ପୁଣି ହେବ କି ମହାପ୍ରଭୁଙ୍କ ରଘୁନାଥ ବେଶ ? ୧୯୦୫ରେ ଶେଷ ଥର ପାଇଁ ହୋଇଥିଲା ଶ୍ରୀଜିଉଙ୍କ ଦୁର୍ଲଭ ବେଶ; ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ କହିଲେ, ସରକାର ଚାହିଁଲେ ହୋଇପାରିବ ସମ୍ଭବ

140

କନକ ବ୍ୟୁରୋ : ୧୯୦୫ରୁ ଆଉ ହୋଇନାହିଁ ଜଗନ୍ନଥଙ୍କ ବିରଳ ରଘୁନାଥ ବେଶ । ୧୧୭ ବର୍ଷ ଧରି ମହାପ୍ରଭୁଙ୍କ ଏହି ଦୁର୍ବଳ ବେଶ ଦର୍ଶନରୁ ଭକ୍ତଙ୍କୁ ବଞ୍ଚିତ ରଖାଯାଇଛି । ୧୯୮୩ ମସିହାରେ ଶ୍ରୀମନ୍ଦିର ପ୍ରଶାସନ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ କରିବାକୁ ଆଗ୍ରହ ପ୍ରକାଶ କରିଥିଲା । ହେଲେ ଆର୍ଥିକ ଦୃଷ୍ଟିକୋଣରୁ ଏହି ବେଶ ହୋଇପାରିନଥିଲା । ଏହା ପରେ ୨୦୨୦ରେ ବେଶ କରିବାକୁ ଯୋଜନା ହୋଇଥିଲେ ବି କରାଯାଇପାରିନଥିଲା ।

ମହାପ୍ରଭୁଙ୍କ ଏହି ବେଶ କରିବାକୁ ହେଲେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ପଡ଼ିବ । କାରଣ ରତ୍ନଭଣ୍ଡାରରେ ଗଚ୍ଛିତ ରହିଛି ମହାପ୍ରଭୁଙ୍କ ଏହି ବେଶ ସାମଗ୍ରୀ । ଏହାରି ଭିତରେ ରତ୍ନ ଭଣ୍ଡାର ଖୋଲିବା ପାଇଁ ବାରମ୍ବାର ଦାବି କରାଯାଉଛି । ହେଲେ ରତ୍ନ ଭଣ୍ଡାର ଖୋଲାଯାଉନାହିଁ କିମ୍ବା ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ଗଣନା କରାଯାଉନାହିଁ । ତେଣୁ ରଘୁନାଥ ବେଶ ପାଇଁ ଆବଶ୍ୟକ ଅଳଙ୍କାର ଓ ବିଭିନ୍ନ ଦେବଦେବୀଙ୍କ ସୁବର୍ଣ୍ଣ ପ୍ରତିମା ରତ୍ନ ଭଣ୍ଡାରରେ ସୁରକ୍ଷିତ ଅଛି କି ନାହିଁ, ତାକୁ ନେଇ ପଶ୍ନବାଚୀ ସୃଷ୍ଟି ହୋଇଛି ।

କିଛି ଦିନ ତଳେ ବିଧାନସଭାରେ ରତ୍ନ ଭଣ୍ଡାର କାହିଁକି ଖୋଲାଯାଉନାହିଁ ବୋଲି ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ସେହିପରି ବିରୋଧୀ ଦଳ ନେତା ହେବା ପରେ ପୁରୀ ଗସ୍ତରେ ଯାଇ ଜୟନାରାୟଣ ମିଶ୍ର ମଧ୍ୟ ରତ୍ନଭଣ୍ଡାର ଖୋଲିବା ନେଇ ସରକାରଙ୍କ ଟାଳଟୁଳ ନୀତିକୁ ସମାଲୋଚନା କରିଛନ୍ତି । ଶ୍ରୀମନ୍ଦିର ସେବାପୂଜା ସହ ଜଡିତ ବରିଷ୍ଠ ସେବାୟତ ମଧ୍ୟ ରତ୍ନଭଣ୍ଡାର ଖୋଲି ସ୍ୱର୍ଣ୍ଣ ଆଭୁଷଣର ଆକଳନ କରିବାକୁ ଦାବି କରିଛନ୍ତି ।

