ଆସିଲା ନୂଆ ସଂସଦ ଭବନର ଚିତ୍ର : ଭିଡିଓରେ ରହିଛି ଭିତର ଓ ବାହାରର ଦୃଶ୍ୟ; ଆସନ୍ତାକାଲି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

152

କନକ ବ୍ୟୁରୋ : ଉଦଘାଟନ ଅପେକ୍ଷାରେ ଦେଶର ନୂଆ ସଂସଦ ଭବନ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନର ଉଦଘାଟନ କରିବେ । ତେବେ ଗତକାଲି ନୂତନ ସଂସଦର ଭବ୍ୟ ଦୃଶ୍ୟ ସାମ୍ନାକୁ ଆସିଛି । ସଂସଦ ଭବନର ଉଭୟ ବାହାର ଓ ଭିତର ଦୃଶ୍ୟ ଏହି ଭିଡିଓରେ ଦେଖିବାକୁ ମିଳିଛି । ଭିଡିଓରେ ଅଶୋକ ସ୍ତମ୍ବଠାରୁ ଆରମ୍ଭ କରି ସାଂସଦମାନଙ୍କ ବସିବା କୋଠରୀ ପର୍ଯ୍ୟନ୍ତ ସବୁ ଦେଖିବାକୁ ମିଳିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଏହି ଭିଡିଓ ସେୟାର କରିଛନ୍ତି । ଭିଡିଓ ସେୟାର କରି ମୋଦୀ ଲେଖିଛନ୍ତି, ନୂତନ ସଂସଦ ଭବନ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିିତ କରାଇବ । ଏଥିସହ ଭିଡିଓଟିକୁ ସେୟାର କରିବାକୁ ଅନୁରୋଧ କରିଛନ୍ତି । ମାଇଁ ପାର୍ଲାମେଣ୍ଟ ମାଇଁ ପ୍ରାଇଡ୍ ହାସ୍ ଟ୍ୟାଗ୍ ଦେଇ ଟୁଇଟ୍ କରିବାକୁ ଅପିଲ କରିଛନ୍ତି । ୨୦୨୦ ଡିସେମ୍ବର ୧୦ତାରିଖରେ ପ୍ରଧାନମନ୍ତ୍ରୀ ଏହି ନୂତନ ସଂସଦର ଶିଳାନ୍ୟାସ କରିଥିଲେ ।

ଜାନୁଆରୀ ୨୦୨୧ରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ପୂରାତନ ସଂସଦ ଭବନରେ ଲୋକସଭାରେ ୫୪୩ ଓ ରାଜ୍ୟସଭାରେ ୨୫୦ ଲୋକ ବସିବାର କ୍ଷମତା ଥିବାବେଳେ ନୂତନ ଭବନରେ ଯଥାକ୍ରମେ ୮୮୮ ଓ ୩୦୦ ସାଂସଦ ବସିବାର କ୍ଷମତା ରହିଛି । ନୂତନ ସଂସଦ ଭବନ ୬୪ ହଜାର ୫୦୦ ବର୍ଗମିଟର ଭୂମି ଉପରେ ପ୍ରତିଷ୍ଠିତ ଥିବାବେଳେ ପୂରାତନ ଭବନର କ୍ଷେତ୍ରଫଳ ପ୍ରାୟ ୨୪ ହଜାର ୨୮୧ ବର୍ଗମିଟର ଥିଲା ।