ବନ୍ୟା ଛାଡ଼ିଯିବା ପରେ ବଢ଼ିଲା ଦୁର୍ଦ୍ଦଶା : ସୁବର୍ଣ୍ଣପୁରରେ ଭାଙ୍ଗିଛି ଘରଦ୍ୱାର, ଚାଷ ଜମିରେ ବନ୍ୟା ପାଣି

278

କନକ ବ୍ୟୁରୋ : ବନ୍ୟା ଛାଡ଼ିଯାଇଛି ସତ ହେଲେ କମିନି ଲୋକଙ୍କ ଦୁର୍ଦ୍ଦଶା । ଘର ଦ୍ୱାର ଭାଙ୍ଗିବା ସହ ଜୀବନ ଜିବିକା ହରାଇଛନ୍ତି ସୁବର୍ଣ୍ଣପୁର ତରଭା ବ୍ଲକ ତୁଲୁଣ୍ଡା ଗାଁର ୫୦ଟି ପରିବାର । ଗତ ୧୩ ତାରିଖରେ ଗାଁ ନିକଟରେ ଥିବା ଏକ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ବନ୍ଧ ଭାଙ୍ଗିଯିବା ଦ୍ୱାରା ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାଫଳରେ ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ପଶି ଫସଲ ନଷ୍ଟ ହୋଇଯାଇଛି ।

ବନ୍ୟା ଭାଙ୍ଗିଦେଲା ଚାଷୀର ସୁନେଲି ସ୍ୱପ୍ନ । ଉଜୁଡି଼ଗଲା ସାଇତି ରଖିଥିବା ଖାଦ୍ୟ ଶସ୍ୟ । ଭାଙ୍ଗିଗଲା ଘର ଦ୍ୱାର । ଏଭଳି ଦୟନୀୟ ଅବସ୍ଥା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ତରଭା ବ୍ଲକ ତୁଲୁଣ୍ଡା ଗାଁରେ । ଗତ ୧୩ ତାରିଖରେ ଗାଁ ନିକଟରେ ଥିବା ଏକ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପର ବନ୍ଧ ଭାଙ୍ଗି ଯିବାରୁ ଗାଁରେ ପାଣି ପଶିଆସିଥିଲା । ନିଜର ଜୀବନ ବଂଚାଇବା ପାଇଁ ପିଲା ଛୁଆଙ୍କୁ ଧରି ଅନ୍ୟ ସ୍ଥାନରେ ଆଶ୍ରୟ ନେଇଥିଲେ ଲୋକମାନେ । ଏବେ ପାଣି ଛାଡ଼ି ଯାଇଥିଲେ ମଧ୍ୟ କମିନି ଲୋକଙ୍କ ଦୁର୍ଦ୍ଦଶା । ବନ୍ୟା ଛାଡ଼ିଯିବା ପରେ ଉଜୁଡ଼ା ସ୍ୱପ୍ନକୁ ସାଉଁଟିବାରେ ଲାଗିଛନ୍ତି ବନ୍ୟା ପୀଡ଼ିତ ।

ସେହିପରି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକର ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଲଗାଣ ବର୍ଷା ଏବଂ ବନ୍ୟା ପ୍ରଭାବରେ ଚାଷୀର ସୁନାର ଫସଲ ନଷ୍ଟ ହୋଇଯାଇଛି । ହଜାର ହଜାର ଏକର ଚାଷ ଜମିରେ ବନ୍ୟା ପାଣି ପସି ବାଲିଚର ପାଲଟିଯାଇଛି । ଅଚାନକ ପାଣି ମାଡ଼ିଆସି ଚାଷୀର ଧନ ଜୀବନ ନଷ୍ଟ କରିଛି । ଫଳରେ ଭଲ ଅମଳ ଆଶାରେ ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ପଡ଼ିଛି । ଧାର କରଜ କରି ଚାଷ କରିଥିବା ଚାଷୀ ପୁଣି ଥରେ ଚାଷ କରିବା ପାଇଁ ବିଫଳ ହୋଇଛି । କେବଳ ସରକାରୀ ସହାୟତାକୁ ଅପେକ୍ଷା କରିଛି । ବନ୍ୟା ବିଭିଷିକାରେ ଚାଷୀ ହରାଇଛି ଚାଷ । ଘର ଦ୍ୱାର ଭାଙ୍ଗିବା ଦ୍ୱାରା ବାସହରା ହୋଇଛନ୍ତି ସ୍ଥାନୀୟ ବାସିନ୍ଦା । ବନ୍ୟା ପିଡ଼ିତଙ୍କର ଏହି ଅପୁରଣୀୟ କ୍ଷତିକୁ ଭରଣା କରିବା ପାଇଁ ସରକାରୀ ସହାୟତାକୁ ଅପେକ୍ଷା ।