଦେଶୀ ଗଣମାଧ୍ୟମ ୟୁକ୍ରେନ ପ୍ରସଙ୍ଗକୁ ନେଇ ଭାରତକୁ କଟାକ୍ଷ କରିବାକୁ ପଛାଉନି । ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇଥିବା ଖବରରେ ୟୁକ୍ରେନ ଯୁଦ୍ଧର କଳା ଛାଇ ଭିତରେ ଏକାଠି ହେଉଛନ୍ତି ବିଶ୍ୱନେତା । ସେହିପରି ୟୁରୋପୀୟ ଗଣମାଧ୍ୟମ ସଂସ୍ଥା ଡି-ଡବ୍ଲୁରେ ପ୍ରକାଶିତ ଖବରରେ ଲେଖା ଯାଇଛି ବିଶ୍ୱରେ ଭାରତର ବଢୁଥିବା ଶକ୍ତିକୁ ପ୍ରଦର୍ଶିତ କରିବ ଜି-୨୦ ।

ଭାରତ-ଚୀନ ସୀମା ବିବାଦ ଭିତରେ ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସି ନାହାଁନ୍ତି ରାଷ୍ଟ୍ରପତି ସି-ଜିନପିଙ୍ଗ । ଏହାକୁ ନେଇ ବିଦେଶୀ ଗଣମାଧ୍ୟମରେ ବି ଅନେକ ଖବର ସାମ୍ନାକୁ ଆସୁଛି । ଭାରତ-ଚୀନ ତିକ୍ତତାକୁ ନେଇ ରାଷ୍ଟ୍ରପତି ଜିନପିଙ୍ଗ ସମ୍ମିଳନୀରେ ଯୋଗ ଦେଇ ନାହାଁନ୍ତି ବୋଲି ଅନେକ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । ଏହାରି ଭିତରେ ଚୀନର ଖବର ସରବରାହ ସଂସ୍ଥା ଗ୍ଲୋବାଲ ଟାଇମ୍ସରେ ଏକ ସମ୍ପାଦକୀୟ ଖବର ସାମ୍ନାକୁ ଆସିଛି । ଯେଉଁଥିରେ ହେଡଲାଇନ୍ ରହିଛି– ଭାରତ ଆୟୋଜିତ ଜି-୨୦ ସମ୍ମିଳନୀକୁ କିଏ କରିବ ଭଣ୍ଡୁର? ଗ୍ଲୋବାଲ ଟାଇମ୍ସର ଏହି ରିପୋର୍ଟରେ ଲେଖା ଯାଇଛି ଯେ, ଭାରତ ଜି-୨୦ ଶିଖର ସମ୍ମିଳନୀରେ ୬ଟି ପ୍ରସଙ୍ଗକୁ ପ୍ରାଧାନ୍ୟ ଦେଇଛି । ହେଲେ ଏଥିରେ ୟୁକ୍ରେନ ଯୁଦ୍ଧକୁ ସ୍ଥାନ ଦେଇ ନାହିଁ । ଆଉ ପାଶ୍ଚାତ୍ୟ ଦେଶ ଭାରତର ଯୋଜନା କରିପାରେ ଭଣ୍ଡୁର । ସେହିପିର ପାକିସ୍ତାନର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଡନରେ ପ୍ରକାଶ ପାଇଛି ଯେ, ଜି-୨୦ ସମ୍ମିଳନୀରେ କାହିଁକି ଇଣ୍ଡିଆ ସ୍ଥାନରେ ଭାରତ ଲେଖାଯାଇଛି ।

ଜି-୨୦ ଶିଖର ସମ୍ମିଳନୀ ପାଇଁ ପ୍ରାୟ ୯୯୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଭାରତ ସରକାର । ଆଉ ଏହି ସମ୍ମିଳନୀରେ ସବୁଜ ଉନ୍ନତି, ଜଳବାୟୁ ପାଇଁ ଅର୍ଥ ବ୍ୟବସ୍ଥା, ସମୂହ ଅଭିବୃଦ୍ଧି, ଡିଜିଟାଲ ଅର୍ଥ ବ୍ୟବସ୍ଥା, ପବ୍ଲିକ ଇନଫ୍ରାଷ୍ଟ୍ରକଚର ଏବଂ ଟେକ୍ନୋଲୋଜି ଟ୍ରାନ୍ସଫରମେସନ୍ ପ୍ରସଙ୍ଗକୁ ପ୍ରମୁଖ ପ୍ରସଙ୍ଗ ଭାବେ ବଛାଯାଇଛି । ଯାହା ଉପରେ ଆଲୋଚନା କରୁଛନ୍ତି ବିଶ୍ୱନେତା ।