୧୧୭ ବର୍ଷ ତଳେ ହୋଇଥିଲା ରଘୁନାଥ ବେଶ

– ରଘୁନାଥ ବେଶରେ ପୂଜା ପାଆନ୍ତି ୩୧ ଦେବତା, ମୁନିଋଷିଙ୍କ ସୁବର୍ଣ୍ଣର ପ୍ରତିମା
– ରତ୍ନସିଂହାସନଠାରୁ କଳାହାଟ ଦ୍ୱାର ଭିତରେ ସୁବର୍ଣ୍ଣର ମୂର୍ତି ପୂଜା ପାଇଥାଏ
– ମହଣ ମହଣ ସୁନା ଅଳଙ୍କାର ଲାଗି ହୋଇଥାଏ
– ୧୩ ଭରିର ପୋହଳା ସହ ୪୮ ପ୍ରକାରର ସୁବର୍ଣ୍ଣର ଅଳଙ୍କାର ପିନ୍ଧିଥାନ୍ତି
– ମହାପ୍ରଭୁ ନିଜେ ଶ୍ରୀରାମଚନ୍ଦ୍ର ଓ ଶ୍ରୀବଳଭଦ୍ର ଲକ୍ଷ୍ମଣ ବେଶରେ ଦର୍ଶନ ଦେଇଥାନ୍ତି
– ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କୁ ସ୍ୱର୍ଣ୍ଣ ଅଳଙ୍କାରରେ ଆଭୂଷିତ କରାଯାଏ
– ମହାପ୍ରଭୁ ଶ୍ରୀଜଗନ୍ନାଥ ଦୁଇ ହାତରେ ଧନୁ ତୀର ଧରିଥାନ୍ତି
– ବାଲା, ବାଜୁ ଆଦି ଅଳଙ୍କାର ପିନ୍ଧାଇ ବୀରାସନରେ ଉପବେଶନ କରାଯାଏ
– ଶ୍ରୀବଳଭଦ୍ର ପଦଚ୍ଛନ୍ଦରେ ତ୍ରିକଚ୍ଛ ପିନ୍ଧି ଧନୁ-ଶର ଧାରଣ କରିଥାନ୍ତି
– ଶ୍ରୀଜଗନ୍ନାଥଙ୍କ ବାମ ପାଶ୍ୱର୍ରେ ଭରତ ଓ ଶତ୍ରୁଘ୍ନ ଆଦି ଦଣ୍ଡାୟମାନ ହୋଇଥାନ୍ତି
– ଶ୍ରୀଜଗନ୍ନାଥଙ୍କ କୋଳରେ ମା’ ଲକ୍ଷ୍ମୀ ଠାକୁରାଣୀ ସୀତା ରୂପରେ ଉପବେଶନ କରିଥାନ୍ତି
– ସମ୍ମୁଖ ଭାଗରେ ସଙ୍କଟମୋଚନ ହନୁମାନ ଜୋଡହସ୍ତରେ ବସିଥାନ୍ତି
– ମା’ ସୁଭଦ୍ରା ଯୋଗମାୟା ରୂପରେ ବିଭିନ୍ନ ରତ୍ନ ଅଳଙ୍କାରରେ ମଣ୍ଡିତ ହୋଇଥାନ୍ତି
– ରଘୁନାଥ ବେଶ ସଜ୍ଜା ସବୁଠାରୁ ବଡ଼ ହୋଇଥାଏ
– ରତ୍ନ ସିଂହାସନଠାରୁ କଳାହାଟ ଦ୍ୱାର ପର୍ଯ୍ୟନ୍ତ ଅସ୍ଥାୟୀ ସିଂହାସନ ନିର୍ମାଣ ହୋଇଥାଏ