ଜ୍ଞାନବାପୀ ମାମଲାରେ ବାରଣାସୀ କୋର୍ଟଙ୍କ ବଡ ନିଷ୍ପତ୍ତି, କଥିତ ଶିବଲିଙ୍ଗର ହେବ ନାହିଁ କାର୍ବନ ଡେଟିଂ

277

କନକ ବ୍ୟୁରୋ : ଜ୍ଞାନବାପୀ ମାମଲାରେ ହିନ୍ଦୁ ପକ୍ଷଙ୍କ ଆବେଦନକୁ ବାରଣାସୀ କୋର୍ଟ ଖାରଜ କରିଦେଇଛନ୍ତି । ଜ୍ଞାନବାପୀ ମସଜିଦ ପରିସରରୁ ମିଳିଥିବା କଥିତ ଶିବଲିଙ୍ଗର କାର୍ବନ ଡେଟିଂ ନେଇ ହିନ୍ଦୁ ପକ୍ଷ ବାରଣାସୀ କୋର୍ଟରେ ଆବେଦନ କରିଥିଲେ । ହେଲେ ଏହି ଆବେଦନକୁ କୋର୍ଟ ଆଜି ଖାରଜ କରିଦେଇଛନ୍ତି । ୫ ଜଣ ଆବେଦନକାରୀଙ୍କ ମଧ୍ୟରୁ ୪ ଜଣ ଆବେଦନକାରୀ କଥିତ ଶିବଲିଙ୍ଗର ଏଏସଆଇ ଦ୍ୱାରା ବୈଜ୍ଞାନିକ ଯାଂଚ କରିବାକୁ ଆବେଦନ କରିଥିଲେ । ଏହି ମାମଲାର ଶୁଣାଣି ଚଳିତମାସ ୧୧ ତାରିଖରେ ଶେଷ ହୋଇଥିଲେ ବି କୋର୍ଟ ରାୟକୁ ସଂରକ୍ଷିତ ରଖିଥିଲେ । ସେପଟେ ମସଜିଦ ପକ୍ଷ ତରଫରୁ ଯୁକ୍ତି ରଖାଯାଇଥିଲା କି ମସଜିଦ ପରସରରୁ ମିଳିଥିବା ପଥର ଖଣ୍ଡ ଶିବଲିଙ୍ଗ ନୁହେଁ ବରଂ ଏହା ଏକ ଫବରା ।

ଏହି ମାମଲାରେ ହିନ୍ଦୁ ପକ୍ଷଙ୍କ ଓକିଲ ସୁଧୀର ତ୍ରିପାଠୀ କହିଥିଲେ କି ଆମର ଦାବି ରହିଛି କାର୍ବନ ଡେଟିଂ କିମ୍ବା ଅନ୍ୟ କୌଣସି ବୈଜ୍ଞାନିକ ପଦ୍ଧତିରେ ଶିବଲିଙ୍ଗର ଯାଂଚ । ସେପଟେ ପୂର୍ବ ଶୁଣାଣି ବେଳେ ଏହି କାର୍ବନ ଡେଟିଂକୁ ବିରୋଧ କରିଥିଲେ ମସଜିଦ୍ ପକ୍ଷ ।

ସୂଚନା ଥାଉକି ବନାରସର ୫ ଜଣ ମହିଳା ମିଳିତ ଭାବେ ବାରଣାସୀ କୋର୍ଟରେ ଏକ ଆବେଦନ କରି ବର୍ଷସାରା ଏଠାରେ ଶୃଙ୍ଗାର ଗୌରୀଙ୍କ ପୂଜାକରିବାକୁ ଅନୁମତି ମାଗିଥିଲେ । ଏହି ମାମଲାର ପ୍ରଥମ ଶୁଣାଣି ୨୦୨୨ ଏପ୍ରିଲ ୨୬ ତାରିଖରେ ହୋଇଥିଲା । ଏଥିରେ କୋର୍ଟ ଏକ କମିଶନ ଗଠନ କରି ଜ୍ଞାନବାପୀ ମସଜିଦ ପ୍ରାଙ୍ଗଣରେ ଶୃଙ୍ଗାର ଗୌରୀ ମନ୍ଦିର ସର୍ଭେ କରିବାକୁ ଆଦେଶ ଦେଇଥିଲେ । ଏହାପରେ ୨୦୨୨ ମେ ୬ ତାରିଖରେ କମିଶନ ତାର ସର୍ଭେ ଆରମ୍ଭ କରିଥିଲା ।

ସେହିଭଳି ୨୦୨୨ ମେ ୭ ତାରିଖରେ ମସଜିଦ ପକ୍ଷରୁ କୋର୍ଟରେ ଏକ ଆବେଦନ କରି କମିଶନର ଅଜୟ ମିଶ୍ରାଙ୍କ ସର୍ଭେର ନିରପକ୍ଷେତା ଉପରେ ପ୍ରଶ୍ନ ଉଠାଇଥିଲେ । ୨୦୨୨ ମେ ୧୨ ତାରିଖରେ କୋର୍ଟ ଅଜୟ ମିଶ୍ରାଙ୍କୁ ହଟାଇବାକୁ ମନା କରିବା ସହ ଆଉ ୨ ଜଣଙ୍କୁ ଏହି କମିଶନରେ ନିଯୁକ୍ତି ଦେଇଥିଲେ ।