ରାଜ୍ୟରେ ଚାଲିଛି ବ୍ୟାପକ ଖଣି ଦୁର୍ନୀତି! ‘ଉଚ୍ଚମାନର ଲୁହାପଥରକୁ ଦର୍ଶାଯାଉଛି ନିମ୍ନମାନର’ । ଅପରାଜିତା ଆଣିଲେ ସାଂଘାତିକ ଅଭିଯୋଗ ।

89

କନକ ବ୍ୟୁରୋ: ପୁଣିଥରେ ଖଣି ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । କିପରି ଭଲ ଗ୍ରେଡର ଲୁହାପଥରକୁ ନିମ୍ନମାନର ଦର୍ଶାଇ ରପ୍ତାନୀ କରାଯାଉଛି ଏବଂ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ଠକେଇ ହେଉଥିବା ଦର୍ଶାଇଛନ୍ତି ଅପରାଜିତା । ୬ଟି ଖଣିର ଉଦାହରଣ ଦେବା ସହ ଖଣି ମାଲିକ ଓ ସରକାରଙ୍କ ମଧ୍ୟରେ ଅନୈତିକ ବୁଝାମଣା ହୋଇଥିବା ଅଭିଯୋଗ କରିଛନ୍ତି ଭୁବନେଶ୍ୱର ସାଂସଦ । ସେ କହିଛନ୍ତି, ରପ୍ତାନୀ ଶୁଳ୍କ ଓ ଅନ୍ୟାନ୍ୟ ଟିକସ ଫାଙ୍କିବା ପାଇଁ ଯୋଜନାବଦ୍ଧ ଷଡ଼ଯନ୍ତ୍ର ହୋଇଛି ।

ନଜର ପକାନ୍ତୁ କ’ଣ ରହିଛି ଅପରାଜତାଙ୍କ ଅଭିଯୋଗ?

  • ମାର୍ଚ୍ଚ ୩୧, ୨୦୨୦ରେ ୨୦ଟି ବଡ଼ ଖଣିର ନିଲାମ ହୋଇଥିଲା
  • ନିଲାମ ପରେ ନିମ୍ନମାନର ଲୁହା ପଥରଙ୍କ ପରିମାଣ ବଢ଼ାଇ ରପ୍ତାନୀ କରିଥିଲେ ଲିଜଧାରୀ
  • ଯେଉଁ ଲୁହାପଥରରେ ୫୮ ପ୍ରତିଶତରୁ ଅଧିକ ଲୁହା ରହିଥାଏ, ସେଥିପାଇଁ ୩୦% ଏକ୍ସପର୍ଟ ଡ୍ୟୁଟି ବା ରପ୍ତାନୀ ଶୁଳ୍କ ଦେବାକୁ ପଡ଼େ
  • ୫୮ ପ୍ରତିଶତରୁ କମ୍ ପରିମାଣର ଲୁହା ରହିଥିଲେ, ସେଥିପାଇଁ ରପ୍ତାନୀ ଶୁଳ୍କ ଦେବାକୁ ପଡୁନଥିଲା
  • ଏହାର ସୁଯୋଗ ନେଇ ଉଚ୍ଚମାନର ଲୁହାପଥରକୁ ନିମ୍ନମାନର ଦର୍ଶାଇ କୋଟି କୋଟି ଟଙ୍କା ହଡ଼ପ କରାଯାଇଛି

ଅପରାଜିତାଙ୍କ ଅଭିଯୋଗ, ଯେହେତୁ ଲୌହର ପରିମାଣ ୫୮ ପ୍ରତିଶତରୁ କମ୍ ରହିଥିଲେ, ସେଥିପାଇଁ ଏକ୍ସପୋର୍ଟ ଡ୍ୟୁଟି ଦେବାକୁ ପଡୁନଥିଲା, ଏହାକୁ ଅସ୍ତ୍ର କରି ବଡ଼ ଘୋଟାଲା କରାଯାଇଛି । ଫଳରେ କୋଟି କୋଟି ଟଙ୍କାର ରାଜସ୍ୱ ହରାଇଛନ୍ତି ସରକାର ।

ଗୋରୁମହିଷାଣୀ, ବାଦମ ପାହାଡ଼ ଭଳି ୬ଟି ଖଣିର ଉଦାହରଣ ଦେଇଛନ୍ତି ଭୁବନେଶ୍ୱର ସାଂସଦ । ନିଲାମ ପୂର୍ବରୁ ଗୋରୁମହିଷାଣୀ ଖଣିରେ ୫୫ ପ୍ରତିଶତରୁ କମ୍ ମାନର ଲୁହାପଥର ୬ ପ୍ରତିଶତ ଥିବା ବେଳେ ନିଲାମ ପରେ ଏହାକୁ ୯୫ ପ୍ରତିଶତ ଦର୍ଶାଯାଇ ରପ୍ତାନୀ କରାଯାଇଥିଲା । ବାଦାମପାହାଡ଼ ଖଣିରେ ୮ ପ୍ରତିଶତକୁ ୫୯ ପ୍ରତିଶତ ଦର୍ଶାଯାଇ ରପ୍ତାନୀ କରାଯାଇଛି । ଜରିବାହାଲ ଖଣିରେ ନିଲାମ ପୂର୍ବରୁ ୪ ପ୍ରତିଶତ ନିମ୍ନମାନର ଲୁହାପଥର ଥିବା ବେଳେ ଏହାକୁ ୯୩ ପ୍ରତିଶତ ଦର୍ଶାଇ ରପ୍ତାନୀ କରାଯାଇଥିବା ଅଭିଯୋଗ କରିଛନ୍ତି ଅପରାଜିତା ।

କ’ଣ ରହିଛି ଅପରାଜିତାଙ୍କ ଅଭିଯୋଗ?ଅପରାଜିତାଙ୍କ ଅଭିଯୋଗ, ଲୁହାପଥରର ମାନ କମ୍ ଦର୍ଶାଇ ୧୦ ଲକ୍ଷ ଟନ୍ ଲୁହାପଥରରେ ୪୧୪ କୋଟିରୁ ୬୨୬ କୋଟି ଟଙ୍କା ପର୍ଯ୍ୟନ୍ତ ରାଜସ୍ୱ କ୍ଷତି ହୋଇଛି । ସେହିପରି ଡିଏମଏଫ୍, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ରୟାଲିଟି ବାବଦ ଟଙ୍କାରେ ମଧ୍ୟ ହେରଫେର ହୋଇଥିବା ଅଭିଯୋଗ କରିଛନ୍ତି ଅପରାଜିତା ।