ଇସ୍ରୋ ରଚିଲା ଇତିହାସ । ‘ଗଗନଯାନ’ର ପ୍ରଥମ ଟ୍ରାଏଲ ସଫଳ

253

କନକ ବ୍ୟୁରୋ : ଗଗନଯାନ ମିଶନ ସହ ଆଉ ପାଦେ ଆଗକୁ ବଢିଲା ଇସ୍ରୋ । ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ସେଂଟରରୁ ଉତକ୍ଷେପଣ ହେଲା ଟେଷ୍ଟ ଭେହିକିଲ ଟିଭି-ଡି ୱାନ୍ । ବୈଷୟିକ ତ୍ରୁଟି କାରଣରୁ ଦୁଇ ଦୁଇଥର ସ୍ଥଗିତ ପରେ ଇସ୍ରୋ ବୈଜ୍ଞାନିକ ମିଶନକୁ ସଫଳ କରିବାରେ ସକ୍ଷମ ହୋଇଛନ୍ତି । ପୂର୍ବାହ୍ନ ୧୦ଟାରେ ମିଶନର ଅଂଶ ଭାବେ ‘କ୍ରୁ ମଡ୍ୟୁଲ’ର ପରୀକ୍ଷଣ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଲଂଚ ହୋଇଥିଲା । ୧୭ କିଲୋମିଟର ଉଚ୍ଚତାରୁ କ୍ରୁ ମଡ୍ୟୁଲ ଏବଂ କ୍ରୁ ଏସକେପ୍ ସିଷ୍ଟମକୁ ଅଲଗା କରାଯାଇଥିଲା । ଏହାପରେ କ୍ରୁ ମଡ୍ୟୁଲ ସଫଳତା ପୂର୍ବକ ପାରାଚ୍ୟୁଟ ମାଧ୍ୟମରେ ବଙ୍ଗୋପସାଗରରେ ଅବତରଣ କରିଥିଲା । ଇସ୍ରୋ ମୁଖ୍ୟ ଏସ ସୋମନାଥନ ମିଶନର ସଫଳତାକୁ ନେଇ ସମସ୍ତ ବୈଜ୍ଞାନିକଙ୍କୁ ଶ୍ରେୟ ଦେବା ସହିତ କ୍ରୁ ମଡ୍ୟୁଲ ଏବଂ କ୍ରୁ ଏସକେପ୍ ସିଷ୍ଟମ ପରୀକ୍ଷା କରାଯାଇଛି ବୋଲି କହିଛନ୍ତି । ଭାରତ ଏହି ମିଶନରେ ସଫଳ ହେବାରେ ବିଶ୍ୱର ଚତୁର୍ଥ ଦେଶ ହୋଇଛି । ପୂର୍ବରୁ ଆମେରିକା, ରୁଷ ଏବଂ ଚୀନ ମିଶନରେ ସଫଳ ହୋଇଛନ୍ତି ।

୨୦୨୫ମସିହା ସୁଦ୍ଧା ଗଗନଯାନ ମିଶନକୁ ସଫଳତାର ସହ ପୂରା କରିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ । ଏହି ମିଶନରେ ୩ଜଣ ମହାକାଶଯାତ୍ରୀଙ୍କୁ ମହାକାଶକୁ ପଠାଇବା ସହିତ ସଫଳତାପୂର୍ବକ ଫେରାଇଆଣିବାକୁ ଯୋଜନା ରହିଛି ।

ଚନ୍ଦ୍ରଯାନ-୩ ଏବଂ ଆଦିତ୍ୟ ଏଲ୧ ମିଶନ ସଫଳ ହେବା ପରେ ଏବେ ଗଗନଯାନ ମିଶନ ପାଇଁ ଆରମ୍ଭ ହୋଇସାରିଛି ଇସ୍ରୋର ପ୍ରସ୍ତୁତି । ୨୦୨୫ସୁଦ୍ଧା ଗଗନଯାନ ମିଶନକୁ ସଫଳ କରି ମହାକାଶରେ ଭାରତର ସ୍ଥିତି ମଜବୁତ ପାଇଁ ଲକ୍ଷ୍ୟ ରଖିଛନ୍ତି ଇସ୍ରୋ ବୈଜ୍ଞାନିକ ।