ବଣଭୋଜିରେ ମଉଜ ବେଳେ ଡ୍ୟାମରେ ପଡିଗଲା ମୋବାଇଲ : ଲକ୍ଷେ ଟଙ୍କିଆ ଫୋନ ପାଇଁ ମଟର ପମ୍ପ ଲଗାଇ ଜଳାଶୟକୁ ଶୁଖାଇ ଦେଲେ ସରକାରୀ ବାବୁ

4,167

କନକ ବ୍ୟୁରୋ : ପାଣିରେ ପଡିଲା ବାବୁଙ୍କ ଦାମୀ ମୋବାଇଲ ଫୋନ । ଫୋନକୁ ଖୋଜିବା ଲାଗି ଜଳାଶୟରେ ମୋଟର ପମ୍ପ ଲଗାଇ ପାଣି ଶୁଖାଇ ଦେଲେ ସରକାରୀ ବାବୁ । ସୌଖିନ ସରକାରୀ ବାବୁଙ୍କୁ ଏହି ଅମାନୀୟ କାଣ୍ଡର ଖବର ଆସିଛି ଛତିଶଗଡର କାଙ୍କେର ଜିଲ୍ଲାରୁ । ଆଉ ସେହି ବାବୁ ଜଣକ ହେଉଛନ୍ତି କାଙ୍କେର ଜିଲ୍ଲା କୋୟଲିବେଡା ବ୍ଲକର ଖାଦ୍ୟ ନୀରିକ୍ଷକ ରାଜେଶ ବିଶ୍ୱାସ । ଗତ ରବିବାର ରାଜେଶ ନିଜ ସାଙ୍ଗ ସାଥୀଙ୍କ ସହ ବଣଭୋଜି କରିବାକୁ ସ୍ଥାନୀୟ ଖରକେଟ୍ଟା ଜଳାଶୟକୁ ଯାଇଥିଲେ ।

ସେଠାରେ ମୌଜମସ୍ତି କରି ବୁଲାବୁଲି କରିବା ସମୟରେ ଅସାବଧତା ଯୋଗୁଁ ରାଜେଶଙ୍କ ମୋବାଇଲ ଫୋନ ଜଳାଶୟ ଭିତରେ ଖସି ପଡିଥିଲା । ଆଉ ମୋବାଇଲ ଉଦ୍ଧାର କରିବା ପାଇଁ ଖାଦ୍ୟ ନୀରିକ୍ଷକ ରାଜେଶ ବିଶ୍ୱାସ ଯାହା କଲେ ତାହା ସମସ୍ତଙ୍କୁ ତାଜୁବ କରି ଦେଇଛି । ମୋବାଇଲ ଉଦ୍ଧାର କରିବା ପାଇଁ ଜଳାଶୟର ପାଣି ଶୁଖାଇ ଦେବାକୁ ନିଷ୍ପତ୍ତି ନେଇଥିଲେ ଏହ ସରକାରୀ ବାବୁ । ଆଉ ତାଙ୍କ ନିଷ୍ପତ୍ତି ଅନୁସାରେ ୩୦ ଏଚପିର ମୋଟର ପମ୍ପ ୩ ଦିନ ଲଗାଇ ଜଳାଶୟରୁ ପାଣି ଖାଲି କରିଦେଲେ ।

୩ ଦିନରେ ପ୍ରାୟ ୨୧ ଲକ୍ଷ ଲିଟର ପାଣି ନଷ୍ଟ କରିବା ପରେ ବାବୁଙ୍କ ମୋବାଇଲ ମିଳିଥିଲା । କିନ୍ତୁ, ଏହି ଖବର ସାମ୍ନାକୁ ଆସିବା ପରେ ଖାଦ୍ୟ ନୀରିକ୍ଷକ ରାଜେଶ ବିଶ୍ୱାସଙ୍କୁ ନିଲମ୍ବିତ କରିଛନ୍ତି କାଂକେର ଜିଲ୍ଲାପାଳ ପ୍ରିୟଙ୍କା ଶୁକ୍ଲା । ଏଥିସହ ଜଳ ସମ୍ପଦ ବିଭାଗର ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ କରାଯାଇଛି । ଡହ ଡହ ଖରାରେ ଲୋକେ ପିଇବାକୁ ପାଣି ପାଉ ନାହାନ୍ତି । ଏପରି ସମୟରେ ଜଣେ ସରକାରୀ ବାବୁ କ୍ଷମତାର ଅପବ୍ୟବହାର କରି ମୋବାଇଲ ଫୋନ ପାଇଁ ଜଳାଶୟର ଲକ୍ଷ ଲକ୍ଷ ଲିଟର ପାଣି ଖାଲି କରିଦେବା ଘଟଣା ପ୍ରଶ୍ନ ସୃଷ୍ଟି ହୋଇଛି । ବାବୁ ଜଣକ ତିନି ଦିନରେ ୨୧ ଲକ୍ଷ ଲିଟର ପାଣି ନଷ୍ଟ କରିଦେଲେ, ସେତିକି ପାଣିରେ ୧୫ଶହ ଏକର ଜମିକୁ ଚାଷ କାମ ପାଇଁ ଜଳ ସେଚନ ହୋଇପାରିଥାନ୍ତା ।