୪ ଦିନ ପରେ ଫ୍ରାନ୍ସରୁ ଭାରତ ଫେରିଲା ବିମାନ । ମାନବଚାଲାଣ ସନ୍ଦେହରେ ରଖାଯାଇଥିଲା ଅଟକ

233

କନକ ବ୍ୟୁରୋ : ୪ ଦିନ ଧରି ଫ୍ରାନ୍ସରେ ଅଟକ ଥିବା ବିମାନ ମଙ୍ଗଳବାର ମୁମ୍ବାଇରେ ପହଁଚିଛି । ୨୭୬ ଜଣ ଯାତ୍ରୀଙ୍କୁ ନେଇ ସୁରକ୍ଷିତ ଭାବେ ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରିଛି ଏହି ବିମାନ୍ । ଅଟକ ଥିବା ୩୦୩ ଭାରତୀୟଙ୍କ ମଧ୍ୟରୁ ପ୍ରାୟ ୨୫ ଜଣ ଫ୍ରାନ୍ସରେ ଶରଣ ନେଇଛନ୍ତି । ଅବଶିଷ୍ଟ ୨୭୬ ଜଣ ଯାତ୍ରୀ ଏବେ ଭାରତ ଫେରିଛନ୍ତି । ମାନବ ଚାଲାଣ ନେଇ ସନ୍ଦେହ ପରେ ବିମାନକୁ ଫ୍ରାନ୍ସରେ ଅଟକାଇ ଦିଆଯାଇଥିଲା । ପରେ ସବୁକିଛି ଯାଂଚ ପରେ ବିମାନଟି ଭାରତ ଫେରିଥିବା ବେଳେ ଆଶ୍ୱସ୍ତ ହୋଇଛନ୍ତି ଯାତ୍ରୀ ।

ଦୁବାଇରୁ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବିମାନ କେନ୍ଦ୍ରୀୟ ଆମେରିକାର ନିକରାଗୁଆ ଯିବାର ଥିଲା । ଫ୍ରାନ୍ସର ବିମାନବନ୍ଦର ଭ୍ୟାଟ୍ରିରେ ଇନ୍ଧନ ଭର୍ତି ପାଇଁ ବିମାନଟି ଅବତରଣ କରିଥିଲା । ପରେ ମାନବ ଚାଲାଣ ସନ୍ଦେହରେ ବିମାନକୁ ସେଠାରେ ଅଟକାଇ ଦିଆଯାଇଥିଲା ।

ଫ୍ରାନ୍ସ ରାଜଧାନୀ ପ୍ୟାରିସ ଠାରୁ ଦେଢ଼ ଶହ କିଲୋମିଟର ଦୂର ଭେଟ୍ରୋ ବିମାନ ବନ୍ଦରରେ ବିମାନକୁ ଅଟକାଇ ଦିଆଯାଇଥିଲା । ବିମାନରେ ରହିଥିଲେ ୩୦୩ ଜଣ ଭାରତୀୟ । ଯାହାକୁ ଭ୍ୟାଟ୍ରି ଏୟାରପୋର୍ଟରେ ଅଟକାଇ ତଦନ୍ତ କରିଥିଲା ଫ୍ରାନ୍ସର ସଙ୍ଗଠିତ ଅପରାଧ ନିରୋଧୀ ୟୁନିଟ୍ ଜୁନାଲକୋ । ତେଣୁ ବିମାନଟି କେଉଁ କାରଣରୁ ନିକରାଗୁଆ ଯାଉଥିଲା ଏବଂ ସେଥିରେ ଥିବା ଯାତ୍ରୀଙ୍କ ଯାଂଚ ପରେ ବିମାନକୁ ଛାଡିଦିଆଯାଇଛି । ତେବେ ଫରାସୀ ଗଣମାଧ୍ୟମ ଅନୁୟାୟୀ ବିମାନର କିଛି ଯାତ୍ରୀ ହିନ୍ଦୁ ଏବଂ କିଛି ତାମିଲ ଭାଷା କହୁଥିଲେ ।

ପ୍ୟାରିସର ସରକାରୀ ଓକିଲଙ୍କ କହିବା ଅନୁଯାୟୀ, ମାନବ ଚାଲାଣ ନେଇ ଅଜ୍ଞାତ ବ୍ୟକ୍ତିଙ୍କ ସୂଚନା ପରେ ବିମାନକୁ ଅଟକ ରଖାଯାଇ ଯାଂଚ କରାଯାଇଥିଲା । ଏପରିକି ପ୍ୟାରିସ ପୋଲିସ ସମସ୍ତ ଯାତ୍ରୀଙ୍କୁ ହୋପାଜତକୁ ନେଇ ତଦନ୍ତ କରିଥିଲା ।

ଫ୍ରାନ୍ସରେ ମାନବ ଚାଲାଣ ପାଇଁ ୨୦ ବର୍ଷ ଯାଏଁ ରହିଛି ଦଣ୍ଡ ବ୍ୟବସ୍ଥା । କିନ୍ତୁ ଯାଂଚରୁ ମାନବ ଚାଲାଣ ହେଉନଥିବା ଜଣାପଡ଼ିବା ପରେ ଶେଷରେ ଯାତ୍ରୀଙ୍କୁ ନେଇ ମୁମ୍ବାଇ ଫେରିଛି ବିମାନ ।