ମାଲକାନଗିରିରେ ଜାପାନୀ ଜ୍ୱରର ମୁକାବିଲା ପ୍ରସଙ୍ଗ : ପଦକ୍ଷେପ ନେବାକୁ ସରକାରଙ୍କ ମନରେ ଦ୍ୱନ୍ଦ୍ୱ

22

ମାଲକାନଗିରି : ମାଲକାନଗିରିରେ ଜାପାନୀ ଜ୍ୱରର ମୁକାବିଲା ପାଇଁ ପଦକ୍ଷେପ ନେବାକୁ ବି ସରକାରଙ୍କ ମନରେ ଦ୍ୱନ୍ଦ୍ୱ ରହିଛି । ସହାୟତା ପାଇଁ କୌଣସି ସଂସ୍ଥା ଆଗେଇ ଆସିଲେ, ତାକୁ ବି ଗ୍ରହଣ କରିପାରୁ ନାହାନ୍ତି ସରକାର । ଏହାର ଏକ ପ୍ରମାଣ ଦେଖାଇଛି ବିଜେପି । ଗତ ନଭେମ୍ବରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାଲକାନଗିରିର ଜାପାନୀ ଜ୍ୱର ପ୍ରଭାବିତ ଅଂଚଳ ପରିଦର୍ଶନ କରିଥିଲେ ।

ଏହି ସମୟରେ ଶହେଟି ମଶାଧୂଆଁ ଯନ୍ତ୍ର ବା ଫଗିଂ ମେସିନ୍ ମାଗଣାରେ ଯୋଗାଇବା ପାଇଁ ଘୋଷଣା କରିଥିଲେ । ଇଣ୍ଡିଆନ ଅଏଲ ପକ୍ଷରୁ ଫଗିଂ ମେସିନ୍ ଯୋଗାଇବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଦିଆଯାଇଥିଲା । ପରେ ୨୮ ତାରିଖରେ ଜବାବରେ ସିଡିଏମ୍ଓ ଏହାର ଆବଶ୍ୟକତା ନାହିଁ, ରାଜ୍ୟ ସରକାର ଏନେଇ ପଦକ୍ଷେପ ନେଉଛନ୍ତି ବୋଲି ଲେଖିଥିଲେ ।

ପ୍ରତିକ୍ରିୟା ପାଇବା ପରେ ଇଣ୍ଡିଆନ୍ ଅଏଲ ଏହି ପ୍ରକ୍ରିୟାରୁ ଓହରିଯାଇଥିବା ନେଇ ଚିଠି ଦେଇଥିଲେ । ତେବେ ପୁଣି ଥରେ ଡିସେମ୍ବର ୯ ତାରିଖରେ ସିଡିଏମଓଙ୍କ ପକ୍ଷରୁ ଫଗିଂ ମେସିନ ଯୋଗାବାକୁ ଅନୁରୋଧ କରାଗଲା । ସିଡିଏମଓଙ୍କ ଏଭଳି କାମକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି । ଅଭିଯୋଗ କରିଛି, ଗରିବ ଆଦିବାସୀଙ୍କ ଜୀବନ ପଛେ ଯାଉ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶ୍ରେୟ ନମିଳୁ ବୋଲି ରାଜ୍ୟ ସରକାର ଚାହୁଁଛନ୍ତି ।