ହରିଆଣାରୁ ସିଧା ହାର୍ବାଡ ବିଶ୍ୱବିଦ୍ୟାଳୟରେ ପଢିବା ପାଇଁ ଚୟନ ହୋଇଛନ୍ତି ୧୨ ବର୍ଷର କାର୍ତ୍ତିକ, ଜାଣନ୍ତୁ କେମିତି ହେଲେ ସିଲେକ୍ସନ

448

କନକ ବ୍ୟୁରୋ : ଦୃଢ ଇଚ୍ଛାଶକ୍ତି ଓ ସ୍ଥିର ଲକ୍ଷ୍ୟ ମଣିଷକୁ ତାର ଗନ୍ତବ୍ୟ ସ୍ଥଳରେ ପହଂଚାଇବାକୁ ସହାୟତା କରିଥାଏ । ଏବେ ଏହାର ଉଦାହରଣ ସାଜିଛନ୍ତି ହରିଆଣାର ଜଣେ କୃଷକଙ୍କ ୧୨ ବର୍ଷର ପୁଅ କାର୍ତ୍ତିକ । ସେ ଏଭଳି କିଛି କରିଛନ୍ତି କି କେବଳ ତାଙ୍କ ପରିବାର ନୁହେଁ ବରଂ ସାରା ଦେଶ ଏବେ କାର୍ତ୍ତିକଙ୍କୁ ନେଇ ଗର୍ବ କରୁଛି । ବିନା କୌଣସି ଦାମୀ ମୋବାଇଲ ଓ ଲାପଟପ ବିନା କାର୍ତ୍ତିକ ୩ ଟି ଆପ୍ ପ୍ରସ୍ତୁତ କରିଛନ୍ତି । ଏହି ଆପ୍ ପ୍ରସ୍ତୁତି ଦେଖିବା ପରେ ତାଙ୍କୁ ହାର୍ବାଡ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ସେଠାରେ ପଢିବା ପାଇଁ ଚୟନ କରାଯାଇ ନିମନ୍ତ୍ରଣ କରାଯାଇଛି ।

ଏକ ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ କାର୍ତ୍ତିକ ହରିଆଣାର ଝାଜ୍ଜର ଜିଲ୍ଲା ଝାଂସବା ଗାଁରେ ରହନ୍ତି । ତାଙ୍କ ବାପା ଜଣେ ସାଧାରଣ କୃଷକ । କାର୍ତ୍ତିକଙ୍କ ଗାଁରେ ସହର ଭଳି ନା ଅଛି ୨୪ ଘଂଟିଆ ବିଜୁଳି ସୁବିଧା । ହେଲେ ସବୁ ଅସୁବିଧା ମଧ୍ୟରେ କାର୍ତ୍ତିର୍କ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ।

କାର୍ତ୍ତିକଙ୍କ କହିବା ମୁତାବକ ଲକଡାଉନ ସମୟରେ ଅନଲାଇନ ପାଠପଢା ପାଇଁ ତାଙ୍କ ପିତା ଏକ ସ୍ମାର୍ଟଫୋନ କିଣିଦେଇଥିଲେ । ଏହି ମୋବାଇଲ ସହାୟତାରେ କାର୍ତ୍ତିକ ଅନଲାଇନରେ ପାଠ ପଢିବା ସହ ୟୁଟ୍ୟୁବରେ କୋଡିଂ ଓ ଆପ୍ ଡେଭଲପ ନେଇ କିଛି ଭିଡିଓ ଦେଖୁଥିଲେ । ଏହାପରେ ସେ ନିଜେ କୋଡିଂ ଓ ଆପ୍ ଡେଭଲପମେଣ୍ଟ କାମ ଆରମ୍ଭ କରିଦେଇଥିଲେ । ଏହି କ୍ରମରେ ଏବେ କାର୍ତ୍ତିକ ୩ଟି ଲର୍ଣ୍ଣିଂ ଆପ୍ ଡେଭଲପ କରିଛନ୍ତି ।

କାର୍ତ୍ତିକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଲର୍ଣ୍ଣିଂ ଆପ୍ ମାଧ୍ୟରେ ୪୫ ହଜାର ଛାତ୍ରଛାତ୍ରୀ ଲାଭବାନ ହୋଇଛନ୍ତି । ଏନେଇ କାର୍ତ୍ତିକଙ୍କୁ ଅନେକ ପୁରସ୍କାର ମିଳିଥିବା ବେଳେ ଏବେ ତାଙ୍କୁ ହାର୍ବାଡ ବିଶ୍ୱବିଦ୍ୟାଳୟରେ ପଢିବାକୁ ସୁଯୋଗ ମିଳିଛି ।