କଣ୍ଟାବାଞ୍ଜିରେ ନବୀନଙ୍କ ନାମାଙ୍କନ: ପଶ୍ଚିମ ଓଡ଼ିଶାରେ ପଡ଼ିବ ପ୍ରଭାବ!

102

କନକ ବ୍ୟୁରୋ: ଗଞ୍ଜାମର ହିଞ୍ଜିଳି ପରେ ବଲାଙ୍ଗୀରର କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଟିଟିଲାଗଡ ସିଟି ହାଇସ୍କୁଲ ପଡିଆରେ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବା ପରେ ଶୋଭାଯାତ୍ରାରେ ବାହାରିଥିଲେ ନବୀନ । ବିରାଟ ପଟୁଆରରେ ଯାଇ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ୨୯ ତାରିଖରେ ହିଞ୍ଜିଳି ଆସନ ପାଇଁ ନାମାଙ୍କନ ଦାଖଲ କରିଥିଲେ । ୨୦୧୯ରେ ହିଂଜିଳି ସହ ବିଜେପୁରରୁ ନିର୍ବାଚନ ଲଢ଼ିଥିଲେ ନବୀନ । ଏଥର କଂଟାବାଂଜିରୁ ନିର୍ବାଚନ ଲଢୁଛନ୍ତି ବିଜେଡି ସୁପ୍ରିମୋ । ଫଳରେ ବଲାଙ୍ଗିର ସମେତ ପୂରା ପଶ୍ଚିମ ଓଡ଼ିଶାରେ ଏହାର ପ୍ରଭାବ ପଡିବ ବୋଲି ଆଶା ରଖିଛି ଦଳ ।

ହିଂଜିଳି ପରେ ବଲାଙ୍ଗୀରର କଂଟାବାଞ୍ଜି ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ଆଶା ରଖିଛି କଂଟାବାଞ୍ଜି ଆସନରେ ନବୀନ ଲଢ଼ିଲେ ଏହାର ପ୍ରଭାବ ବଲାଙ୍ଗୀର ଲୋକସଭା କ୍ଷେତ୍ର ସହ କଳାହାଣ୍ଡି, ବରଗଡ ଲୋକସଭା କ୍ଷେତ୍ରର ଗଣିତକୁ ପ୍ରଭାବିତ କରିବ ।

ନଜର ପକାଇବା
କାହିଁକି କଂଟାବାଞ୍ଜିକୁ ବାଛିଲେ ନବୀନ?
ଗତଥର ବଲାଙ୍ଗୀର ଲୋକସଭାରେ ବିଜୟୀ ହୋଇଥିଲେ ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓ
ଏଥର ମଧ୍ୟ ପ୍ରାର୍ଥୀ ହୋଇଛନ୍ତି ସଙ୍ଗୀତା
ବଲାଙ୍ଗୀର ରାଜନୀତିରେ ରହିଛି ରାଜ ପରିବାରର ପ୍ରଭାବ
ବଲାଙ୍ଗୀର ବିଧାନସଭାରୁ ଜିତିଥିଲେ କଂଗ୍ରେସର ନରସିଂହ ମିଶ୍ର
ଏଥର ଲଢୁଛନ୍ତି ନରସିଂହଙ୍କ ପୁଅ ସମରେନ୍ଦ୍ର ମିଶ୍ର
ଗତ ନିର୍ବାଚନରେ ବଲାଙ୍ଗୀରର ୭ ବିଧାନସଭାରୁ ୪ଟି ଆସନ ପାଇଥିଲା ବିଜେଡି
କଂଗ୍ରେସକୁ ୨ଟି ଅ।।ସନ ମିଳିଥିବାବେଳେ ଗୋଟିଏ ଆସନ ଜିତିଥିଲା ବିଜେପି
୨୦୧୯ରେ କଂଟାବାଞ୍ଜି ବିଧାନସଭାରେ ଜିତିଥିଲେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂହ ସାଲୁଜା
ଏଥର ମଧ୍ୟ ସାଲୁଜାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ

ବଲାଙ୍ଗୀର ଲୋକସଭା କ୍ଷେତ୍ରର ସମସ୍ତ ବିଧାନସଭା ଉପରେ ରହିଛି ବିଜେଡିର ନଜର । ଏପଟେ କଂଟାବାଞ୍ଜି ବିଧାନସଭା ନିକଟରେ ରହିଛି ବରଗଡ଼ ଓ କଳାହାଣ୍ଡି ଲୋକସଭା କ୍ଷେତ୍ର । ତେଣୁ ଏହି ୩ ଲୋକସଭାକୁ ସିଧାସଳଖ ପ୍ରଭାବିତ କରିବ ନବୀନଙ୍କ ଉପସ୍ଥିତି । ସେହିପରି ପଶ୍ଚିମ ଓଡ଼ିଶାରୁ ନବୀନ ଲଢୁଥିବାରୁ ପୂରା ଅଂଚଳ ଉପରେ ଏହାର ପ୍ରଭାବ ପଡିବ ବୋଲି ବିଜେଡିର ଶୀର୍ଷ ନେତୃତ୍ୱ ଆକଳନ କରିଛନ୍ତି ।

୨୦୧୯ରେ ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ ନବୀନ । ବିଜେପିର ଗଡ଼ କୁହାଯାଉଥିବା ବରଗଡ଼ ଲୋକସଭା କ୍ଷେତ୍ରର ସମସ୍ତ ୭ଟି ଯାକ ବିଧାନସଭାକୁ ପୋଛି ନେଇଥିଲା ବିଜେଡି । ତଥାପି ବରଗଡ଼ ଲୋକସଭା ଯାଇଥିଲା ବିଜେପି ହାତକୁ ।