କାଗଜରେ କେଜ୍ରିୱାଲ ଲେଖିଥିଲେ ତିନି ନେତାଙ୍କ ବିଜୟ ଭବିଷ୍ୟବାଣୀ, ପଢନ୍ତୁ କେଉଁଠି କଣ ରହିଲା ସେମାନଙ୍କ ସ୍ଥିତି।

344

କନକ ବ୍ୟୁରୋ: ଗୁଜରାଟରେ ବିଜେପି ପୁଣିଥରେ ପ୍ରଚଣ୍ଡ ବହୁମତରେ ବିଜୟ ହାସଲ କରିଛି । ଦଳ ସେଠାରେ ସରକାର ଗଠନ କରିବା ଏକ ପ୍ରକାର ନିଶ୍ଚିତ ହୋଇସାରିଛି । କଂଗ୍ରେସ ଏଠାରେ ସବୁଠାରୁ ଖରାପ ପ୍ରଦର୍ଶନ କରିଛି । ସେପଟେ ପ୍ରଥମ ଥର ପାଇଁ ରାଜ୍ୟରେ ନିର୍ବାଚନକୁ ଓହ୍ଲାଇଥିବା ଆପ ମାତ୍ର ୫ଟି ଆସନରେ ଆଗୁଆ ଚାଲିଛି । ସବୁ ଆସନରେ ଦଳ ପ୍ରାର୍ଥୀ ଦେବା ପରେ ବି ମାତ୍ର ୫ ଆସନରେ ଦଳ ଆଗରେ ରହିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଦଳର ସଂଯୋଜକ ଅରବିନ୍ଦ କେଜ୍ରିୱାଲ କାଗଜରେ ଲେଖି ତିନି ନେତାଙ୍କ ବିଜୟ ନେଇ ସ୍ପଷ୍ଟ କରିଥିଲେ । ଏଥିରେ ଆପର ମୁଖ୍ୟମନ୍ତ୍ରୀ ଚେହେରା ଇସୁଦାନ ଗଢବୀ ଏବଂ ପ୍ରଦେଶ ଅଧ୍ୟକ୍ଷ ଗୋପାଲ ଇଟାଲିଆ ଏବଂ ଅଳ୍ପେଶ କଥିରିଆଙ୍କ ନାଁ ରହିଥିଲେ ।

ଆପ ସଂଯୋଜକ ଅରବିନ୍ଦ କିଛି ଦିନ ତଳେ ପ୍ରେସମିଟରେ ଏହି ତିନି ପ୍ରାର୍ଥୀଙ୍କ ବିଜୟ ନେଇ ଦାବି କରିଥିଲେ । ସେ ସମୟରେ ସେ ଏହାକୁ କାଗଜରେ ଲେଖି ଦେଇଥିଲେ ମଧ୍ୟ । ତେବେ ସମସ୍ତେ ନିର୍ବାଚନ ହାରିବା ଏକ ପ୍ରକାର ସ୍ପଷ୍ଟ ହୋଇସାରିଛି ।

ଦେବଭୂମି ଦ୍ୱାରିକାର ଖଂଭାଲିଆ ଆସନରେ ଆପ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ ଗଢବୀ ପ୍ରାର୍ଥୀ ହୋଇଥିଲେ । ବିଜୟ ନେଇ ଅରବିନ୍ଦ ସ୍ପଷ୍ଟ ମଧ୍ୟ କରିଥିଲେ । ତେବେ ଏହି ଆସନରୁ ବିଜେପି ପ୍ରାର୍ଥୀ ମୂଲୁଭାଇ ବେରା ୭୭,୩୦୫ ଭୋଟ ପାଇଥିବା ବେଳେ ଆପ୍ ପ୍ରାର୍ଥୀ ୫୮,୪୬୭ ଭୋଟ ପାଇଛନ୍ତି । କଂଗ୍ରେସର ବିକ୍ରମ ମାଡମ ୪୪,୫୨୬ ପାଇଛନ୍ତି । ବିଜେପି ବର୍ତ୍ତମାନ ସୁଦ୍ଧା ୧୮୮୩୮ ଭୋଟରେ ଆପ୍ ଠାରୁ ଆଗରେ ରହିଛି ।

ସେହିଭଳି କତରଗାମ ବିଧାନସଭା ଆସନରୁ ଆପ ପ୍ରଦେଶ ଅଧ୍ୟକ୍ଷ ଗୋପାଲ ଇଟାଲିଆ ପରାସ୍ତ ହୋଇଛନ୍ତି । ବିଜେପି ପ୍ରାର୍ଥୀ ବିନୁ ମୋରାଡିଆ ୧,୧୦,୫୧୫ ଭୋଟ ପାଇଥିବା ବେଳେ ଇଟାଲିଆଙ୍କୁ ମୋଟ ୪୯,୮୫୬ ଭୋଟ ପାଇଛନ୍ତି । ବିଜେପି ୬୦ ହଜାରରୁ ଅଧିକ ଭୋଟରେ ଏଠାରେ ବିଜୟୀ ହୋଇଛି ।

ପଟିଦାରଙ୍କ ଗଡ ଥିବା ବରାଚ୍ଛା ଆସନରୁ ପଟେଲ ସଂରକ୍ଷଣ ଆନ୍ଦୋଳନର ପ୍ରମୁଖ ଚେହେରା ଅଳ୍ପେଶ କଥିରିୟା ଆପରୁ ପ୍ରାର୍ଥୀ ହୋଇଥିଲେ । ତେବେ ବିଜେପି ପ୍ରାର୍ଥୀ କନାଣି ୬୬, ୩୫୨ ଭୋଟ ପାଇ ଆଗୁଆ ରହିଥିବା ବେଳେ ଅଳ୍ପେଶଙ୍କୁ ମାତ୍ର ୪୫୩୫୮ ଖଣ୍ଡ ଭୋଟ ମିଳିଛି । ଆପ ଠାରୁ ମୋଟ ୨୦ ହଜାରରୁ ଅଧିକ ଭୋଟରେ ବିଜେପି ଆଗୁଆ ରହିଛି ।