ମରୁଡି ମୁକାବିଲା ପାଇଁ କେତେ ପ୍ରସ୍ତୁତ ସରକାର? ଗୃହରେ ମରୁଡି ବାବଦରେ ଟିକିନିକି ଉତ୍ତର ରଖିଲେ ମନ୍ତ୍ରୀ ଅରୁଣ ସାହୁ । 

122

କନକ ବ୍ୟୁରୋ :  ମରୁଡ଼ି ସ୍ଥିତି ନେଇ ବିରୋଧୀଙ୍କ ପକ୍ଷରୁ ଅଣାଯାଇଥିବା ମୁଲତବୀ ପ୍ରସ୍ତାଵ ଆଲୋଚନା ପୂର୍ବରୁ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଉତ୍ତର । ଗତ ୨୦ ବର୍ଷ ଭିତରେ ୮ ଥର ରାଜ୍ୟରେ ମରୁଡ଼ି ହୋଇଛି । ଅଗଷ୍ଟ ୨୮ ତାରିଖ ସୁଦ୍ଧା ୨୩ ଟି ଜିଲ୍ଲାରେ ନିଆଣ୍ଟିଆ ବର୍ଷା ହୋଇଛି । କମ ବର୍ଷା ହୋଇଥିବାରୁ ୧୪ ଜିଲ୍ଲାର ୪୭ ଟି ବ୍ଲକରେ ଫସଲ ଗୁରୁତର ଭାବେ ପ୍ରଭାବିତ ହୋଇଛି ।ସବୁଠୁ ବଡ କଥା ହେଲା, ଅଗଷ୍ଟ ୨୮ ସୁଦ୍ଧା ଗତବର୍ଷ ତୁଳନାରେ ୩.୪୫ ଲକ୍ଷ ହେକ୍ଟର ଜମିରେ କମ ଚାଷ ହୋଇଛି । ଯାହା ଦର୍ଶାଉଛି ମରୁଡି କେତେ ସାଂଘାତିକ ସ୍ଥିତି ସୃ୍ଷ୍ଟି କରିଛି ।  ମରୁଡ଼ି ସ୍ଥିତିକୁ ଦୃଷ୍ଟିରେ ରଖି କଣ୍ଟିଯେନସି କ୍ରପ ପ୍ଲାନ ପ୍ରସ୍ତୁତ କରାଯାଉଛି ।

ରାୟଗଡା ଓ ଗଜପତି ଜିଲ୍ଲାରେ ସ୍ଥିତିରେ ସୁଧାର ଆସିଛି । ଯେଉଁ ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ହୋଇଛି ସେଠାରେ ରିହାତି ଦରରେ ପମ୍ପ ସେଟ ଯୋଗାଇ ଦେବାକୁ ନିର୍ଦେଶ ଦିଆଯାଇଛି । ଏହାସହ ସମସ୍ତ  ଉଠା ଜଳସେଚନ ପଏଣ୍ଟ ଗୁଡିକୁ  ୭ ଦିନ ଭିତରେ କାର୍ଯ୍ୟକ୍ଷମ କରିବା ପାଇଁ କୁହାଯାଇଛି ।  ତଳିଆ ଅଞ୍ଚଳର ଚାଷୀଙ୍କ ପାଇଁ ଜଳଯୋଗାଣ ସୁନିଶ୍ଚିତ କରିବା ସହ ଭୂତଳ ଜଳ ବୃଦ୍ଧି ପାଇଁ ପଦକ୍ଷେପ ନେବାକୁ ଜଳସମ୍ପଦ ବିଭାଗକୁ ପରାମର୍ଶ ଦିଆଯାଇଛି । ଯେଉଁଠି ସ୍ପଳ୍ପ ବୃଷ୍ଟିପାତ ଜନିତ ସମସ୍ୟା ରହିଛି ସେହି ଅଞ୍ଚଳର ଚାଷୀଙ୍କ ଜମିକୁ ଜଳସେଚିତ କରିବାକୁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ପାଇଁ ନୋଡାଲ ଅଫିସର ନିଯୁକ୍ତି  ଏହାବାଦ୍ ଫସଲ ଅବସ୍ଥା ଉପରେ ନଜର ରଖିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିଭଳି ଚାଷୀଙ୍କ ପ୍ରତିଟି ସୂଚନା ପ୍ରଦାନ କରିବାକୁ ପଞ୍ଚାୟତସ୍ତରରେ ହ୍ୱାଟସଆପ ଗ୍ରୁପ୍ କରାଯାଇଛି । ଯେଉଁ ଗ୍ରୁପ୍ ଜରିଆରେ ଚାଷୀଙ୍କୁ ବୈଷୟିକ ପରାମର୍ଶ ଦିଆଯାଉଛି । ଆଗାମୀ ଦିନରେ ମନେରଗା ଯୋଜନାରେ ଚାଷୀଙ୍କ ପାଇଁ ଅଧିକ ସଂଖ୍ୟକ ପୋଖରୀ ଖୋଳିବାକୁ ନିର୍ଦ୍ଦେଶ ଦିଆଯାଇଛି ।