ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକ

343

କନକ ବ୍ୟୁରୋ: ଆରପାରିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ତଥା ଲେଖିକା ଗୀତା ମେହେଟ୍ଟା । ଶନିବାର ତାଙ୍କର ଦିଲ୍ଲୀରେ ଦେହାନ୍ତ ଘଟିଛି । ୧୯୪୩ ମସିହାରେ ଜନ୍ମ ଗ୍ରହଣ କରିଥିବା ଗୀତା ମେହେଟ୍ଟା ନବୀନଙ୍କ ବଡ ଭଉଣୀ ଏବଂ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ଏକମାତ୍ର ଝିଅ ଥିଲେ ।

ନବୀନଙ୍କ ବଡ ଭଉଣୀ ଗୀତା ମେହେଟ୍ଟା ଜଣେ ଲେଖିକା ଭାବେ ବେଶ ପରିଚିତ । ତା ସହିତ ସେ ପ୍ରାମାଣିକ ଚଳଚିତ୍ର ମଧ୍ୟ ନିର୍ମାଣ କରିଛନ୍ତି । ୨୦୧୯ ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ବଛାଯାଇଥିଲେ ମଧ୍ୟ, ସେ ଏହି ପୁରସ୍କାରକୁ ପ୍ରତ୍ୟାଖାନ କରିଥିଲେ ।

ଗୀତା ମେହେଟ୍ଟା ଇଂଲଣ୍ଡ, ୟୁରୋପ ଏବଂ ଆମେରିକା ପାଇଁ ୧୪ଟି ଦୂରଦର୍ଶନ ପ୍ରାମାଣିକ ଚଳଚ୍ଚିତ୍ରର ନିର୍ମାଣ କରିଥିଲେ । ୧୯୭୦-୧୯୭୧ ମସିହା ମଧ୍ୟରେ ସେ ଆମେରିକା ଦୂରଦର୍ଶନ ଏନ ବି ସି ପାଇଁ ଯୁଦ୍ଧ ସମ୍ବାଦଦାତା ଭାବରେ କାର୍ଯ୍ୟ କରିଥିଲେ । ତାଙ୍କର ଚଳଚ୍ଚିତ୍ର ‘କମ୍ପାଇଲେସନ ଅଫ ଦି ବାଙ୍ଗଲାଦେଶ ରିଭୋଲୁସନ, ଡେଡଲାଇନ ବାଙ୍ଗଲାଦେଶ, ଉଭୟ ଭାରତ ଏବଂ ବିଦେଶର ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିଲା ।

ଆଲଫ୍ରେଡ ଏ. ନଫ ପ୍ରକାଶନା ସଂସ୍ଥାର ମୁଖ୍ୟ ସୋନି ମେହେଟ୍ଟାଙ୍କ ପତ୍ନୀ ହୋଇଥିଲେ ମଧ୍ୟ, ଗୀତା ନିଜ ସତ୍ତ୍ୱ ବଳରେ ଜଣେ ଲେଖିକା ଭାବେ ପ୍ରତିଷ୍ଠିତ । ତାଙ୍କର ବହି ୨୧ଟି ଭାଷାକୁ ଅନୁବାଦିତ ହୋଇଛି ଏବଂ ୟୁରୋପ, ଆମେରିକା ଓ ଭାରତରେ ଉତ୍ତମ ବିକ୍ରେତା ତାଲିକାରେ ରହିଆସିଛି । ତାଙ୍କର ଲେଖାର ବିଷୟବସ୍ତୁ ମୁଖ୍ୟତଃ ଭାରତ, ଏହାର ସଂସ୍କୃତି ଓ ଇତିହାସ, ଏବଂ ଏହାର ପାଶ୍ଚାତ୍ୟ ଉପଲବଧି ଉପରେ ଆଧାରିତ ।