ଗାନ୍ଧୀ ଓ ନେହେରୁ ପରିବାର ବାବଦରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପାୟଲ ରୋହତଗୀ, ପୁଣେରେ ମାମଲା ରୁଜୁ

181

କନକ ବ୍ୟୁରୋ : ବଲିଉଡ ଅଭିନେତ୍ରୀ ପାୟଲ ରୋହତଗୀଙ୍କ ନାମରେ ପୁଣେରେ ମାମଲା ରୁଜୁ ହୋଇଛି । ନେହେରୁ ଓ ଗାନ୍ଧୀ ପରିବାର ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି । ପାୟଲ ଏକ ସୋସିଆଲ ମିଡିଆ ପୋଷ୍ଟରେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ ।

ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ) ତରଫରୁ ମିଳିଥିବା ସୂଚନା ମୁତାବକ ପାୟଲ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ । ଯେଉଁ ଭିଡିଓରେ ସେ ଗାନ୍ଧୀ ଓ ନେହେରୁ ପରିବାର ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ପାୟଲଙ୍କ ଉପରେ ଧାରା ୧୫୩(କ), ୫୦୦,୫୦୫(୨) ଓ ଧାରା ୩୪ ଆଧାରରେ ମାମଲା ରୁଜୁ କରାଯାଇଛି ।

 

ପାୟଲଙ୍କ ଏଭଳି ଆପତ୍ତିଜନକ ଶବ୍ଦ ବ୍ୟବହାରକୁ ନେଇ ପୁଣେ କଂଗ୍ରେସ କମିଟି ଦ୍ୱାରା ଶିବାଜୀ ନଗର ଥାନାରେ ଅଭିଯୋଗ ହୋଇଥିଲା । କହିରଖୁ କି ଏହା ପୂର୍ବରୁ ବି ପାୟଲଙ୍କ ବିରୋଧରେ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ ସେୟାର କରିବା ଅଭିଯୋଗରେ ଦେଶର ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି । ପୁଣେ ସହର କଂଗ୍ରେସ ପ୍ରବକ୍ତା ରମେଶ ଆୟର କହିଛନ୍ତି କି ପାୟଲ ରୋହତଗୀ ବାରମ୍ବାର ଗାନ୍ଧୀ ଓ ନେହେରୁ ପରିବାର ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରୁଛନ୍ତି । ହେଲେ ଏବେ ପୋଷ୍ଟ କରିଥିବା ଏକ ଭିଡିଓରେ ଯେଭଳି ଶବ୍ଦ ବ୍ୟବହାର କରାଯାଇଛି ତାହାକୁ ବରଦାସ୍ତ କରିବା ସହଜ ନୁହେଁ । ତେଣୁ ତାଙ୍କ ବିରୋଧରେ ଦଳ ତରଫରୁ ଅଭିଯୋଗ ଦାଖଲ କରାଯାଇଛି ।